କରୋନାକୁ ବଳ ଦେବ ଦୀପାବଳି ! ସଂକ୍ରମିତ ଓ ସୁସ୍ଥ ସମସ୍ତଙ୍କୁ ଅଣନିଶ୍ୱାସୀ କରିବ ବାଣର ଧୂଆଁ

Published By : Prameya-News7 Bureau | November 02, 2020 IST

ଭୁବନେଶ୍ୱର ୦୨।୧୧ : ବିପଦ ବଢାଇପାରେ ଦୀପାବଳୀ । ବାୟୁ ପ୍ରଦୂଷଣରେ ଅଣନିଃଶ୍ୱସୀ ହେବେ କରୋନା ସଂକ୍ରମିତ ଓ ସୁସ୍ଥ ବ୍ୟକ୍ତି ।  ହଠାତ୍‌ ବାୟୁ ପ୍ରଦୂଷଣ ମାତ୍ରା ୫୦ ଗୁଣ ବଢ଼ିଯିବ । କମିଯିବ ଅମ୍ଳଜାନ । ଅଙ୍ଗାରକାମ୍ଳ, କାର୍ବନ ମନୋକ୍ସାଇଡ୍‌, ସଲ୍‌ଫର୍‌ ଡାଇଅକ୍ସାଇଡ୍‌, ନାଇଟ୍ରେଜେନ୍‌ ଡାଇଅକ୍ସାଇଡ୍‌ ଭଳି ବିଷାକ୍ତ ବାଷ୍ପ ଓ ଧୂଳିକଣା ହୁ ହୁ ହୋଇ ବଢ଼ିଯିବ । ଅଣନିଃଶ୍ୱାସୀ କରିଦେବ । ଫୁସ୍‌ଫୁସ୍‌କୁ ଗଭୀର ଭାବେ ପ୍ରଭାବିତ କରିବ । କରୋନା ସଂକ୍ରମିତଙ୍କ ସଙ୍କଟ ବଢ଼ିଯିବ ।

ଦୀପାବଳି ବାଣ ଫୁଟାକୁ ନେଇ ଏମିତି ଡର ଘାରିଲାଣି । ବିଶେଷଜ୍ଞ ସତର୍କବାଣୀ ଦେଲେଣି, ଏଥର ଦୀପାବଳିରେ ଆତସବାଜି ବନ୍ଦ କରାନଗଲେ ବାୟୁ ପ୍ରଦୂଷଣ ଭୟଙ୍କର ବିପଦ ଡାକି ଆଣିବ । ବାୟୁ ପ୍ରଦୂଷଣ ଯୋଗୁ କରୋନା ସଂକ୍ରମଣ ହାର ବଢ଼ିନପାରେ, କିନ୍ତୁ ସଂକ୍ରମିତଙ୍କ ସମସ୍ୟା ବଢ଼ିଯିବ । ଦୁର୍ବଳ ଥିବା କରୋନା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା  ବିଗିଡ଼ିପାରେ । ଖାଲି ସେତିକି ନୁହେଁ, କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ଫୁସ୍‌ଫୁସ୍‌କୁ ବାୟୁ ପ୍ରଦୂଷଣ କ୍ଷତି ପହଞ୍ଚାଇଲେ, ଅବସ୍ଥା ସାଂଘାତିକ ହୋଇପାରେ । ଦୀର୍ଘ ସାଢ଼େ ୭ ମାସର କଠିନ ପରିଶ୍ରମ ଯୋଗୁ ନିୟନ୍ତ୍ରଣକୁ ଆସିଥିବା କରୋନା ସ୍ଥିତି ପୁଣି ଗୁରୁତର ରୂପ ନେବା ଆଶଙ୍କା ରହିଛି । ଏପରିକି ଖସୁଥିବା ମୃତ୍ୟୁ ହାର ବଢ଼ିପାରେ । ଏମିତି ହେଲେ ସରକାରଙ୍କ ସବୁ ପରିଶ୍ରମ ପାଣିରେ ପଡ଼ିଯିବ ।

