ଦେଶରେ ମେ ୨୫ରୁ ଆରମ୍ଭ ହେବ ଘରୋଇ ବିମାନ ଉଡାଣ, ଶୀଘ୍ର ଆରମ୍ଭ ହେବ ବୁକିଂ
20/05/2020 at 5:02 PM

ନୂଆଦିଲ୍ଲୀ ୨୦।୦୫: ସମଗ୍ର ଦେଶରେ ଘରୋଇ ବିମାନ ସେବା ମେ ୨୫ରୁ ଆରମ୍ଭ ହେବାକୁ ଯାଉଛି। ବେସାମରିକ ଉଡାଣ ମନ୍ତ୍ରୀ ହରଦୀପ ସିଂହ ପୁରୀ ଟୁଇଟ୍ କରି ଏହାର ସୂଚନା ଦେଇଛନ୍ତି। ଲକ୍ଡାଉନ୍ କାରଣରୁ ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ଉଡାଣ ବନ୍ଦ ରହିଛି। ନିକଟରେ ସରକାର ରେଳ ସେବା ଆରମ୍ଭ କରିଛନ୍ତି ଏବଂ ଏବେ ଘରୋଇ ଉଡାଣ ସେବା ମଧ୍ୟ ମେ ୨୫ରୁ ଆରମ୍ଭ ହୋଇ ଯିବ।
ମନ୍ତ୍ରୀ ହରଦୀପ ପୁରୀ କହିଛନ୍ତି, ସୋମବାର ମେ ୨୫ରୁ ଘରୋଇ ଯାତ୍ରୀବାହୀ ବିମାନ ସେବା ଆରମ୍ଭ ହୋଇଯିବ। ଗାଇଡ୍ ଲାଇନ୍ ଓ ସୁରକ୍ଷା ସହିତ ଉଡାଣ ଆରମ୍ଭ କରାଯିବ। ଏ ନେଇ ସମସ୍ତ ବିମାମ ବନ୍ଦରକୁ ସୂଚିତ କରାଯାଇଛି। ଯାତ୍ରୀଙ୍କ ଲାଗି ଏସଓପି ଜାରି କରାଯାଉଛି। ଟିକେଟ୍ ବୁକିଂ ଶୀଘ୍ର ଆରମ୍ଭ କରାଯିବ। କିନ୍ତୁ କେବେଠୁ ଟିକେଟ୍ ବୁକିଂ ଆରମ୍ଭ ହେବ ସେ ନେଇ ସୂଚନା ଦିଆଯାଇ ନାହିଁ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ବେସାମରିକ ଚଳାଚଳ ମନ୍ତ୍ରୀ ପୁରୀ ମଙ୍ଗଳବାର ଟୁଇଟ୍ କରି କହିଥିଲେ ଯେ, ବିମାନ ସେବା ଆରମ୍ଭ କରାଯିବାର ଦାୟିତ୍ଵ କେନ୍ଦ୍ର ସହିତ ରାଜ୍ୟ ସରକାରଙ୍କର ମଧ୍ୟ ରହିଛି। ଏଥିପାଇଁ ସେମାନଙ୍କୁ ମଧ୍ୟ ପ୍ରସ୍ତୁତ ହେବା ଉଚିତ୍। ଉଲ୍ଲେଖନୀୟ, ମାର୍ଚ୍ଚ ୨୫ରୁ ଦେଶବ୍ୟାପୀ ଲକ୍ଡାଉନ୍ କାରଣରୁ ସବୁ ପ୍ରକାର ଉଡାଣ ସେବା ବନ୍ଦ ରହିଛି। ଲକ୍ଡାଉନ୍ର ଚତୁର୍ଥ ପର୍ଯ୍ୟାୟ ମେ ୩୧ରେ ଶେଷ ହେଉଛି। ସରକାରଙ୍କ ପକ୍ଷରୁ ଧିରେ ଧିରେ ପ୍ରତିବନ୍ଧକ ଶେଷ କରି ଦେଶକୁ ପର୍ଯ୍ୟାୟ କ୍ରମେ ଖୋଲା ଯାଉଛି।
ଏହା ପୂର୍ବରୁ ମଙ୍ଗଳବାର ରେଲଓ୍ଵେ ୨୦୦ ବିନା ଏସି ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି। ଏହି ଟ୍ରେନ୍ ସେବା ଜୁନ ୧ରୁ ସମୟ ସାରେଣୀ ହିସାବରେ ପ୍ରତିଦିନ ଚାଲିବ।