ଫେଡେରରଙ୍କ ରେକର୍ଡ ଭାଙ୍ଗିଲେ ଜୋକୋଭିକ୍, ATP ମାନ୍ୟତାର ଶୀର୍ଷରେ ସର୍ବିଆନ ତାରକା
8/03/2021 at 5:58 PM

ଲଣ୍ଡନ ୦୮/୦୩ : ଖ୍ୟାତନାମା ଟେନିସ ଷ୍ଟାର ରୋଜର୍ ଫେଡେରରଙ୍କୁ ପଛରେ ପକାଇଦେଇଛନ୍ତି ସର୍ବିଆନ୍ ଟେନିସ ତାରକା ନୋଭାକ୍ ଜୋକୋଭିକ୍ । ଅନେକ ଦିନ ଧରି ATP ରାଙ୍କିଂର ଶୀର୍ଷରେ ରହି ଏହି ରେକର୍ଡ ହାସଲ କରିଛନ୍ତି ଜୋକୋଭିକ୍ । ପୂର୍ବରୁ ଏହି ରେକର୍ଡ ସ୍ବିଜରଲ୍ୟାଣ୍ଡର ରୋଜର୍ ଫେଡେରରଙ୍କ ନାଁରେ ଥିଲା ।
ସୂଚନାଯୋଗ୍ୟ, ଗତ ୩୧୧ ସପ୍ତାହ ଧରି ATP ମାନ୍ୟତାର ଶୀର୍ଷରେ ରହିଆସିଛନ୍ତି ଜୋକୋଭିକ୍ । ପୂର୍ବରୁ ରୋଜର୍ ଫେଡେରର ୩୧୦ ସପ୍ତାହ ଧରି ଶୀର୍ଷରେ ରହିଥିଲେ । ଚଳିତ ସପ୍ତାହରେ ଏହି ରେକର୍ଡକୁ ଅତିକ୍ରମ କରି ଜୋକୋଭିକ୍ ଶୀର୍ଷରେ ପହଞ୍ଚିଯାଇଛନ୍ତି । ଏ ନେଇ ATP ଟୁର ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି ।
୩୩ ବର୍ଷୀୟ ଜୋକୋଭିକ୍ ୨୦୧୧ ଜୁଲାଇରେ ପ୍ରଥମ ଥର ପାଇଁ ATP ରାଙ୍କିଂର ଶୀର୍ଷରେ ପହଞ୍ଚିଥିଲେ । ୨୦୨୦ ମସିହାରେ ବିଶ୍ବର ଏକ ନମ୍ବର ଟେନିସ ଖେଳାଳୀର ମାତ୍ୟତା ବଜାୟ ରଖିଛନ୍ତି ଜୋକୋଭିକ୍ । ଏହା ସହିତ ୬ଷ୍ଠ ଥର ପାଇଁ ଏହି ସର୍ବିଆନ୍ ତାରକା ବିଶ୍ବର ଶ୍ରେଷ୍ଠ ମାନ୍ୟତା ବଜାୟ ରଖିବାର ରେକର୍ଡ କରିଛନ୍ତି । ନିକଟରେ ସେ ୯ମ ଥର ପାଇଁ ଅଷ୍ଟ୍ରେଲିଆନ ଓପନ୍ ଟାଇଟଲ ହାସଲ କରିଛନ୍ତି । ଗତ ଫେବୃଆରୀରେ ଋଷିଆର ଡାନିଲ ମେଡ୍ବେଡେବ୍ଙ୍କୁ ୭-୫, ୬-୨, ୬-୨ରେ ହରାଇ ଏହି ଟାଇଟଲ ହାସଲ କରିଛନ୍ତି ଜୋକୋଭିକ୍ ।