ମାଲିକାଣୀଙ୍କ ମୃତ୍ୟୁ ପରେ ଆତ୍ମହତ୍ୟା କଲା କୁକୁର, ଚାରିମହଲା କୋଠାରୁ ଡେଇଁପଡିଲା

Published By : Prameya-News7 Bureau | July 04, 2020 IST

କାନପୁର ୦୪।୦୭ : ୟୁପିର କାନପୁର ସହରରେ ଗୋଟିଏ କୁକୁର ନିଜ ମାଲିକାଣୀଙ୍କ ମୃତ୍ୟୁର ଦୁଃଖରେ ଭାଙ୍ଗି ପଡି ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି । ମାଲିକାଣୀଙ୍କ ମୃତଦେହ ହସ୍ପିଟାଲରୁ ଘରକୁ ଅଣାଯିବା ପରେ କୁକୁରଟି ଚାରି ମହଲା କୋଠା ଉପରୁ ତଳକୁ ଡେଇଁ ପଡିଥିଲା । କାନପୁର ସହରର ବାରା-୨ ଅଞ୍ଚଳରେ ବୁଧବାର ଏହି ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ଅନୀତା ରାଜ ସିଂ ନାମ୍ନୀ ଜଣେ ମହିଳା ଡାକ୍ତରଙ୍କର ବୁଧବାର ମୃତ୍ୟୁ ହୋଇଥିଲା । ସେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗରେ ଯୁଗ୍ମ ନିର୍ଦ୍ଦେଶିକା ଭାବେ କାର୍ଯ୍ୟ କରୁଥିଲେ । ୧୨ ବର୍ଷ ତଳେ ସେ ଏକ ମାଈ କୁକୁରକୁ ଉଦ୍ଧାର କରିଥିଲେ । ଉକ୍ତ କୁକୁରଟି ସେତେବେଳେ ଅତି ଛୋଟ ଥିଲା ଏବଂ ତା’ର ମାଆ ତା’କୁ ଉରସୁଲା ହର୍ସମ୍ୟାନ ହସ୍ପିଟାଲ ନିକଟରେ ଛାଡି ଦେଇଥିଲା । ସେତେବେଳେ ସେ ଅତି ରୁଗ୍‌ଣ ଅବସ୍ଥାରେ ଥିଲା । ଅନୀତା ତା’କୁ ସେଠାରୁ ନିଜ ଘରକୁ ଆଣିଥିଲେ ଏବଂ ତା’ର ପାଳନ କରିଥିଲେ । ସେ ଏବଂ ତାଙ୍କ ପରିବାର ଲୋକେ ତା’କୁ ଜୟା ବୋଲି ଡାକୁଥିଲେ । ଜୟା ବି ଅନୀତାଙ୍କୁ ଖୁବ୍‌ ଭଲ ପାଉଥିଲା ।

ଜୟା ଅନୀତାଙ୍କ ପରିବାରର ଏକ ସଦସ୍ୟ ପାଲଟି ଯାଇଥିଲା । କିଛି ଦିନ ତଳେ ଅନୀତାଙ୍କ ସ୍ୱାସ୍ଥ୍ୟ ଖରାପ ହେବା ଏବଂ ତାଙ୍କୁ ହସ୍ପିଟାଲ ନିଆଯିବା ପର ଠାରୁ ଜୟା ଅବସାଦଗ୍ରସ୍ତ ହୋଇଥିଲା । ବୁଧବାର ଅନୀତାଙ୍କ ମୃତ୍ୟୁହେବା ପରେ ଯେତେବେଳେ ତାଙ୍କ ମୃତଦେହକୁ ହସ୍ପିଟାଲରୁ ଘରକୁ ଅଣାଯାଇଥିଲା, ସେତେବେଳେ ଜୟା ଜୋରରେ ଭୁକିବା ସହିତ କାନ୍ଦିବାକୁ ଆରମ୍ଭ କରିଥିଲା । ଏହାର କିଛି ସମୟ ପରେ ସେ ଚାରି ମହଲା କୋଠା ଉପରକୁ ଯାଇ ତଳକୁ ଡେଇଁ ପଡିଥିଲା । ତା’କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ସେଠାରେ ତା’ର ମୃତ୍ୟୁ ହୋଇଥିଲା । ଅନୀତାଙ୍କ ପରିବାର ଲୋକେ ପ୍ରଥମେ ତାଙ୍କର ଅନ୍ତିମ ସଂସ୍କାର କରିବା ପରେ ଘର ନିକଟରେ ଜୟାକୁ ସମାଧି ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.