Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଜଗା-ବଳିଆଙ୍କ ଅସ୍ତ୍ରୋପଚାର ଲିମ୍‌କା ବୁକ୍ ରେକର୍ଡରେ ସ୍ଥାନ ପାଇବା ପରେ ଡାକ୍ତର ଅଶୋକ ମହାପାତ୍ର ବଖାଣିଲେ ବିରଳ ଅନୁଭୂତି

12/11/2019 at 4:36 PM

ଭୁବନେଶ୍ବର ୧୨।୧୧: କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କୁ ୨୦୧୭ ଜୁଲାଇ ମାସରେ ଜଟିଳ ଅସ୍ତ୍ରୋପଚାର ପରେ ଅଲଗା କରାଯିବା ଘଟଣା ଏବେ ୨୦୨୦ ଲିମକା ବୁକ୍ ରେକର୍ଡରେ ସ୍ଥାନ ପାଇଛି। ଏନେଇ ଲିମକା ବୁକ୍ ଅଫ୍ ରେକର୍ଡସ ଅଧିକାରୀଙ୍କ ପକ୍ଷରୁ ନିଶ୍ଚିତ କରାଯାଇଛି।

ଏମ୍ସର ନ୍ୟୁରୋ ସର୍ଜରି ବିଭାଗରେ ଡାକ୍ତର ଦୀପକ ଗୁପ୍ତା ଓ ଡାକ୍ତର ଅଶୋକ ମହାପାତ୍ରଙ୍କ ନେତୃତ୍ବରେ ୧୨୫ଜଣ ଡାକ୍ତର ଓ ପାରାମେଡିକାଲ ଟିମଙ୍କ ଦ୍ବାରା ଏହି ଜଟିଳ ଅସ୍ତ୍ରୋପଚାର କରାଯାଇଥିଲା। ଦୁଇଟି ପର୍ଯ୍ୟାୟରେ ଏହାର ଅସ୍ତ୍ରୋପଚାର  କରାଯାଇଥିଲା। ପ୍ରଥମ ଅସ୍ତ୍ରୋପଚାର ଅଗଷ୍ଟ ୨୮, ୨୦୧୭ ଓ  ଦ୍ବିତୀୟ ଅସ୍ତ୍ରୋପଚାର ୨୫ ଅକ୍ଟୋବର ୨୦୧୭ରେ କରାଯାଇଥିଲା।   ଦିଲ୍ଲୀ ଏମ୍ସରୁ ଡିସଚାର୍ଜ ହେବା ପରେ ଏବେ ଓଡିଶାର ଏସସିବିରେ ଜଗା-ବଳିଆଙ୍କ  ଚିକିତ୍ସା ଜାରି ରହିଛି ।

ଏହି ସଫଳତା ପରେ ଆଜି ଏମ୍ସର ତତ୍କାଳୀନ ନିର୍ଦ୍ଦେଶକ ତଥା ଯାହା ନେତୃତ୍ବରେ ଜଗା-ବଳିଆଙ୍କ ସଫଳ ଅସ୍ତ୍ରୋପଚାର ସମ୍ଭବ ହୋଇଥିଲା ଡକ୍ଟର ଅଶୋକ ମହାପାତ୍ର ଆଜି ସାମ୍ବାଦିକ ସମ୍ମିଳନୀରେ ତାଙ୍କ ଅନୁଭୂତି ବାଣ୍ଟିଛନ୍ତି । ଏହି ସଫଳତା ପାଇଁ ସେ ଏମ୍ସ, ରାଜ୍ୟ ସରକାର ଏବଂ ସର୍ବୋପରି ଓଡିଶାର ଜନସାଧାରଣକୁ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରିଛନ୍ତି । ସେ କହିଛନ୍ତି ଯେ, ଏମ୍ସରେ ଡାକ୍ତରମାନେ ଜଗା ବଳିଆଙ୍କ ଚିକିତ୍ସା କଲେ ସତ କିନ୍ତୁ ରାଜ୍ୟର ଲକ୍ଷ ଲକ୍ଷ ଜନସାଧାରଣ ଜଗନ୍ନାଥଙ୍କ ନିକଟରେ ଦୀପ ଜାଳି ସେମାନଙ୍କ ଆରୋଗ୍ୟ କାମନା କରୁଥିଲେ । ଏହା ହିଁ ସେମାନଙ୍କୁ ଆରୋଗ୍ୟ କରିଛି ।

