ଡାକ୍ତରଙ୍କୁ ଅପହରଣ କରି ଦାବି କଲେ ୨୦ ଲକ୍ଷ, ପତ୍ନୀ ଟଙ୍କା ନେଇ ପହଞ୍ଚିବା ବେଳେ ଡାକ୍ତର ଘରେ

Published By : Prameya-News7 Bureau | February 01, 2021 IST

ଲକ୍ଷ୍ନୌ ୦୧/୦୨ : ଉତ୍ତରପ୍ରଦେଶ ଅଲିଗଡ଼ରୁ ଜଣେ ହୋମିଓପାଥି ଡାକ୍ତରଙ୍କୁ ଅପହରଣ କରାଯାଇଥିଲା। ୨୦ ଲକ୍ଷ ଟଙ୍କା ପାଇଁ ଡାକ୍ତରଙ୍କୁ ଅପହରଣ କରାଯାଇଥିଲା। ତେବେ ଡାକ୍ତରଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। କିନ୍ତୁ ଅପରାଧୀଙ୍କର ପତ୍ତା ମିଳିନାହିଁ। ପୋଲିସକୁ ଏହି ମାମଲାରେ ଅନେକ ପ୍ରମାଣ ମିଳିଛି। ଏହାକୁ ଆଧାର କରି ପୋଲିସ ଅପରାଧୀଙ୍କୁ ଖୋଜୁଛି। ଅଲିଗଡ଼ ଏସପି କୁଲଦୀପ ଗୁଣବନ୍ତ କହିଛନ୍ତି ଯେ ଡାକ୍ତର ସକୁଶଳ ନିଜ ଘରେ ପହଞ୍ଚି ଯାଇଛନ୍ତି। ସେ କହିଛନ୍ତି ଯେ ଡାକ୍ତରଙ୍କୁ ମୁକ୍ତ କରିବାକୁ ଅପହରଣକାରୀ ୨୦ ଲକ୍ଷ ଟଙ୍କା ଦାବି କରିଥିଲେ।

ସୂଚନା ଅନୁଯାୟୀ, କ୍ୱାର୍ସୀ ଅଞ୍ଚଳରେ ହୋମିଓପାଥି ଡାକ୍ତର ଶୈଳେନ୍ଦ୍ର ନିଜର କ୍ଲିନିକ ଚଳାନ୍ତି। ଜାନୁଆରୀ ୨୮ ତାରିଖ ସକାଳେ ତାଙ୍କୁ ଅପହରଣ କରାଯାଇଥିଲା। ଅପହରଣର କିଛି ସମୟରେ ଅପହରଣକାରୀ ଡାକ୍ତରଙ୍କ ପତ୍ନୀଙ୍କୁ ଫୋନ କରି ୨୦ ଲକ୍ଷ ଟଙ୍କା ଦାବି କରିଥିଲେ। ଘଟଣା ସମ୍ପର୍କରେ ପୋଲିସ ସୂଚନା ପାଇବା ପରେ ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତରେ ପୋଲିସ ଜାଣିବାକୁ ପାଇଥିଲା ଯେ ଡାକ୍ତରଙ୍କୁ କାଶଗଞ୍ଜର କଟରି ଅଞ୍ଚଳରେ ରଖାଯାଇଛି। ଏହାପରେ ପୋଲିସର ଅଲଗା ଅଲଗା ଟିମ ଡାକ୍ତରଙ୍କୁ ଉଦ୍ଧାର ପାଇଁ ଯୋଜନା କରିଥିଲେ।

ପୋଲିସ ତଦନ୍ତ ସମ୍ବନ୍ଧରେ ଜାଣିବା ପରେ ଅପହରଣକାରୀ ଭୟଭୀତ ହୋଇଯାଇଥିଲେ। ଡାକ୍ତରଙ୍କୁ ରାତିରେ ସେମାନେ କଟରି ବାହାରେ ଆଣି ଛାଡିଦେଇଥିଲେ ଓ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୋଲିସ କହିଛି ଡାକ୍ତର ନିଜେ ମୁକ୍ତ ହୋଇ ଘରେ ପହଞ୍ଚି ଯାଇଥିଲେ ଓ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଡାକ୍ତରଙ୍କୁ ଅପହରଣକାରୀଙ୍କ ସମ୍ବନ୍ଧରେ ପଚରାଉଚୁରା କରୁଛି।

ସୂଚନାଯୋଗ୍ୟ ଯେ, ଅପହରଣକାରୀ ଡାକ୍ତରଙ୍କ ପତ୍ନୀଙ୍କୁ ଟଙ୍କା ସହ ନୋଏଡାକୁ ଡାକିଥିଲେ। ପତ୍ନୀ ଗ୍ରେଟର ନୋଏଡା ପରି ଛକରେ ଟଙ୍କା  ନେଇ ପହଞ୍ଚି ଯାଇଥିଲେ। ପୋଲିସ ମଧ୍ୟ ସେଠାରେ ଜାଲ ବିଛାଇ ଥିଲା। କିନ୍ତୁ ଟଙ୍କା ନେବା ପାଇଁ ସେଠାକୁ କେହି ଆସିନଥିଲେ। ଠିକ ସେତିକିବେଳେ ଖବର ମିଳିଥିଲା ଯେ ଡାକ୍ତର ସକୁଶଳ ଘରେ ପହଞ୍ଚି ଯାଇଛନ୍ତି।

ଅପହରଣର ଏହି ପୁରା ଘଟଣାକ୍ରମ ୬୦ ଘଣ୍ଟା ଚାଲିଥିଲା। ତେବେ ଟଙ୍କା ନ ନେଇ ଅପହରଣକାରୀ ଡାକ୍ତରଙ୍କୁ କିଭଳି ଛାଡିଦେଲେ ତାକୁ ନେଇ ତଦନ୍ତ ଚାଲିଛି। ଅପହରଣ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ତେବେ ଅପରାଧୀ ଧରାପଡ଼ିବା ପରେ ମାମଲା ସାମ୍ନାକୁ ଆସିବ ବୋଲି ପୋଲିସ କହିଛି। ପୋଲିସ ଅପରାଧୀଙ୍କୁ ଖୋଜୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.