ଉନ୍ନାଓ ପୀଡ଼ିତାଙ୍କ ଶେଷକଥା, ''ମୋତେ ନ୍ୟାୟ ଦରକାର, ଭାଇ ସେମାନଙ୍କୁ ଛାଡ଼ିବୁ ନାହିଁ’’

Published By : Prameya-News7 Bureau | December 07, 2019 IST

ନୂଆଦିଲ୍ଲୀ ୦୭।୧୨ – ଉନ୍ନାଓ ଗଣ ଦୁଷ୍କର୍ମ ପୀଡିତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ନୂଆଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଛି । ପୀଡିତାଙ୍କୁ ବିମାନ ଯୋଗେ ଲକ୍ଷ୍ମୌରୁ ନୂଆଦିଲ୍ଲୀ ଅଣାଯାଇଥିଲା । ତାଙ୍କର ଶରୀରର ୯୫ ପ୍ରତିଶତ ଜଳିଯାଇଥିଲା। ଡାକ୍ତରଙ୍କ କହିବାନୁସାରେ ରାତି ୧୧.୧୦ରେ ତାଙ୍କର ହୃଦଘାତ ହୋଇଥିଲା। ଦୀର୍ଘ ୪୪ ଘଣ୍ଟାର ସଂଘର୍ଷ ପରେ ଆଖି ବୁଜିଲେ ଉନ୍ନାଓ ଦୁଷ୍କର୍ମ ପୀଡ଼ିତା।

ମୃତ୍ୟୁଠୁ ବେଶୀ ବେଦନା ଦାୟକ ଶେଷ ସମୟ ପୂର୍ବରୁ ନ୍ୟାୟ ପାଇଁ ତାଙ୍କ ଆକୁଳ ନିବେଦନ। ପୀଡ଼ିତା ଶେଷ ସମୟରେ ନ୍ୟାୟ ମାଗିଥିଲେ। ସେ କହିଥିଲେ ଯେ ‘ମୋ ସହ ଏଭଳି ଯିଏ କରିଛି ତାକୁ କଠୋର୍ ଦଣ୍ଡ ମିଳିବା ଉଚିତ୍‌’। ଶେଷ ସମୟରେ ପୀଡ଼ିତା କହିଥିଲେ ଯେ ମୁଁ ମରିବାକୁ ଚାହୁଁ ନାହିଁ, ବଞ୍ଚିବାକୁ ଚାହୁଁଛି। ଭାଇ, ସେମାନଙ୍କୁ ଛାଡ଼ିବୁ ନାହିଁ। ଏହା ଥିଲା ପୀଡ଼ିତାଙ୍କର ତାଙ୍କ ଭାଇଙ୍କ ସହ  ଶେଷ କଥାବାର୍ତ୍ତା । 

ପ୍ରଥମେ ପୀଡ଼ିତାଙ୍କୁ ଗାଁର ଶିବମ ତ୍ରିବେଦୀ ନାମକ ଜଣେ ଯୁବକ ପ୍ରେମଜାଲରେ ଫସାଇଥିଲା । ପରେ ବିବାହର ପ୍ରତିଶ୍ରୁତି ଦେଇ ରାଏବରେଲି ନେଇ ତାଙ୍କ ସହ ଦୁଷ୍କର୍ମ କରିଥିଲା । ଏପିରି କି ତାଙ୍କର ଭିଡିଓ ସୁଟ୍ କରି ବ୍ଲାକମେଲ୍ ମଧ୍ୟ କରୁଥିଲା । ଭିଡିଓ ଭାଇରାଲର ଧମକ ଦେଇ ସେ ଏକାଧିକ ଥର ତାଙ୍କ ସହ ଦୁଷ୍କର୍ମ କରିଥିଲା । ଏପରିକି ଶିବମ ଓ ତାର ସାଙ୍ଗ ଶୁଭମ୍ ମିଶି ପୀଡ଼ିତାଙ୍କୁ ଗଣଦୁଷ୍କର୍ମ କରିଥିଲେ ବୋଲି ମଧ୍ୟ ସେ ଏଫଆଇଆରରେ ଉଲ୍ଲେଖ  କରିଥିଲେ ପୀଡ଼ିତା । ଥାନାରେ ମାମଲା ପରେ ଶିବମ ଓ ଶୁଭମକୁ ଗିରଫ କରିଥିଲା ପୋଲିସ । ତେବେ ଶୁଭମକୁ ପୋଲିସ କ୍ଲିନଚିଟ୍ ଦେଇଥିବା ବେଳେ ଶିବମ କିଛି ଦିନ ହେବ ବେଲରେ ମୁକୁଳିଥିଲା ।

କିନ୍ତୁ ଜେଲରୁ ମୁକିଳିବା ପରେ ଶିବମ ଓ ଶୁଭମ୍ ଅଲଗା ଷଡ଼ଯନ୍ତ୍ର କରିଥିଲେ। ଘଟଣା ଘଟିବା ଦିନ ଭୋର ୪ଟାରେ ପୀଡ଼ିତା ରାୟବରେଲି ଯିବା ପାଇଁ ଷ୍ଟେସନ ଯାଉଥିଲେ । ସେଦିନ ଦୁଷ୍କର୍ମ ମାମଲାରେ କୋର୍ଟରେ ଶୁଣାଣି ଥିଲା। ଏହି ସମୟରେ ଦୁଇ ଦୁଷ୍କର୍ମ ଆରୋପୀ ଶିବମ ଓ ଶୁଭମ ସହିତ ହରିଶଙ୍କର ତ୍ରିବେଦୀ, ରାମକିଶୋର ଓ ଉମେଶ ମିଶି ଗାଁଠୁ ତିନି ଶହ ମିଟର ଦୂରରେ କିରୋସିନି ଢାଳି ତାଙ୍କୁ ଜୀଅନ୍ତା ଜାଳି ଦେଇଥିଲେ ।

ପୀଡ଼ିତା ଜୀବନ ବଞ୍ଚାଇବା ପାଇଁ ପ୍ରାୟ ୫୦୦ ମିଟର ଧାଇଁବା ପରେ ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ । ପରେ ତାଙ୍କୁ ଲକ୍ଷ୍ନୌ ସିଭିଲ ହସ୍ପିଟାଲ ଓ ଶେଷରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଗୁରୁବାର ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଘଟଣାରେ ସମସ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି ପୋଲିସ । ମାମଲାର ଛାନଭିନ୍ ପାଇଁ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସିଏମ୍ ଯୋଗୀ ଆଦିତ୍ୟନାଥ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.