ସୁନ୍ଦରଗଡରେ ବନ୍ଦ ଘରୁ ୪ ଜଣଙ୍କ ମୃତଦେହ ମିଳିବା ଘଟଣାର ରହସ୍ୟ ଉନ୍ମୋଚନ କରିଛନ୍ତି ଡାକ୍ତର
12/01/2020 at 6:17 PM

ସୁନ୍ଦରଗଡ ୧୨।୦୧ – ସୁନ୍ଦରଗଡ଼ ରାଜଗାଙ୍ଗପୁର ଆଇ.ଟି କଲୋନୀରେ ବନ୍ଦ ଘରୁ ମିଳିଥିବା ୪ ଜଣଙ୍କ ମୃତଦେହ ଘଟଣାର ରହସ୍ୟ ଉନ୍ମୋଚନ କରିଛନ୍ତି ଡାକ୍ତର । ଆତ୍ମହତ୍ୟା କି ହତ୍ୟା ନୁହେଁ, ଶ୍ବାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି ସମସ୍ତେ । ଯେଉଁଘରେ ଏମାନେ ଶୋଇଥିଲେ, ସେଠାରେ ଏକ କୋଇଲା ଆଞ୍ଚ ରହିଛି । ତେଣୁ ଧୂଆଁରେ ପ୍ରାଣ ହରାଇଥିବାର ଯଥେଷ୍ଟ ସମ୍ଭାବନା ରହିଛି, ସେପଟେ କିନ୍ତୁ ପଡ଼ୋଶୀ ଏହାକୁ ବିଶ୍ବାସ କରିପାରୁ ନାହାଁନ୍ତି।…

କୋଇଲା ଆଞ୍ଚ ନେଇଛି ଚାରି ଚାରି ଜଣଙ୍କ ଜୀବନ । ପ୍ରଚଣ୍ଡ ଶୀତରୁ ରକ୍ଷା ପାଇବା ପାଇଁ
ଶୋଇବା ଘରେ ବାଲଟିରେ ନିଆଁ ଆଞ୍ଚ ଲଗାଇ ରଖିଥିଲେ । ଶେଷରେ ଏହାର ଧୂଆଁରେ ଶ୍ବାସରୁଦ୍ଧ ହୋଇ ପ୍ରାଣ ହରାଇଥିଲେ ରାଜଗାଙ୍ଗପୁର ଆଇ.ଟି କଲୋନୀରେ ରହୁଥିବା ରଞ୍ଜିତ ପ୍ରସାଦ, ପତ୍ନୀ କଳ୍ପନା, ୩ ବର୍ଷର ଝିଅ ଏବଂ ଦେଢ଼ ବର୍ଷର ପୁଅ । ଏମାନଙ୍କୁ ହତ୍ୟା କରାଯାଇନାହିଁ, କିମ୍ବା ବିଷ ଖାଇ ଏମାନେ ପ୍ରାଣ ହରାଇନାହାଁନ୍ତି, ବରଂ ଶ୍ବାସରୁଦ୍ଧ ହୋଇ ପ୍ରାଣ ହରାଇବାର ସମ୍ଭାବନା ଅଧିକ ବୋଲି କହିଛନ୍ତି ପୋଷ୍ଟମର୍ଟମ୍ କରିଥିବା ଡାକ୍ତର ।…

ଗୋଟିଏ ପଟେ ଶ୍ବାସରୁଦ୍ଧ କାରଣରୁ ଚାରି ଜଣଙ୍କ ଜୀବନ ଯାଇଥିବା ଡାକ୍ତର କହୁଥିବା ବେଳେ ଏହାକୁ କିନ୍ତୁ ଗ୍ରହଣ କରିପାରୁନାହାଁନ୍ତି ପଡ଼ୋଶୀ । ଘରେ ଦୁଇଜଣ ବୟସ୍କ ଥିଲେ । ବୟସ୍କ ଲୋକ ଥାଇ ଧୂଆଁ ହେଉଥିବା କିପରି ଜାଣିଲେ ନାହିଁ । ତେଣୁ ଏହାର ସଠିକ ଭାବରେ ତଦନ୍ତର ଆବଶ୍ୟକତା ରହିଛି ବୋଲି କହିଛନ୍ତି ପଡ଼ୋଶୀ ।…

ଶୋଇବା ଘରେ ଥିବା ଝରକା ପାଖରେ ଏହି କଣା ରହିଛି, ଏହି ବାଟେ ଧୂଆଁ ବାହାରିଯିବା କଥା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି ।ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୋଲିସର ତଦନ୍ତ ଏଇଠି ଅଟକିବ ନା ଆଗକୁ ବଢିବ ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଛି ।…