ରୋଗୀ ସେବା ବଦଳରେ ରୋଗୀଙ୍କୁ ଡାକ୍ତର ମାଡ ମାରିଥିବା ଅଭିଯୋଗ
30/11/2019 at 11:43 AM

କାଲିମେଳା ୩୦।୧୧: ରୋଗୀଙ୍କୁ ସେବା ଯୋଗାଇବା ବଦଳରେ ଡାକ୍ତର ରୋଗୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଏପରି ଅଭିଯୋଗ ଆସିଛି ।

ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲା କାଲିମେଳା ସରକାରୀ ଉଚ୍ଚବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଜ୍ୟୋସ୍ନା ନାୟକ କୌଣସି ଏକ କାରଣରୁ ମୁଣ୍ଡ ବୁଲାଇ ପଡିଯାଇଥିଲେ l ସ୍କୁଲ ଶିକ୍ଷକ ଏବଂ କିଛି ସହପାଠୀମାନେ ତାଙ୍କୁ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ମୁକ୍ତିକାନ୍ତ ମଲ୍ଲିକ ପ୍ରଥମେ ସମସ୍ତଙ୍କୁ ବାହାରକୁ ଯିବାକୁ କହିଥିଲେ, ପରେ ଜ୍ୟୋସ୍ନାଙ୍କ ଆଖି, ନାକ ଓ ପାଟିରେ କୌଣସି ଏକ ଔଷଧ ଢାଳି ଦେଇଥିଲେ । ଛାତ୍ରୀ ଜଣକ ପାଟି କରିବାରୁ ତାଙ୍କ ମୁହଁରେ କପଡା ପୁରେଇ ଦେଇ ନିର୍ଧୁମ ମାଡ ମାରିଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି । ଜଣେ ଡାକ୍ତରଙ୍କ ଏଭଳି ରୋଗୀ ସେବାକୁ ନେଇ ସମଗ୍ର ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଡାକ୍ତରଙ୍କୁ ତୁରନ୍ତ ବଦଳି ଦାବି କରାଯାଇଛି ।