ଦେଶରେ ପ୍ରଥମ: କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଲେ ଇନ୍ଦୋର ଡାକ୍ତର
9/04/2020 at 12:41 PM

ଭୋପାଳ, ୦୯|୦୪: କରୋନା ଭାଇରସ ସଂକ୍ରମଣରେ ଦେଶରେ ଜଣେ ଡାକ୍ତର ପ୍ରାଣ ହରାଇଛନ୍ତି ।ଏହା ହେଉଛି କରୋନା କୌଣସି ଡାକ୍ତରଙ୍କ ଜୀବନ ନେଇଥିବା ଦେଶରେ ପ୍ରଥମ ଘଟଣା । ମଧ୍ୟପ୍ରଦେଶ ଇନ୍ଦୋରରେ ରହୁଥିବା ଡାକ୍ତର ଶତ୍ରୁଘ୍ନ ପଞ୍ଜବାନୀ କୋଭିଡ-୧୯ ପାଇଁ ପ୍ରାଣ ହରାଇଛନ୍ତି ।
ସୂଚନାନୁସାରେ, ଡାକ୍ତର ଶତ୍ରୁଘ୍ନ ଗୁରୁବାର ସକାଳ ୪ଟାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ କରୋନା ସଂକ୍ରମିତଙ୍କ ଚିକିତ୍ସା କରୁନଥିଲେ ।କିନ୍ତୁ ସେ ନିୟମିତ ଭାବେ କେଉଁ କୋଭିଡ-୧୯ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସୁଥିଲେ । କିଛିଦିନ ପୂର୍ବରୁ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ।
ପ୍ରଥମେ ତାଙ୍କର ଚିକିତ୍ସା ଗୋକୁଳଦାସ ମେଡିକାଲ ଓ ପରେ ସିଏଲଏଲରେ ଚାଲୁଥିଲା । ଏହାପରେ ତାଙ୍କୁ ଅରବିନ୍ଦ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଗୁରୁବାର ସକାଳେ ସେ ପ୍ରାଣ ହରାଇଛନ୍ତି । ସେ ଇନ୍ଦୋରର ରୂପରାମ ନଗରରେ ରହୁଥିଲେ ।
ମଧ୍ୟପ୍ରଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦୪ରେ ପହଁଚିଛି । ଏହାସହ ୩୦ରୁ ଅଧିକ ପ୍ରାଣ ହରାଇଛନ୍ତି । କେବଳ ଇନ୍ଦୋରରେ ୨୧୩ଟି ପଜିଟିଭ ମାମଲା ସାମ୍ନାକୁ ଆସିଛି । ଏହା ମଧ୍ୟରୁ ୨୧ଜଣ ପ୍ରାଣ ହରାଇଛନ୍ତି । ସେହିପରି ୧୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।