ମେହୁଲ ଚୋକସୀକୁ ବଡ ଝଟକା : ଜାମିନ୍ ଦେବାକୁ ମନା କଲେ ଡୋମିନିକା ହାଇକୋର୍ଟ

Published By : Prameya-News7 Bureau | June 12, 2021 IST

ସେଣ୍ଟ ଜୋନ୍ସ ୧୨/୬ : ପିଏନବି ସ୍କାମରେ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କ ସମସ୍ୟା ବଢିବାରେ ଲାଗିଛି । ଡୋମିନିକା ହାଇକୋର୍ଟ ମେହୁଲ ଚୋକସିଙ୍କୁ ଜାମିନ ଦେବାକୁ ମନା କରି ଦେଇଛନ୍ତି । ବିମାନ ଯାତ୍ରା ବିପଦ କାରଣରୁ ମେହୁଲ ଚୋକସିଙ୍କୁ ଜାମିନ ଦେବାକୁ ହାଇକୋର୍ଟ ମନା କରି ଦେଇଛନ୍ତି । ଡୋମିନିକା ହାଇକୋର୍ଟରେ ମେହୁଲ ଚୋକସିଙ୍କ ଜାମିନ ଆବେଦନ ଶୁଣାଣି ସମୟରେ ତାଙ୍କ ଓକିଲ କହିଛନ୍ତି ଯେ କାରିକୋମ ନାଗରିକ ଭାବରେ ମେହୁଲ ଚୋକସିଙ୍କୁ ଜାମିନ ପ୍ରଦାନ କରାଯିବା ଉଚିତ ।

ସେ କହିଛନ୍ତି ଯେ ମେହୁଲ ଚୋକସିଙ୍କ ବିରୋଧରେ ଯେଉଁ ପ୍ରକାର ଅଭିଯୋଗ ହୋଇଛି, ସେପରି ଅପରାଧ ଜାମିନ ଯୋଗ୍ୟ ଏବଂ ତାଙ୍କୁ ମାତ୍ର ଅଳ୍ପ ହଜାରେ ଟଙ୍କା ଜୋରିମାନା ଦେବା କଥା । ସେ ଆହୁରି କହିଛନ୍ତି ମେହୁଲ ଚୋକସିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନାହିଁ, ତେଣୁ ସେ ବିମାନ ଯାତ୍ରା କରିବା ବିପଦ ଜନକ ହେବ । ମେହୁଲ ଚୋକସିଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ତାଙ୍କୁ ଜମାନତ ରାଶି ନେଇ ତାଙ୍କୁ ଜାମିନ ଦିଆଯାଉ ।

ସେପଟେ ସରକାରୀ ଓକିଲ ଲେନୋକ୍ସ ଲରେନ୍ସ ଏହି ଜାମିନକୁ ବିରୋଧ କରିଛନ୍ତି । ଲେନୋକ୍ସ ଲରେନ୍ସ କହିଛନ୍ତି ଯେ ମେହୁଲ ଚୋକସି ବିମାନରେ ଯିବା ବିପଦ ଅଛି ଏବଂ ତାଙ୍କୁ ଇଣ୍ଟରପୋଲରୁ ନୋଟିସ ଜାରି କରାଯାଇଛି । ଏଭଳି ପରିସ୍ଥିତିରେ ମେହୁଲ ଚୋକସିଙ୍କୁ ଜାମିନ ପ୍ରଦାନ କରାଯାଇପାରିବ ନାହିଁ । ସରକାରୀ ଓକିଲ ହାଇକୋର୍ଟଙ୍କୁ କହିଛନ୍ତି ଯେ ମେହୁଲ ଚୋକସି ଏପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅଭିଯୋଗ କରିନାହାଁନ୍ତି । ତେଣୁ ସ୍ୱାସ୍ଥ୍ୟ କିମ୍ବା ଡାକ୍ତରଖାନାରେ ଭର୍ତ୍ତି ହେବାର କୌଣସି ସମସ୍ୟା ନାହିଁ । ଚୋକସିଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ମେହୁଲ ଚୋକସିଙ୍କୁ ଜାମିନ ଦେବାକୁ ମନା କରି ଦେଇଛନ୍ତି ।

ସୂଚନା ଥାଉ କି, ଡୋମିନିକାରେ ବେଆଇନ ଭାବେ ପ୍ରବେଶ କରିଥିବା ମେହୁଲ ଚୋକସିଙ୍କ ନାଁରେ ଅଭିଯୋଗ ଅଛି । ରୋଜୋ ମାଜିଷ୍ଟ୍ରେଟ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ପରେ ମେହୁଲ ଚୋକସି ହାଇକୋର୍ଟଙ୍କ ଯାଇଥିଲେ । ସମାନ ମାମଲାର ଶୁଣାଣି ହାଇକୋର୍ଟରେ ଚାଲିଥିଲା ​​କିନ୍ତୁ ସେଠାରୁ ମଧ୍ୟ ମେହୁଲ ଚୋକସି ଜାମିନ ପାଇପାରିନଥିଲେ । ମେ ୨୩ ରେ, ମେହୁଲ ଚୋକସି ଆଣ୍ଟିଗୁଆରୁ ନିଖୋଜ ହୋଇଯାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.