ପ୍ରସବ ସମୟରେ ନବଜାତ ଶିଶୁର ଛିଡ଼ିଗଲା ମୁଣ୍ଡ, ଗର୍ଭବତୀଙ୍କ ଗର୍ଭାଶୟ ଭିତରେ ରହିଗଲା ଅବଶିଷ୍ଟ,ଡାକ୍ତରଙ୍କ ଭୁଲର ପରିଣତି ହେଲା ଭୟଙ୍କର
23/12/2019 at 12:16 PM

ତେଲେଙ୍ଗାନା ୨୩/୧୨: ଡାକ୍ତରଙ୍କ ଭୁଲ୍ ଯୋଗୁଁ ଏକ ନିରୀହ ନିଷ୍ପାପ ଶିଶୁର ଜନ୍ମ ହେଉ ହେଉ ଜୀବନ ଦୀପ ଲିଭିଯାଇଛି। ଡେଲିଭରି ସମୟରେ ନବଜାତ ଶିଶୁର ମୁଣ୍ଡ କଟି ଯିବା ଏବଂ ଗଣ୍ଡି ମାଆଙ୍କ ଗର୍ଭରେ ରହି ଯାଇଥିବା ଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ତେଲେଙ୍ଗାନାର ନାଗରକୁରନୁଲ ଜିଲ୍ଲାର ଅଛମପେଟ ହସ୍ପିଟାଲରେ।

ନାଗରକୁରନୁଲ ଜିଲ୍ଲାର ନାଦିମପଲ୍ଲୀ ଗାଁର ୨୩ବର୍ଷ ବୟସ୍କା ସ୍ବାତୀ ଗର୍ଭବତୀ ଥିଲେ। ତାଙ୍କୁ ଡିସେମ୍ବର ୧୮ତାରିଖରେ ଅଛମପେଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ କହିଥିଲେ ଯେ ନର୍ମାଲ୍ ଡେଲିଭେରି ହେବ। ସ୍ବାତୀଙ୍କର କୌଣସି ସମସ୍ୟା ନଥିବା କଥା ମଧ୍ୟ କହିଥିଲେ ଡାକ୍ତର।

ସ୍ବାତୀ କହିଥିଲେ ଯେ ହସ୍ପିଟାଲରେ ତାଙ୍କୁ ପ୍ରଥମେ ଇଞ୍ଜେକସନ ଦିଆଯାଇଥିଲା। ଏହା ପରେ ଲେବର ରୁମକୁ ନିଆଯାଇଥିଲା। ଏଠାରେ ଜଣେ ମହିଳା ଡାକ୍ତର ୨ଜଣ ପୁରୁଷ ଡାକ୍ତରଙ୍କ ସହ ମିଶି ତାଙ୍କର ଡେଲିଭରି କରିଥିଲେ। କିନ୍ତୁ କିଛି ସମୟ ପରେ ଡାକ୍ତର ତାଙ୍କୁ କହିଥିଲେ ଯେ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେଉଛି ,ତାଙ୍କୁ ପେଟଲାବୁର୍ଜ ହସ୍ପିଟାଲକୁ ରେଫର କରାଯିବ।
ପେଟଲାବୁର୍ଜ ହସ୍ପିଟାଲରେ ଡାକ୍ତରମାନେ ତାଙ୍କୁ ଦେଖିବା ପରେ ତାଙ୍କ ସ୍ବାମୀ ଏବଂ ପରିବାର ଲୋକଙ୍କୁ କହିଥିଲେ ଯେ ଅଛମପେଟ ହସ୍ପିଟାଲରେ ତାଙ୍କର ନର୍ମାଲ୍ ଡେଲିଭରି କରାଯାଇନାହିଁ। ସିଜରିଆନ୍ କରାଯିବା ସମୟରେ ଶିଶୁଙ୍କ ମୁଣ୍ଡ କଟିଯାଇଥିଲା। ଶିଶୁର ଗଣ୍ଡି ଏବେଯାଏଁ ଗର୍ଭବତୀଙ୍କ ଶରୀରରେ ରହିଛି।
ହାଇଦ୍ରାବାଦର ପେଟଲାବୁର୍ଜ ହସ୍ପିଟାଲର ଡାକ୍ତରମାନେ ପୁଣି ଥରେ ଅପରେସନ କରି ସ୍ବାତୀଙ୍କ ଗର୍ଭରୁ ମୁଣ୍ଡହୀନ ଶରୀରକୁ ବାହାରକୁ କଢ଼ାଯାଇଥିଲା।
ଏହି ଘଟଣାରେ ଉତ୍ତ୍ୟକ୍ତ ହୋଇ ସ୍ବାତୀଙ୍କ ପରିବାର ଲୋକେ ଅଛମପେଟ ହସ୍ପିଟାଲରେ ଭଙ୍କାରୁଜା କରିଥିଲେ। ଏହାପରେ ଜିଲ୍ଲା ଅଧିକାରୀ ଏବଂ ମେଡିକାଲ୍ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଭିଯୋଗ କରାଯାଇଥିଲା। ସେଠାକାର ମହିଳା ଡାକ୍ତରଙ୍କୁ ନିଲମ୍ବିତ କରାଯାଇଛି।