ଦୁଇ ଦୁଇଟି ଟିକା ନେଲା ପରେ ବି ଡାକ୍ତର କିଶୋର ଚନ୍ଦ୍ର ସାହୁଙ୍କ କରୋନାରେ ଦେହାନ୍ତ

Published By : Prameya-News7 Bureau | May 22, 2021 IST

ଭୁବନେଶ୍ୱର, ୨୨।୦୫ : ସ୍ବନାମଧନ୍ୟ ଅବସରପ୍ରାପ୍ତ ଭେଷଜ ବିଶେଷଜ୍ଞ ଡାକ୍ତର କିଶୋର ଚନ୍ଦ୍ର ସାହୁଙ୍କର 85 ବର୍ଷ ବୟସରେ ଦେହାନ୍ତ ହୋଇ ଯାଇଛି l ଡାକ୍ତର ସାହୁ କରୋନା ପ୍ରତିରୋଧକ ଦୁଇଟି ଟିକା ନେବା ସତ୍ୱେ କରୋନାରେ ପୀଡିତ ହୋଇ କଟକର ଅଶ୍ୱିନୀ ହସ୍ପିଟାଲରେ ବିଗତ 10 ଦିନ ଧରି ଚିକିତ୍ସାରତ ଅବସ୍ଥାରେ ଚଳିତ ମାସ 20 ତାରିଖ ମଧ୍ୟାହ୍ନ 12 ଘଟିକା 45 ମିନିଟ ସମୟରେ ପରଲୋକ ଗମନ କରିଛନ୍ତି l

ସମ୍ପୂର୍ଣ୍ଣ କରୋନା କଟକଣା ମଧ୍ୟରେ ତାଙ୍କ ପୁତ୍ର ଭବାନୀ ଶଙ୍କର ସାହୁ କଟକଠାରେ ମୁଖାଗ୍ନି ଦେଇଛନ୍ତି l 1936 ମସିହା ନଭେମ୍ବର 25 ତାରିଖରେ କଟକରେ ଜନ୍ମିତ ଡାକ୍ତର ସାହୁ ଭେଷଜ ବିଭାଗରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କଲାପରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ପ୍ରଥମ ଭେଷଜ ବିଶେଷଜ୍ଞ ଭାବରେ ଯୋଗ ଦେଇଥିଲେ l ପରେ ହେଲଥ ସର୍ଭିସେସ ବିଭାଗର ଡାଇରେକ୍ଟର ପଦକୁ ଉନ୍ନୀତ ହୋଇ 1994 ମସିହାରେ କାର୍ଯ୍ୟରୁ ଅବସର ଗ୍ରହଣ କରିଥିଲେ l

ଡାକ୍ତର ସାହୁ ବହୁ ପ୍ରତିଭାର ଅଧିକାରୀ ଥିଲେ l ସେ ହେଲଥ ଏଣ୍ଡ ହସ୍ପିଟାଲ ମ୍ୟାନେଜମେଣ୍ଟ, ମ୍ୟାଟେରିଆଲ ମ୍ୟାନେଜମେଣ୍ଟ, ଅପରେସନ ରିସର୍ଚ୍ଚ, ଫୁଡ କ୍ୱାଲିଟି କଣ୍ଟ୍ରୋଲ, କମ୍ୟୁନିକେସନ ସ୍କିଲ୍ଲସ ଫର ମ୍ୟାନେଜରିଆଲ ଇଫେକଟିଭନେସ ଇତ୍ୟାଦିରେ ଅଭିଜ୍ଞତା ହାସଲ କରିଥିଲେ l ସେ ଲୟନ୍ସ କ୍ଲବର ଚାର୍ଟର ମେମ୍ବର ଥିଲେ l ଷ୍ଟେଟ ଜହନ ଆମ୍ବୁଲାନ୍ସର ପୂର୍ବତନ ଅନ୍ତର୍ଜାତୀୟ ଡିଷ୍ଟ୍ରିକ୍ତ ସର୍ଜନ ଥିଲେ l ଶ୍ରୀ ସାହୁ ବହୁ ବିଶିଷ୍ଟ ସଂସ୍ଥା ଦ୍ୱାରା ବହୁବାର ପୁରସ୍କୃତ ହୋଇ ନିଜ ପାଇଁ ଅନେକ ଯଶ ସାଉଁଟି ପାରିଥିଲେ l ସେ କିମ୍ବଦନ୍ତୀ ପୁରୁଷ ବିଜୁ ବାବୁ ଓ ନିରଞ୍ଜନ ପଟ୍ଟନାୟକଙ୍କର ଘରୋଇ ଡାକ୍ତର ଵି ଥିଲେ l

ଡାକ୍ତର ସାହୁ ତାଙ୍କର ଦେହାନ୍ତ ପର୍ଯ୍ୟନ୍ତ କଂସାରି ସମାଜ ଉନ୍ନୟନ ପରିଷଦର ଆଜୀବନ ତଥା ନିର୍ବିବାଦୀୟ ସଭାପତି ଥିଲେ. ତାଙ୍କ ସଭାପତିତ୍ୱ ସମୟରେ କଂସାରି ଜାତି ପାଇଁ ବହୁ ଉଲ୍ଲେଖନୀୟ କାର୍ଯ୍ୟ ହୋଇ ପାରିଛି. ତାଙ୍କ ନିଜସ୍ୱ ପରିବାର ବ୍ୟତୀତ ସମଗ୍ର ଓଡିଶାର କଂସାରି ସମାଜ ତାଙ୍କ ପରିବାର ଥିଲା l ଡାକ୍ତର ସାହୁଙ୍କ ମୃତ୍ୟୁରେ ସମଗ୍ର କଂସାରି ଜାତି ଶୋକାଭିଭୂତ ହୋଇ ପଡିଛି l ଗତକାଲି ସନ୍ଧ୍ୟା 7 ଘଟିକା 30 ମିନିଟ ସମୟରେ ଓଡ଼ିଶା କଂସାରି ଜାତି ପକ୍ଷରୁ ତାଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.