ଭାରତୀୟ ସ୍ଥଳ ବାହିନୀ, ଜଳ ବାହିନୀ ଓ ବାୟୁସେନାର ସାଲ୍ୟୁଟ ପୋଜିସନ ଅଲଗା ଅଲଗା, ଜାଣନ୍ତୁ କାହିଁକି

Published By : Prameya-News7 Bureau | August 15, 2019 IST

ନୂଆଦିଲ୍ଲୀ୧୫|୮: ଲାଲ କିଲ୍ଲାରେ ୭୩ତମ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରତି ବର୍ଷଭଳି ଏବର୍ଷ ମଧ୍ୟ ସ୍ବାଧୀନତା  ଦିବସରେ ମୋଦିଙ୍କ ଭାଷଣକୁ ନେଇ ବହୁ ଚର୍ଚ୍ଚା ହୋଇଛି। ସ୍ବାଧୀନତା ଦିବସରେ ତ୍ରିରଙ୍ଗା ପତାକା ଉତ୍ତୋଳନ ସମୟରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା।

 ଏହି ସମୟରେ ଭାରତୀୟ ତ୍ରିରଙ୍ଗା ପତାକାକୁ ଯବାନଙ୍କଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସାଲ୍ୟୁଟ ମାରିଥିଲେ। ପିଏମ ମୋଦିଙ୍କ  ସାଲ୍ୟୁଟ ଭାରତୀୟ ଜଳ ବାହିନୀର ଯବାନଙ୍କ ସାଲ୍ୟୁଟ ଭଳି ଥିଲା।

 ସ୍ବାଧୀନତା ଦିବସ ଅବସରରେ ନରେନ୍ଦ୍ର ମୋଦି ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ ଅଲଗା ଅଲଗା ସେନାବାହିନୀଙ୍କ ସାଲ୍ୟୁଟ ମାଧ୍ୟମରେ ତ୍ରିରଙ୍ଗା ପତାକାକୁ ସମ୍ମାନ ଦେଇଥିଲେ। ଉଲ୍ଲେଖନୀୟ ଯେ, ଭାରତ ପାଖରେ ସ୍ଥଳ ବାହିନୀ, ଜଳ ବାହିନୀ ଓ ବାୟୁସେନା ଭଳି ତିନୋଟି ଦକ୍ଷ ସେନା ବାହିନୀ ରହିଛି। ଏହି ତିନୋଟି ବାହିନୀଙ୍କ ସାଲ୍ୟୁଟ ମଧ୍ୟ ଅଲଗା ଅଲଗା ହୋଇଥାଏ।

ଭାରତୀୟ ସ୍ଥଳ ବାହିନୀ-  ସ୍ଥଳ ବାହିନୀର ଅଫିସର ଓ ଯବାନମାନେ ଖୋଲା ପୋଜ୍‌ରେ ଡାହାଣ ହାତରେ ସାଲ୍ୟୁଟ କରିଥାନ୍ତି। ସାଲ୍ୟୁଟ ମାରିବା ସମୟରେ ଆଙ୍ଗୁଳି ସବୁ ଲାଗି ଲାଗି ରହିଥାଏ। ସ୍ଥଳ ବାହିନୀର ଯବାନ ସାଲ୍ୟୁଟ ମାରିବା ସମୟରେ ପାପୁଲିର ଆଙ୍ଗୁଳି ସବୁ ସାମ୍ନାକୁ ଦେଖାଯାଇଥାଏ।

ଭାରତୀୟ ଜଳ ବାହିନୀ- ଭାରତୀୟ ଜଳ ବାହିନୀ ବା ନେଭିର ଯବାନମାନେ ସାଲ୍ୟୁଟ ପାଇଁ ହାତ ପାପୁଲିର ସାହାଯ୍ୟ ନେଇଥାନ୍ତି। ହାତ ପାପୁଲିକୁ ମୁଣ୍ଡରୁ କିଛି ଦୂରରେ ରଖି ସାଲ୍ୟୁଟ କରିଥାନ୍ତି। ଏହି ସମୟରେ  ହାତ ପାପୁଲି ଓ ଭୂମି ଭିତରେ ୯୦ ଡିଗ୍ରୀ କୋଣ ସୃଷ୍ଟି ହୋଇଥାଏ। ଜଳ ବାହିନୀରେ କାର୍ଯ୍ୟ କରୁଥିବା ନାବିକମାନଙ୍କ ହାତରେ ଲାଗିଥିବା ଗ୍ରୀସ ଓ ଅପରିଚ୍ଛନ୍ନତାକୁ ଲୁଚାଇବାକୁ ଏହିଭଳି ସାଲ୍ୟୁଟ ବ୍ୟବହାର କରାଯାଇଥାଏ।

ଭାରତୀୟ ବାୟୁସେନା- ୨୦୦୬ ମସିହ ମାର୍ଚ୍ଚ ମାସରେ ଏୟାର ଫୋର୍ସ  ପାଇଁ ନୂଆ ସାଲ୍ୟୁଟ ଫର୍ମାଟ ଅଣାଯାଇଥିଲା। ଏୟାରଫୋର୍ସର ଯବାନମାନେ ସାଲ୍ୟୁଟ ମାରିବା ସମୟରେ ହାତ ପାପୁଲି ଓ ଭୂମି ଭିତରେ ୪୫ ଡିଗ୍ରୀ କୋଣ ସୃଷ୍ଟି ହୋଇଥାଏ। ପୂର୍ବରୁ ଏୟାରଫୋର୍ସର ସାଲ୍ୟୁଟ ତାରିକା ଆର୍ମି ଯବାନଙ୍କ ଭଳି ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.