ଗର୍ଭାବସ୍ଥା ସମୟରେ କରୋନା ସଂକ୍ରମିତ ହୋଇଥିବା ମହିଳାଙ୍କ ଶିଶୁଙ୍କ ମଧ୍ୟରେ ଦେଖାଦେଇଛି ଗମ୍ଭୀର ରୋଗ, ସତର୍କ କରାଇଲେ ଡାକ୍ତର

Published By : Prameya-News7 Bureau | June 05, 2021 IST

ଜବଲପୁର ୦୫/୦୬ : ବିଶ୍ୱ ମହାମାରୀ କରୋନା ସାରା ବିଶ୍ୱରେ ଲୋକଙ୍କୁ ସଂକ୍ରମିତ କରୁଛି । କରୋନା ସଂକ୍ରମଣ ମଧ୍ୟରେ ଅନ୍ୟ ରୋଗ ମଧ୍ୟ ଲୋକଙ୍କ ଆକ୍ରାନ୍ତ କରୁଛି । ଏହାର ପ୍ରଭାବ ନବଜାତ ଶିଶୁମାନଙ୍କ ଉପରେ ମଧ୍ୟ ପଡୁଛି । ପୋଷ୍ଟ କୋଭିଡର ପ୍ରଭାବ ନବଜାତ ଶିଶୁଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଯେଉଁ ମହିଳାମାନେ ଗର୍ଭବତୀ ଥିବା ସମୟରେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଡାକ୍ତରଙ୍କ କହିବାନୁଯାୟୀ, ଗର୍ଭବତୀ ଥିବା ସମୟରେ ଯେଉଁ ମହିଳାମାନେ କରୋନା ସଂକ୍ରମିତ ହୋଇଥିଲେ ସେମାନଙ୍କ ନବଜାତ ଶିଶୁଙ୍କ ମଧ୍ୟରେ ପୋଷ୍ଟ କୋଭିଡର ପ୍ରଭାବ ସ୍ପଷ୍ଟ ନଜର ଆସୁଛି । ଡାକ୍ତରଙ୍କ ଅନୁଯାୟୀ, ଜବଲପୁର ଜିଲ୍ଲା ରେ ୫୦ ଅଧିକ ଶିଶୁଙ୍କ ମଧ୍ୟରେ ଏହିଭଳି ମାମଲା ସାମ୍ନାକୁ ଆସିଛି । ଏହି ଶିଶୁଙ୍କ ମଧ୍ୟରେ ମଲ୍ଟି ସିଷ୍ଟମ ଇନଫ୍ଲାମେଟୋରୀ ସିଣ୍ଡ୍ରୋମ ରୋଗ ଦେଖାଯାଉଛି ।

ଏହି ରୋଗରେ ନବଜାତ ଶିଶୁଙ୍କ ଅନେକ ଅଙ୍ଗ ପ୍ରଭାବିତ ହେଉଛି । ଡାକ୍ତର କହିଛନ୍ତି ଯେ ଏହି ରୋଗ ଯୋଗୁଁ ଶିଶୁଙ୍କ କିଡନୀ, ଲିଭର, ବ୍ରେନ ଉପରେ ପ୍ରଭାବ ପଡୁଛି । ଡାକ୍ତର କହିଛନ୍ତି ଯେ, ଯେଉଁ ଗର୍ଭବତୀ ମହିଳା ଗର୍ଭାବସ୍ଥାର ଶେଷ ମାସରେ କରୋନା ସଂକ୍ରମିତ ହେବାପରେ ଶରୀରରେ ଯେଉଁ ରୋଗ ପ୍ରତିରୋଧକ କ୍ଷମତା ସୃଷ୍ଟି ହୋଇଥିଲା, ସେହି ରୋଗ ପ୍ରତିରୋଧକ କ୍ଷମତା ଯଦି ଶିଶୁଙ୍କ ଶରୀରକୁ ଆବଶ୍ୟକତା ଠାରୁ ଅଧିକ ଚାଲିଯାଏ ତାହେଲେ ସେମାନଙ୍କ ଅଙ୍ଗ ପ୍ରଭାବିତ ହୋଇଥାଏ । ଏହିଭଳି ଶିଶୁଙ୍କର ଅଧିକ ଯତ୍ନ ନେବାକୁ ପଡିଥାଏ । ଦେଶର ଅନେକ ସ୍ଥାନରୁ ଏହିଭଳି ମାମଲା ସାମ୍ନାକୁ ଆସିଛି । ଅନେକ ଶିଶୁ ରୋଗ ବିଶେଷଜ୍ଞ ଏ ସମ୍ବନ୍ଧରେ ରିସର୍ଚ୍ଚ କରୁଛନ୍ତି ।

ଡାକ୍ତରଙ୍କ କବିବାନୁଯାୟୀ, ନବଜାତ ଶିଶୁଙ୍କୁ ମଲ୍ଟି ସିଷ୍ଟମ ଇନଫ୍ଲାମେଟୋରୀ ସିଣ୍ଡ୍ରୋମ ରୋଗରୁ ବଞ୍ଚାଇବାକୁ ଗର୍ଭାବସ୍ଥା ସମୟରେ ଶିଶୁ ରୋଗ ବିଶେଷଜ୍ଞ ସହ ମଧ୍ୟ ପରାମର୍ଶ କରିବା ଉଚିତ ଯେପରି ଗର୍ଭାବସ୍ଥା ସମୟରେ ଶିଶୁର ସଠିକ ଯତ୍ନ ନିଆଯାଇପାରିବ । ଏଥିରୁ ଆଉ ଏକ କଥା ସ୍ପଷ୍ଟ ହୋଇଛି ଯେ, କରୋନା ମହାମାରୀ ଭବିଷ୍ୟତରେ ସମାପ୍ତ ହୋଇଯିବ, କିନ୍ତୁ ଏହାର ପ୍ରଭାବ ଦଶକ ଯାଏଁ ରହିବ । ବର୍ତ୍ତମାନ ସମୟରେ ସଚେତନ ରହିବା ସବୁଠାରୁ ଅଧିକ ଆବଶ୍ୟକ । ବିଶେଷ କରି ଗର୍ଭବତୀ ମହିଳା ଏହି ସମୟରେ ସଚେତନ ରହିବା ଦରକାର । ନଚେତ ବର୍ତ୍ତମାନ ସହ ଦେଶର ଭବିଷ୍ୟତ ମଧ୍ୟ ବିପଦରେ ପଡିଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.