ଜଗା-ବଳିଆଙ୍କ ଚିକିତ୍ସା  ପାଇଁ ରାଜ୍ୟ ସରକାର ଦେଢ କୋଟି ଟଙ୍କା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଜଗା ବଳିଆ ଏମ୍ସରେ ଭର୍ତ୍ତି ହେବାର ଦୁଇ ଦିନ ଭିତରେ କୋଟିଏ ଟଙ୍କା ଦାଖଲ କରି ବିରଳ ଉଦାହରଣ ସୃଷ୍ଟି କରିଥିଲେ । କୌଣସି ରାଜ୍ୟ ସରକାରଙ୍କ କ୍ଷେତ୍ରରେ ଏଭଳି ପଦକ୍ଷେପ ଅଦ୍ବିତୀୟ ବୋଲି ଡାକ୍ତର ମହାପାତ୍ର କହିଛନ୍ତି । ସମଗ୍ର ବିଶ୍ବରେ ଏଭଳି ଅସ୍ତ୍ରୋପଚାର ୧୨ଟିରୁ ୧୩ଟି ହୋଇଥିଲେ ମଧ୍ୟ ଶତପ୍ରତିଶତ ସଫଳତା କେବଳ ଜଗା ବଳିଆଙ୍କ କ୍ଷେତ୍ରରେ ସମ୍ଭବ ହୋଇପାରିଛି ।

ଏହି ଅସ୍ତ୍ରୋପଚାର ପାଇଁ ଓ୍ବାଶିଂଟନର ଡାକ୍ତର ଜେମ୍ସ ଗୁଡରିଚ୍ ଟେଲିଫୋନ୍, ଇମେଲ୍ ଓ ଭିଡିଓ କନଫରେନ୍ସିଂ ଜରିଆରେ ସହାୟତା ପ୍ରଦାନ କରିଥିଲେ । ସେହିଭଳି କେପଟାଉନ୍ ରେ ଥିବା ଡାକ୍ତର ଗ୍ରାମ୍ ଫିଗାନ ଏବଂ ସିଙ୍ଗାପୁରର ଡାକ୍ତର ପ୍ରଫେସର ଗୋଙ୍କଠୁ ମଧ୍ୟ ଏମ୍ସ ପରାମର୍ଶ ନେଇଥିଲା । ଏମ୍ସରେ ଭର୍ତ୍ତି ହେବା ବେଳକୁ ଜଗା ବଳିଆଙ୍କୁ ଅଢେଇ ବର୍ଷ ବୟସ ହୋଇଥିଲା । ତେବେ ଅଢେଇ ବର୍ଷ ଛୁଆଙ୍କ ଯାହା ଓଜନ ରହିବା କଥା ତାହା ସେମାନଙ୍କର ନଥିଲା । ଯାହା ଫଳରେ ଅସ୍ତ୍ରୋପଚାର ପାଇଁ ପଦକ୍ଷେପ ନେବା କଠିନ ବ୍ୟାପାର ଥିଲା । ତେବେ ଏମ୍ସରେ ସେମାନଙ୍କୁ ରଖି ସେମାନଙ୍କ ସର୍ବାଙ୍ଗୀନ ଚିକିତ୍ସା ଓ ପରୀକ୍ଷା କରାଯାଇଥିଲା ।

