ଡାକ୍ତର ବେଶରେ ସଇତାନ : ହସ୍ପିଟାଲରେ ବେଡ୍ ନଥିଲା, ୨ ରୋଗୀଙ୍କୁ ମାରିଦେଲେ ଡାକ୍ତର, ହ୍ୱାଟସଆପ୍ ଖୋଲିଦେଲା ଗୁମର

Published By : Prameya-News7 Bureau | January 28, 2021 IST

ମିଲାନ,୨୮/୦୧: ହତ୍ୟାକାରୀ ସାଜିଲେ ଡାକ୍ତର । ଘଟାଇଲେ ଲୋମଟାଙ୍କୁରା ହତ୍ୟାକାଣ୍ଡ । ଚିକିତ୍ସା କରୁଥିବା ରୋଗୀଙ୍କୁ ନିଜେ ହିଁ ମାରିଦେଲେ ।  ଇଟାଲୀରେ ପୋଲିସ ଏବେ ଦୁଇ ଜଣ ରୋଗୀଙ୍କୁ ହତ୍ୟା ଅଭିଯୋଗରେ ଜଣେ ଡାକ୍ତରଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ, କାର୍ଲୋ ମୋସକା ନାମରେ ୪୭ ବର୍ଷୀୟ ଡାକ୍ତର ଜଣଙ୍କ କରୋନା ରୋଗୀଙ୍କୁ ଚିକିତ୍ସା କରୁଥିଲେ । ସେ ଚିକିତ୍ସା ପାଇଁ ଲୋମ୍ବାରଡି ସହରରେ ସ୍ଥାପିତ ଏକ ସ୍ୱତନ୍ତ୍ର ୱାର୍ଡ ଦାୟିତ୍ୱରେ ରହିଥିଲେ । ହସ୍ପିଟାଲର ସମସ୍ତ ବେଡ୍ ଭର୍ତ୍ତି ହୋଇଯାଇଥିଲା ।  ସେ ବେଡ୍‌ ଖାଲି କରିବା ଉଦ୍ଦେଶ୍ୟରେ ଦୁଇ ଜଣ ବୟସ୍କ ରୋଗୀଙ୍କୁ ଅଧିକ ମାତ୍ରାରେ ନିଶ୍ଚେତକର ଡୋଜ୍‌ ଦେଇ ମାରିଦେଇଥିଲେ ।

ହତ୍ୟାକାଣ୍ଡର ଶିକାର ହୋଇଥିବା ଦୁଇଜଣ ରୋଗୀ ଦୁଇ ଜଣଙ୍କ ଭିତରୁ ଜଣଙ୍କର ବୟସ ୬୧ ବର୍ଷ ହୋଇଥିଲାବେଳେ ଅନ୍ୟ ଜଣଙ୍କର ବୟସ ୮୦ ବର୍ଷ ଥିଲା । ସେ ଅତି କାଇଦାରେ ରୋଗୀଦ୍ୱୟଙ୍କୁ ମାରି ଦେଇଥିଲେ । ପ୍ରଥମେ ୱାର୍ଡ ଭିତରୁ ଅନ୍ୟ କର୍ମଚାରୀମାନଙ୍କୁ କିଛି ବାହାନାରେ ବାହାରକୁ ଯିବାକୁ କହୁଥିଲେ । ରୋଗୀଙ୍କୁ ମାରିବା ପରେ ନିଜେ ଯେମିତି ଧରା ନପଡିବେ ସେଥିପାଇଁ ସେ ସେମାନଙ୍କ ମେଡିକାଲ ରିପୋର୍ଟକୁ ମଧ୍ୟ ବଦଳାଇ ଦେଉଥିଲେ । କିନ୍ତୁ ହସ୍ପିଟାଲର ଦୁଇ ଜଣ ନର୍ସଙ୍କ ଭିତରେ ହୋଇଥିବା ବାର୍ତ୍ତାଳାପର ରେକର୍ଡିଂରୁ ଏହି ଘଟଣା ସାମ୍ନାକୁ ଆସିଥିଲା । ସେଇ ନର୍ସମାନେ ହ୍ୱାଟ୍ସଆପ୍‌ରେ ଚାଟ୍‌ କରିବା ବେଳେ ସବୁ ସତ ସାମ୍ନାକୁ ଆସିଥିଲା ।

ଗତ ଏପ୍ରିଲ ମାସରେ କେହି ଜଣେ ଅଜ୍ଞାତ ବ୍ୟକ୍ତି ପ୍ରଥମେ ପୋଲିସକୁ ଏସମ୍ପର୍କରେ ସୂଚନା ଦେଇଥିଲା  । ଏହାସହ ହ୍ୱାଟ୍ସଆପ୍‌ ଚାଟର ରେକର୍ଡ ପଠାଇଥିଲା । ଏହାପରେ ପୋଲିସ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏବେ ଆଉ ତିନି ଜଣ ରୋଗୀଙ୍କ ମୃତ୍ୟୁ ପଛରେ ବି ଏହି ଡାକ୍ତରଙ୍କ ଭୂମିକା ଥିବାର ସନ୍ଦେହ କରାଯାଉଛି । ତାଙ୍କୁ ଏବେ ଗିରଫ କରାଯାଇ ପଚରାଉଚୁରା କରାଯାଉଛି । ତେବେ ଅଭିଯୁକ୍ତ ଡାକ୍ତର ସମସ୍ତେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.