ତାମିଲନାଡୁ ପଞ୍ଚାୟତ ନିର୍ବାଚନରେ ଶାସକ AIADMKକୁ ଝଟ୍କା, ୫ ହଜାର ୯୦ ୱାର୍ଡରୁ ୧୮୯୫ DMK ଝୁଲିରେ
3/01/2020 at 4:35 PM

ଚେନ୍ନାଇ ୩।୧: ତାମିଲନାଡୁ ଗ୍ରାମପଞ୍ଚାୟତ ନିର୍ବାଚନ ଫଳାଫଳ ମିଳିବାରେ ଲାଗିଲାଣି। ୨ଟି ପର୍ଯ୍ୟାୟରେ ହୋଇଥିବା ନିର୍ବାଚନରେ ଶାସକ ଏଆଇଏଡିଏମକେକୁ ଝଟକା ଲାଗିଛି। ବିରୋଧୀ ଡିଏମକେ ଓ ମେଣ୍ଟ ଦଳମାନେ ଅଧାରୁ ଅଧିକ ୱାର୍ଡ ହାତେଇ ନେଇଛନ୍ତି। ପଞ୍ଚାୟତ ନିର୍ବାଚନରେ ୫ହଜାର ୯୦ ୱାର୍ଡ ଲାଗି ନିର୍ବାଚନ ହୋଇଥିବା ବେଳେ ଏଥିରୁ ଶାସକ ଏଆଇଏଡିଏମକେର ୧ ହଜାର ୫୨୮ ଜଣ ୱାର୍ଡ ମେମ୍ବର ନିର୍ବାଚିତ ହୋଇଛନ୍ତି। ଅପରପକ୍ଷେ ଡିଏମକେ ପ୍ରାର୍ଥୀମାନେ ୧ହଜାର ୮୯୫ଟି ୱାର୍ଡ ହାତେଇନେଇଛନ୍ତି।

ତାମିଲନାଡୁ ବିଧାନସଭା ଉପନିର୍ବାଚନର ସଫଳତାକୁ ନେଇ ଶାସକ ଏଆଇଏଡିଏମକେ ପଞ୍ଚାୟତ ନିର୍ବାଚନର ସଫଳତା ଲାଗି ବେଶ୍ ଆଶାବାଦୀ ଥିଲା। ତେବେ ପଞ୍ଚାୟତ ନିର୍ବାଚନରେ ଦଳର ଚିତ୍ର ବଦଳିଯାଇଛି। ତେବେ ନିର୍ବାଚନର ଏଭଳି ଫଳାଫଳକୁ ନେଇ ଏଆଇଡିଏମକେ କେନ୍ଦ୍ର ସରକାରଙ୍କ ନୂଆ ନାଗରିକ ଆଇନ ହୁଏତ ଦାୟି ବୋଲି ଆକଳନ କରୁଛନ୍ତି। ସିଏଏକୁ ବିରୋଧ କରି ହୁଏତ ସଂଖ୍ୟାଲଘୁ ସମୁଦାୟଙ୍କ ଭୋଟ ହ୍ରାସ ହୋଇଥିବାର ଏଆଇଡିଏମକେ କାର୍ଯ୍ୟକର୍ତ୍ତା କହିଛନ୍ତି।

ତେବେ ଏଆଇଏଡିଏମକେ ମୁଖ୍ୟ ଆବାହକ ତଥା ଉପମୁଖ୍ୟମନ୍ତ୍ରୀ ଓ ପନିର ସେଲଭମ ଜନତାଙ୍କ ନିଷ୍ପତ୍ତିକୁ ତାଙ୍କ ଦଳ ସ୍ୱାଗତ କରୁଥିବା କହିଛନ୍ତି। ନିର୍ବାଚନ ଭୋଟ ଗଣତି ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଏବେବି ୭୬ହଜାର ୭୪୬ଟି ଗ୍ରାମପଞ୍ଚାୟତର ୱାର୍ଡମେମ୍ବର ଭୋଟ ଗଣତି ଜାରି ରହିଥିବା ବେଳେ ୯ ହଜାର ୬୨୪ପଞ୍ଚାୟତ ସଭାପତି ପଦବୀ ଲାଗି ଭୋଟ ଗଣତି ଜାରି ରହିଛି।