କୋଭିଡ ରିପୋର୍ଟ ନ ଆସିବା ଯାଏଁ ରୋଗୀଙ୍କୁ ହାତ ମାରୁନାହାନ୍ତି ଡାକ୍ତର: ରିପୋର୍ଟ ଅପେକ୍ଷାରେ ଗୁରୁତର ରୋଗୀଙ୍କର ଚାଲିଯାଉଛି ଜୀବନ

Published By : Prameya-News7 Bureau | July 15, 2021 IST

ଲକ୍ଷ୍ନୌ ୧୫/୦୭ : ଉତ୍ତର ପ୍ରଦେଶର ବଡ ବଡ ହସ୍ପିଟାଲମାନଙ୍କରେ ସାମିଲ ଲୋହିଆ ସଂସ୍ଥାନ, ପିଜିଆଇ ଓ କେଜିଏମୟୁକୁ ଆସୁଥିବା ଗୁରୁତର ରୋଗୀଙ୍କୁ ତୁରନ୍ତ ଚିକିତ୍ସା କରିବା ବଦଳରେ ହୋଲ୍ଡିଙ୍ଗ ଏରିଆରେ ରଖାଯାଇ ଉପଚାର କରାଯାଉଛି। ଯେପର୍ଯ୍ୟନ୍ତ କୋଭିଡ ରିପୋର୍ଟ ଆସୁନି ଡାକ୍ତର ରୋଗୀଙ୍କୁ ହାତ ମାରୁନାହାନ୍ତି। କୋଭିଡ ରିପୋର୍ଟ ଆସିବା ପୂର୍ବରୁ ରୋଗୀଙ୍କ ଅବସ୍ଥା ଗମ୍ଭୀର ହେଇଯାଉଛି।

ସୋମବାର ଦିନ ଏହିଭଳି ଏକ ମାମଲା ସାମ୍ନାକୁ ଆସିଥିଲା। ୫୫ ବର୍ଷୀୟ ଜଣେ ମହିଳାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଇଥିଲା ଏବଂ ପେଟରେ ଯନ୍ତ୍ରଣା ହେଉଥିଲା। ମହିଳା ଜଣକ ଚିକିତ୍ସା ପାଇଁ ଲୋହିଆ ସଂସ୍ଥାନର ଏମର୍ଜେନ୍ସି ୱାର୍ଡରେ ପହଞ୍ଚିଲେ। ଏମର୍ଜେନ୍ସି ୱାର୍ଡରେ ଥିବା ଡାକ୍ତର ମହିଳାଙ୍କୁ ପ୍ରଥମେ କରୋନା ଯାଞ୍ଚ କରିବାକୁ କହିଥିଲେ। ମହିଳା କରୋନା ଯାଞ୍ଚ ପାଇଁ ଲାଇନରେ ଛିଡା ହେଲେ। ଲାଇନରେ ଥିବା ସମୟରେ ମହିଳାଙ୍କ ଅବସ୍ଥା ଆହୁରି ଖରାପ ହୋଇଗଲା। ଏହାପରେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା।

ଏହି ୩ଟି ହସ୍ପିଟାଲକୁ ଅନ୍ୟ ଜିଲ୍ଲାରୁ ରେଫର ହୋଇଥିବା ରୋଗୀ ମଧ୍ୟ ଚିକିତ୍ସା ପାଇଁ ଆସୁଛନ୍ତି। ରୋଗୀଙ୍କ ନେଗେଟିଭ ରିପୋର୍ଟ ଆସିବା ପୂର୍ବରୁ ଏମାନଙ୍କୁ ହୋଲ୍ଡିଙ୍ଗ ଏରିଆରେ ରଖାଯାଉଛି। ହୋଲ୍ଡିଙ୍ଗ ଏରିଆରେ ରୋଗୀଙ୍କୁ ବେଡ଼ ପାଇବାକୁ ବହୁତ ସମୟ ଲାଗୁଛି। କେଜିଏମୟୁ ପ୍ରବକ୍ତା ଡ.ସୁଧୀର ସିଂହ କହିଛନ୍ତି ଯେ ରୋଗୀଙ୍କୁ ଷ୍ଟ୍ରେଚରରେ ରଖି ହୋଲ୍ଡିଙ୍ଗ ଏରିଆରେ ରଖି ଚିକିତ୍ସା କରାଯାଉଛି। ରୋଗୀଙ୍କ କରୋନା ନେଗେଟିଭ ରିପୋର୍ଟ ଆସିବା ପରେ ତାଙ୍କୁ ୱାର୍ଡକୁ ସ୍ଥାନାନ୍ତର କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.