ରନୱେରେ କୁକୁର ଯୋଗୁ ଗୋଆ ଏୟାରପୋର୍ଟରେ ଓହ୍ଲାଇପାରିଲାନି ମୁମ୍ବାଇ-ଗୋଆ ବିମାନ
14/08/2019 at 4:09 PM

ଡାବୋଲିମ: ଗୋଆ ଡାବୋଲିମ ବିମାନ ବନ୍ଦରରେ ବୁଲା କୁକୁର ଏବେ ସମସ୍ୟାର କାରଣ ପାଲଟିଛନ୍ତି। ମଙ୍ଗଳବାର ରନୱେରେ କୁକୁରଙ୍କ ଉପସ୍ଥିତି ଯୋଗୁ ମୁମ୍ବାଇ-ଗୋଆ ବିମାନ ଅବତରଣ କରିପାରିନଥିଲା। ଏଣୁ ବିମାନକୁ ପ୍ରାୟ ୧୫ ମିନିଟ କାଳ ଆକାଶରେ ଚକ୍କର କାଟିବାକୁ ପଡିଥିଲା। ତେବେ କୁକୁରଙ୍କୁ ଘଉଡାଇଦିଆଯିବା ପରେ ବିମାନ ସ୍ୱଭାବିକ ଅବତରଣ କରିଥିଲା। ଏହି ଘଟଣାକୁ ନେଇ ବିମାନବନ୍ଦର କର୍ତ୍ତୃପକ୍ଷ ଓ ନେଭି ମୁହାଁ ମୁହିଁ ହୋଇଥିବା ବେଳେ ମାମଲାର ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି।

ଡାବୋଲିମ ବିମାନ ବନ୍ଦରର ରକ୍ଷଣାବେକ୍ଷଣା ଦାୟିତ୍ୱ ଭାରତୀୟ ନୈସେନା ଉପରେ ନ୍ୟସ୍ତ। ଆଇଏନଏସ୍ ହଂସ ରନୱେରୁ ବୁଲା କୁକୁର ଓ ପକ୍ଷୀଙ୍କୁ ଘଉଡାଇଥାଏ। ଏଥିପାଇଁ ବିମାନ ବନ୍ଦରରେ ଦିନ ବେଳା ଅଧିକ ସଂଖ୍ୟକ କର୍ମଚାରୀଙ୍କୁ ବି ମୁତୟନ କରାଯାଇଛି। ଏହା ସତ୍ତ୍ୱେ କେବେ କେବେ ବୁଲା କୁକୁର ରନୱେକୁ ପଶି ଆସିବା ଯୋଗୁ ବିମାନ ଉଡାଣ ଓ ଅବତରଣ ପ୍ରଭାବିତ ହେଉଛି। ମୁମ୍ବାଇ-ଗୋଆ ଫ୍ଲାଇଟର ଜନୈକ ଯାତ୍ରୀ ଗିବନ୍ଦ ଗାଓଁକର ଘଟଣା ବେଳର ଟ୍ୱିଟ୍ କରିଥିଲେ। ରନୱେରେ କୁକୁରଙ୍କୁ ଦେଖି ପାଇଲଟ ‘ଟଚ୍ ଡାଉନର’ ମାତ୍ର କିଛି ସେକେଣ୍ଡ ପୂର୍ବରୁ ଅବତରଣ ଅଟକାଇ ଦେଇଛନ୍ତି। ତେବେ କିଛି ସମୟ ପରେ ବିମାନ ପୁଣି ଅବତରଣ କରିଥିଲା, ହେଲେ ଏହା ଏକ ଗୁରୁତର ଘଟଣା ବୋଲି ଏବେ କୁହାଯାଉଛି।

ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଘଟଣାକୁ ବିଧାନସଭାରେ ପ୍ରସଙ୍ଗ କରିଥିବା ବେଳେ ସିଭିଲ ଏଭିଏସନ ଡିଜିଙ୍କୁ ମାମଲାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେବା ନିମନ୍ତେ ଗୃହରେ ଦାବି କରିଛନ୍ତି। ଗୋଆ ବିମାନ ବନ୍ଦର କର୍ତ୍ତୃପକ୍ଷ ମଧ୍ୟ ମାମଲାର ତଦନ୍ତ କରା।ଯିବ ବୋଲି କହିଛନ୍ତି। ତେବେ ରନୱେରେ ବୁଲା କୁକୁର ବୁଲିବା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ବୋଲି କୁହାଯାଉଛି।