କଠୋର ହେବ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟା, ଏଲଏଲ ଟେଷ୍ଟ ସେଣ୍ଟରରେ ଲାଗିବ ସିସିଟିଭି, ଟଚ୍ ସ୍କ୍ରିନରେ ପରୀକ୍ଷା ଦେବେ ଆବେଦନକାରୀ

Published By : Prameya-News7 Bureau | December 19, 2020 IST

କଟକ,୧୯/୧୨: ଆଉ କାମ ଦେବନି ଦଲାଲଙ୍କ ରାଜ୍ । ଆରଟିଓ ଅଫିସରେ ବିନା ପରୀକ୍ଷାରେ ମିଳିବନି ଲର୍ଣ୍ଣିଂ ଲାଇସେନ୍ସ । ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟା ଏଣିକି ଅଧିକ କଠୋର ହେବ । ଲାଇସେନ୍ସ ପ୍ରଦାନରେ ଯେମିତି କୌଣସି କୋହଳ କିମ୍ବା ଅନିୟମିତତା ନହୁଏ ତାର ତଦାରଖ ପାଇଁ ପ୍ରତ୍ୟେକ ଆର୍‌ଟିଓର ଲର୍ଣ୍ଣିଂ ଲାଇସେନ୍ସ (ଏଲ୍‌ଏଲ୍‌) ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯିବ । ଆସନ୍ତା ଡିସେମ୍ବର ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ ବୋଲି ଜଣାପଡିଛି । ଏଥିସହ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆବେଦନକାରୀମାନେ ଟଚ୍‌ସ୍କିନ୍‌ କମ୍ପ୍ୟୁଟରରେ ପରୀକ୍ଷା ଦେବେ ବୋଲି ରାଜ୍ୟ କମିସନର କର୍ତ୍ତୃପକ୍ଷ (ଏସ୍‌ଟିଏ) ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଛି ।

ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ରାଜ୍ୟର ୩୮ଟି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ସିସିଟିଭି କ୍ୟାମେରା ଲଗାଯିବ । ଏହାର ଭିଡିଓ ଫୁଟେଜ୍‌ ଏସ୍‌ଟିଏ ଦ୍ୱାରା ପରିଚାଳିତ ହେବ । ଏହାଦ୍ୱାରା ପରୀକ୍ଷାରେ ସ୍ୱଚ୍ଛତା ବଜାୟ ରହିବ । କଟକ ଆର୍‌ଟିଓ କେନ୍ଦ୍ରର ଏଲଏଲ୍‌ ଟେଷ୍ଟ ପାଇଲଟ୍‌ ବେସିସ୍‌ରେ ପବ୍ଲିକ୍‌ ଡୋମେନ୍‌ରେ ରହିବ । ଯାହାଦ୍ୱାରା ଜଣେ ବ୍ୟକ୍ତି ଘରେ ବସି ମଧ୍ୟ ଏଲ୍‌ଏଲ୍‌ ଟେଷ୍ଟରେ ଅନ୍ୟ ଜଣେ ବ୍ୟକ୍ତି କ’ଣ ପାଇଁ ବିଫଳ ହେଲେ ତାହା ଜାଣିପାରିବେ ।

ସେହିପରି ପୂର୍ବରୁ ଏଲ୍‌ଏଲ୍‌ ପରୀକ୍ଷା ପାଇଁ ୧୦ଟି ପ୍ରଶ୍ନ ରହିଥିଲାବେଳେ ଏବେ ତାହାକୁ ୨୦କୁ ବୃଦ୍ଧି କରାଯାଇଛି । ଏଣିକି ମାଉସ୍‌ ବ୍ୟବହାର ନକରି ପରୀକ୍ଷାର୍ଥୀମାନେ ଟଚ୍‌ସ୍କ୍ରିନ୍‌ କମ୍ପ୍ୟୁଟରରେ ପରୀକ୍ଷା ଦେବେ ବୋଲି ମଧ୍ୟ କୁହାଯାଇଛି ।

ଆହୁରି ମଧ୍ୟ ବିଜ୍ଞପ୍ତିରେ କୁହାଯାଇଛି ଯେ, ୨୦୨୧ ମାର୍ଚ୍ଚ ସୁଦ୍ଧା ଟଚ୍‌ସ୍କ୍ରିନ୍‌ କମ୍ପ୍ୟୁଟର ପ୍ରତ୍ୟେକ ଆର୍‌ଟିଓରେ ରହିବ । ପ୍ରତ୍ୟେକ ଆର୍‌ଟିଓରେ ଥିବା କିଓସ୍କୋରେ ଏଲ୍‌ଏଲ୍‌ ପରୀକ୍ଷା ଦେବା ପୂର୍ବରୁ ପରୀକ୍ଷାର୍ଥୀମାନେ ମକ୍‌ ଟେଷ୍ଟ୍‌ (ଅଭ୍ୟାସ ପରୀକ୍ଷା) କରିପାରିବେ । ଏଲ୍‌ଏଲ୍‌ ଟେଷ୍ଟକୁ ଯିବା ପୂର୍ବରୁ କିଓସ୍କୋରେ ଥିବା ପ୍ରଶ୍ନପତ୍ର ସମ୍ପର୍କରେ ପରୀକ୍ଷାର୍ଥୀମାନେ ଜାଣିବା ଉଚିତ୍‌ ବୋଲି ଏସ୍‌ଟିଏ ପକ୍ଷରୁ କୁହାଯାଇଛି । ଏତତ୍ ବ୍ୟତୀତ ଡିଏଲ୍‌ (ଡ୍ରାଇଭିଂ ଲାଇସେନ୍ସ) କେନ୍ଦ୍ରରେ ଆସନ୍ତା ୩୧ ସୁଦ୍ଧା ସିସିଟିଭି ଲାଗିବ ବୋଲି ପରିବହନ କମିସନର ସଞ୍ଜୀବ ପଣ୍ଡା ଟୁଇଟ୍‌ କରି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.