ଡାକ୍ତର ମହାପାତ୍ର କହିଛନ୍ତି ଯେ, ଭାରତରେ ଏଭଳି ଅସ୍ତ୍ରୋପଚାର ୨୦୧୧ ମସିହାରେ ତ୍ରିବେନ୍ଦ୍ରମ୍ ହସ୍ପିଟାଲରେ  କରାଯାଇଥିଲା । କିନ୍ତୁ ଅସ୍ତ୍ରୋପଚାର ବେଳେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ଜଗା ବଳିଆଙ୍କ ଅସ୍ତ୍ରୋପଚାର ପୂର୍ବରୁ ୩ଥର ଅସ୍ତ୍ରୋପଚାରର ଡ୍ରାଏ ରନ୍ କରାଯାଇଥିଲା । ତାପରେ ଯାଇ ଚୂଡାନ୍ତ ଅସ୍ତ୍ରୋପଚାର ଦୁଇଟି ପର୍ଯ୍ୟାୟରେ ହୋଇଥିଲା । ବାହରେ ଥିବା ନ୍ୟୁରୋ ସର୍ଜନମାନଙ୍କଠାରୁ ପରାମର୍ଶ ନେବା ଲାଗି ଜଗା ବଳିଆଙ୍କ ୪ଟି ଥ୍ରୀ-ଡି ମଡେଲ ପ୍ରସ୍ତୁତ କରାଯାଇଥିଲା ।  ଏହି ମଡେଲ ବାବଦରେ ଦୁଇରୁ ତିନି ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଥିଲା । ଜଗା ବଳିଆ ଦୁଇ ଜଣଙ୍କ ମଧ୍ୟରୁ ଜଗା ଅପେକ୍ଷାକୃତ ସ୍ବାସ୍ଥ୍ୟବାନ୍ ହୋଇଥିବା ବେଳେ ବଳିଆ ସାମାନ୍ୟ ଦୁର୍ବଳ ଥିବାରୁ ତାର ଅସ୍ତ୍ରୋପଚାର ଅଧିକ ଜଟିଳ ଥିଲା ।

ଅସ୍ତ୍ରୋପଚାର ପୂର୍ବରୁ ଜଗାର ଅସ୍ତ୍ରୋପଚାର ସଫଳତା ସମ୍ଭାବନା ୨୫ ପ୍ରତିଶତ ଥିବା ବେଳେ ବଳିଆର ୨୦ ପ୍ରତିଶତ ସଫଳତା ସମ୍ଭାବନା ଥିଲା । ତେବେ ଏମ୍ସର ଦକ୍ଷ ଡାକ୍ତର ଦଳ ଅସମ୍ଭବକୁ ସମ୍ଭବ କରିବାରେ ସଫଳ ହୋଇଛନ୍ତି । ତେଣୁ ଯେକୌଣସି ରେକର୍ଡର ଶ୍ରେୟ ପାଇଁ ସେମାନେ ହକଦାର ବୋଲି ଡାକ୍ତର ମହାପାତ୍ର କହିବା ସହ ଅଭିନନ୍ଦନ ଜଣାଇଛନ୍ତି । ଡାକ୍ତର ଅଶୋକ ମାହାପାତ୍ର ଦିଲ୍ଲୀ ଏମ୍ସ ପରେ ଭୁବନେଶ୍ବର ଏମ୍ସର ନିର୍ଦ୍ଦେଶକ ଭାବେ ବଦଳି ହୋଇ ଆସିଥିଲେ । ଅବସର ନେବା ପରେ ସେ ସମ୍ ହସ୍ପିଟାଲ ସହ ସଂପୃକ୍ତ ଅଛନ୍ତି । ଆଜି ସୋଆ ବିଶ୍ବ ବିଦ୍ୟାଳୟଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଏବେ କଟକ ଏସସିବିରେ ଜଗା ବଳିଆ ଚିକିତ୍ସିତ ହେଉଥିଲେ ମଧ୍ୟ ସେମାନଙ୍କ ଟିକିନିଖି ସ୍ବାସ୍ଥ୍ୟ ଖବର ସେ ବ୍ୟକ୍ତିଗତସ୍ତରରେ ରଖିଥାଆନ୍ତି ।  

   Related Posts