ଦୀପାବଳିରେ ଆତସବାଜି ଯୋଗୁ ବାୟୁ ପ୍ରଦୂଷଣ ମାତ୍ରା ଅଚାନକ ହୁ ହୁ ହୋଇ ବଢ଼ିଥାଏ । ୨୦୧୮ ଦୀପାବଳିରେ ସକାଳ ୧୦ଟାବେଳେ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକ ଅଞ୍ଚଳରେ ଏୟାର କ୍ୱାଲିଟି ଇନଡେକ୍ସ (ଏକ୍ୟୁଆଇ) ମାତ୍ରା ଥିଲା ୫୪ । ରାତିି ୮ଟା ପରେ ୩୬୯ ହୋଇଗଲା । ତା’ ପରଦିନ ସକାଳ ୬ଟାବେଳେ ଏକ୍ୟୁଆଇ ମାତ୍ରା ୩୨୯ ଥିଲା । ଏକ୍ୟୁଆଇ ସ୍ତର ୦-୫୦ ମଧ୍ୟରେ ରହିବା କଥା । ୩୦୦ ଟପିଲେ ଏହା ଜନଜୀବନ ପାଇଁ ବିପଦଜନକ । ୪ ଦିନ ଯାଏ ରହିଥିଲା ଏ ବିପଜ୍ଜନକ ସ୍ଥିତି । କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କାରେ ମାର୍ଚ୍ଚରୁ ଏଯାବତ୍‌ ସମସ୍ତ ପାର୍ବଣ ଓ ଉତ୍ସବରେ ଅଙ୍କୁଶ ଲାଗିଛି । ଗଣେଶ ପୂଜାରୁ ନେଇ ଦୁର୍ଗାପୂଜା ପର୍ଯ୍ୟନ୍ତ ସବୁ ନିରାଡ଼ମ୍ବର ଭାବେ ପାଳିଛି ଓଡ଼ିଶା । ଆସନ୍ତା ୧୪ ତାରିଖରେ ଦୀପାବଳି । ବାଣ ବିକ୍ରି ପାଇଁ ସଜବାଜ ଆରମ୍ଭ ହେଲାଣି । କଟକ ସହରରେ ଏଥିପାଇଁ ଅନୁମତିି ଦେଇ ସାରିଲାଣି ପୁଲିସ । ଭୁବନେଶ୍ୱରରେ ବି ଏ ପ୍ରକ୍ରିୟା ଆରମ୍ଭ ହୋଇଛି । ବାଣ ଦୋକାନ ଖୋଲିବା ନେଇ ପଡ଼ିଆ ଅନୁଧ୍ୟାନ ଆରମ୍ଭ ହୋଇଛି । ଏହାକୁ ନେଇ ବିଶେଷଜ୍ଞଙ୍କ ଚିନ୍ତା ବଢ଼ିଯାଇଛି । ଦୀପାବଳି ଅମାବାସ୍ୟାର ଅନ୍ଧାର ରାତିରେ ଆତସବାଜି ଆଖିକୁ ସୁନ୍ଦର ଦିଶିପାରେ । କିନ୍ତୁ, ଏଇ ଆତସବାଜି ପର୍ବ ଡାକି ଆଣିବ ମହାବିପତ୍ତି ।

କିଛିଦିନ ହେବ କରୋନା ସଂକ୍ରମଣ ହାର କମିଛି । କିନ୍ତୁ, ବିପଦ ଟଳିନି । ଶୀତରେ ସଂକ୍ରମଣ ହାର ପୁଣି ଶୀର୍ଷ ଛୁଇଁପାରେ । ଏମିତିରେ ଦୀପାବଳି ଆତସବାଜିରୁ ନିର୍ଗତ ପ୍ରଦୂଷଣ ସ୍ଥିତିକୁ ଆହୁରି ବିଗାଡ଼ିପାରେ । ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ସତର୍କ କରାଇଛନ୍ତି ଯେ, ଉଭୟ କରୋନା ଓ ବାୟୁ ପ୍ରଦୂଷଣ ଫୁସଫୁସ୍‌କୁ କ୍ଷତି ପହଞ୍ଚାଇଥାଏ । ପ୍ରଦୂଷଣ ଯୋଗୁ କରୋନା ସଂକ୍ରମିତଙ୍କ ସମସ୍ୟା ବଢ଼ିପାରେ । ଏପରିକି ବାୟୁମଣ୍ଡଳରେ ପିଏମ୍‌ ୨.୫ (ଅତି କ୍ଷୁଦ୍ର ଭାସମାନ କଣିକା) ସ୍ତରରେ ସାମାନ୍ୟ ବୃଦ୍ଧି ଘଟିଲେ, କରୋନା ସଂକ୍ରମଣ ହାର ୮ରୁ ୯% ବଢ଼ିବା ଆଶଙ୍କା ଅଛି । ସମ୍‌ ହସ୍ପିଟାଲର ଛାତି ଓ ଯଷ୍ମା ବିଭାଗର ବରିଷ୍ଠ ଡାକ୍ତର ବନାନୀ ଜେନାଙ୍କ କହିବାନୁସାରେ ବାଣରେ ବ୍ୟବହୃତ ରାସାୟନିକ ପଦାର୍ଥ ଜଳି ଯେଉଁ ଧୂଆଁ ନିର୍ଗତ ହୁଏ, ତାହା ବାୟୁମଣ୍ଡଳକୁ ପ୍ରଦୂଷିତ କରେ । ଏହା ଫୁସ୍‌ଫୁସ୍‌କୁ କ୍ଷତି ପହଞ୍ଚାଇଥାଏ । କରୋନା ମଧ୍ୟ ଫୁସ୍‌ଫୁସ୍‌କୁ ସର୍ବାଧିକ ପ୍ରଭାବିତ କରିଥାଏ । ଏମିତିରେ ସୁସ୍ଥ ବାୟୁ ଆହରଣ କରୁଥିବା ଲୋକ ତୁଳନାରେ ପ୍ରଦୂଷଣଗ୍ରସ୍ତ ଫୁସଫୁସକୁ କରୋନା ଭୂତାଣୁ ବେଶି କ୍ଷତି ପହଞ୍ଚାଇଥାଏ ।

