ରୋଗୀଙ୍କ ମୁହଁରେ ଲାଗିଥିଲା ବିନା ପାଇପ୍‌ର ଅକ୍ସିଜେନ୍‌ ମାସ୍କ, ଛଟପଟ ହୋଇ ଚାଲିଗଲା ପ୍ରାଣ, ସ୍ବାମୀର ମୃତ୍ୟୁ ପରେ ପ୍ରାଣ ହରାଇଲା ସ୍ତ୍ରୀ

Published By : Prameya-News7 Bureau | April 18, 2021 IST

ଭୋପାଳ ୧୮/୪: କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ହସ୍ପିଟାଲରେ ହେଉଥିବା ଅବ୍ୟବସ୍ଥା ନେଇ ଖବର ମିଳିଲାଣି। ଆକ୍ରାନ୍ତଙ୍କୁ ବେଡ୍‌ ମିଳୁନି ତ ପୁଣି କେଉଁଠି ଚିକିତ୍ସାର ଚିତ୍ର ବଦଳିଯାଇଛି। ମଧ୍ୟପ୍ରଦେଶର ରତଲାମ ମେଡିକାଲ କଲେଜ୍‌ରେ ଟିକିଏ ଭୁଲ ପାଇଁ ଜଣେ ବୃଦ୍ଧଙ୍କ ଜୀବନ ଯାଇଛି। ଆଇସିୟୁରେ ଭର୍ତ୍ତି ହୋଇଥିବା ବୃଦ୍ଧଙ୍କୁ ଅକ୍ସିଜେନ୍‌ ମାସ୍କ ତ ପିନ୍ଧାଇ ଦିଆଗଲା କିନ୍ତୁ ଅକ୍ସିଜେନ୍‌ ସପ୍ଲାଏ କରୁଥିବା ପାଇପ୍‌ ଲାଗିନଥିଲା। ଅକ୍ସିଜେନ୍‌ ନମିଳିବାରୁ ବୃଦ୍ଧଙ୍କ ମୃତ୍ୟୁ ହୋଇଯାଇଛି। ସ୍ବାମୀଙ୍କ ମୃତ୍ୟୁ ଦେଖିବା ପରେ ଦୁଃଖରେ କିଛି ସମୟ ପରେ ସ୍ତ୍ରୀ ବି ଆଖିବୁଜିଲେ।

ରତଲାମ ମେଡିକାଲ କଲେଜରେ ଶୁକ୍ରବାର ଅକ୍ସିଜେନ୍‌ ପାଇପ୍‌ ନଲଗାଇବାରୁ ବୃଦ୍ଧ ରାଜ କୁମାର ଦିକ୍ଷିତଙ୍କ ମୃତ୍ୟୁ ହୋଇଛି। ପାଖ ବେଡ୍‌ରେ ଥିବା ତାଙ୍କ ପତ୍ନୀଙ୍କ ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ଥିଲା। କିନ୍ତୁ ସ୍ବାମୀଙ୍କୁ ଛଟପଟ ହୋଇ ମୃତ୍ୟୁବରଣ କରିବା ଦେଖିବା ପରେ କୌଣସି ପ୍ରକାର ଫୋନ୍‌ ମାଧ୍ୟମରେ ନିଜ ଝିଅକୁ ଏନେଇ କହିଥିଲେ ବୃଦ୍ଧା। କିଛି ସହାୟତା ମିଳିବା ପୂର୍ବରୁ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା। ସ୍ବାମୀଙ୍କ ମୃତ୍ୟୁ ହେବା ଦେଖି ଦୁଃଖରେ କିଛି ସମୟ ପରେ ବୃଦ୍ଧାଙ୍କ ଜୀବନ ଚାଲିଗଲା।

ରାଜକୁମାରଙ୍କୁ ଲାଗିଥିବା ବିନା ପାଇପ୍‌ ମାସ୍କର ଭିଡିଓ ଏବେ ଭାଇରାଲ୍‌ ହେଉଛି। ରତଲାମ ମେଡିକାଲ କଲେଜ୍‌ରେ କିଭଳି ଭାବେ ଚିକିତ୍ସା ହେଉଛି ସେନେଇ ଲୋକେ ମଧ୍ୟ ପ୍ରଶ୍ନ କରୁଛନ୍ତି। ଭିଡିଓରୁ ଦେଖିବାକୁ ମିଳିଛି ରୋଗୀଙ୍କ ସହାୟତା ପାଇଁ ପାଖରେ କୌଣସି ଡାକ୍ତର କିମ୍ବା ନର୍ସ ଉପସ୍ଥିତ ନଥିଲେ। ବୃଦ୍ଧ ଜଣଙ୍କ ହସ୍ପିଟାଲ ବେଡ୍‌ରେ ୭ ଦିନ ହେବ ପଡ଼ିରହିଥିଲେ ହେଁ ହସ୍ପିଟାଲର ଡାକ୍ତର ତାଙ୍କର ଆରଟିପିସିଆର ଟେଷ୍ଟ କରିବାକୁ ନେଇ ତତ୍ପରତା ପ୍ରକାଶ କରିନଥିବା ଅଭିଯୋଗ ହୋଇଛି। ମୃତକଙ୍କ ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବିନା ପାଇପ୍‌ର ଅକ୍ସିଜେନ୍‌ ମାସ୍କ ରାଜ କୁମାରଙ୍କ ଠାରେ ପ୍ରାୟ ୩ ଘଣ୍ଟା ଲାଗିଥିଲା। ୩ ଘଣ୍ଟା ଛଟପଟ ହେବା ପରେ ଜୀବନ ହରାଇଥିଲେ ବୃଦ୍ଧ। ଏନେଇ ନିଜ ଝିଅଙ୍କୁ ମୃତ୍ୟୁ ପୂର୍ବରୁ ଫୋନ୍‌ରେ କହିଥିଲେ ରାଜ କୁମାରଙ୍କ ପତ୍ନୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.