ପୂଜା ପରେ ବଢୁଛି ସଂକ୍ରମଣ, ଆଜିଠୁ ଏହି ସହରରେ ନାଇଟ୍ କର୍ଫ୍ୟୁ : ବନ୍ଦ ରହିବ ଦୋକାନ ବଜାର

Published By : Prameya-News7 Bureau | October 21, 2021 IST

କୋଲକାତା,୨୧/୧୦: ପୂଜା ପାଇଁ ନାଇଟ୍‌ କର୍ଫ୍ୟୁ କୋହଳ କରିଥିଲେ ରାଜ୍ୟ ସରକାର । ସରକାରୀ ବିଜ୍ଞପ୍ତି ଅନୁଯାୟୀ ରିହାତିର ଶେଷ ତାରିଖ ଅକ୍ଟୋବର ୨୦। ଗୁରୁବାରଠୁ ନାଇଟ୍‌ କର୍ଫ୍ୟୁ ଲାଗୁ କରିବାକୁ ପଶ୍ଚିମବଙ୍ଗ ରାଜ୍ୟ ମୁଖ୍ୟ ଶାସନ ସଚିବ ହରିକୃଷ୍ଣ ଦ୍ୱିବେଦୀ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

ପୂଜା ପାଇଁ ରାଜ୍ୟ ପ୍ରଶାସନ କିଛି ରିହାତି ଦେଇଥିଲା । ରେଷ୍ଟୁରାଣ୍ଟ, ବାର ଏବଂ ଅନ୍ୟାନ୍ୟ ଦୋକାନ ବିଳମ୍ବିତ ରାତିଯାଏ ଖୋଲା ରହିବାକୁ ଅନୁମତି ଦିଆଯାଇଥିଲା । କିନ୍ତୁ ପୂଜା ସମୟରେ ସ୍ୱାସ୍ଥ୍ୟ ନିୟମ ପାଳନ ନକରି ଲୋକମାନେ ବାହାରକୁ ଗଲେ ସଂକ୍ରମଣ ହାର ବଢିପାରେ ବୋଲି ଡାକ୍ତର ଏବଂ ବିଶେଷଜ୍ଞମାନେ ପୂର୍ବରୁ ଚେତାବନୀ ଦେଇଥିଲେ । ପୂଜାଠାରୁ ପ୍ରାୟ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ୭୦୦ ଅତିକ୍ରମ କରିଛି । ରାଜ୍ୟ ପ୍ରଶାସନ ଅନୁଭବ କରୁଛି ଯେ ରାଜ୍ୟରେ ସ୍ଥିତି ଏପର୍ଯ୍ୟନ୍ତ ନିୟନ୍ତ୍ରଣ ବାହାରକୁ ଯାଇନାହିଁ । ମୁଖ୍ୟ ଶାସନ ସଚିବ ପ୍ରଶାସନିକ ଅଧିକାରୀଙ୍କୁ ଟିକାକରଣ ହାର ବୃଦ୍ଧି କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତ୍ୟେକ ଜିଲ୍ୱାରେ ଟିକାକରଣ ବୃଦ୍ଧି ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୋମବାରଠାରୁ କୋଲକାତା ପୌରପାଳିକାର ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଏବଂ କର୍ମଚାରୀଙ୍କ ସମସ୍ତ ଛୁଟି ବାତିଲ କରାଯାଇଛି । ବୁଧବାରଠୁ ପୌରସଂସ୍ଥାର ପ୍ରତ୍ୟେକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକାକରଣ କାର୍ଯ୍ୟ ଆରମ୍ଭ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.