ଓଡ଼ିଶା ପରିବେଶ ସମିତି ସମ୍ପାଦକ ଡ. ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି, ବାଣରେ ଅଙ୍ଗାରକ ଓ ଗନ୍ଧକ ସହିତ ଆର୍ସେନିକ, ମାଙ୍ଗାନିଜ, ସୋଡିୟମ ଅକ୍ସାଲେଟ୍‌, ଆଲୁମିନିୟମ, କ୍ୟାଡମିୟମ, ଲୁହା ପାଉଡର, ପୋଟାସିୟମ ପର୍‌କ୍ଲୋରେଟ, ଷ୍ଟ୍ରୋନ୍ସସିଅମ ନାଇଟ୍ରେଟ୍‌, ବାରିୟମ ନାଇଟ୍ରେଟ୍‌ ପରି ଧାତବ ଓ ଅଣଧାତବ ପଦାର୍ଥ ବ୍ୟବହୃତ ହୁଏ । ଏଗୁଡ଼ିକ ଜଳିଲେ ଗନ୍ଧକ ଓ ଯବକ୍ଷାରଜାନ ଡାଇଅକ୍ସାଇଡ୍‌, ଅଙ୍ଗାରକାମ୍ଳ, କାର୍ବନ ମନୋକ୍ସାଇଡ୍‌ ପରି ବିଷାକ୍ତ ବାଷ୍ପ ନିର୍ଗତ ହୁଏ । ଏହାସହ ନିର୍ଗତ ଭାସମାନ କଣିକା ପଦାର୍ଥ ପିଏମ୍‌ ୧୦ ଓ ପିଏମ୍‌ ୨.୫ ସ୍ତରରେ ହଠାତ୍‌ ବୃଦ୍ଧି ଘଟେ । ଏହା ଶ୍ୱାସଜନିତ ରୋଗ ସହ ଆଖି, ନାକ, ଫୁସଫୁସ, ହୃତପିଣ୍ଡକୁ ପ୍ରଭାବିତ କରିଥାଏ ।

ପରିବେଶ ବିଜ୍ଞାନୀ ଡକ୍ଟର ବିଜୟ ମିଶ୍ର କହିଛନ୍ତି, ବାଣରେ ବ୍ୟବହୃତ ପର୍‌କ୍ଲୋରେଟ ଦହନରୁ ନିର୍ଗତ ମାରାତ୍ମକ ଗ୍ୟାସ୍‌ ଥାଏରଏଡ୍‌ କ୍ୟାନସର, ଆଜ୍‌ମା, ଫୁସଫୁସ୍‌ କ୍ୟାନସର କାରଣ ହୋଇପାରେ । ଏହା ଶିଶୁ ଓ ଗର୍ଭରେ ଥିବା ଶିଶୁ ପାଇଁ ବେଶି ବିପଦଜନକ । ବାଣରେ ବ୍ୟବହୃତ ଆଲୁମିନିୟମରୁ ବାହାରୁଥିବା ଧୂଆଁ ମସ୍ତିଷ୍କ, ଫୁସଫୁସ୍‌କୁ କ୍ଷତି କରେ । ଡାଇଅକ୍ସିନ ଓ ରୁବିଡିୟମ ଭଳି ପଦାର୍ଥ ଗୁରୁତର ଚର୍ମ ରୋଗ ଆଣିଥାଏ । ବାଣରେ ବ୍ୟବହୃତ ଅତ୍ୟଧିକ କାଡମିୟମ ନିଃଶ୍ୱାସରେ ଯାଇ ଫୁସଫୁସକୁ ଗଭୀର ଭାବେ କ୍ଷତି କରେ । ପାକସ୍ଥଳୀ ଉପରେ ଖରାପ ପ୍ରଭାବ ପକାଇବା ସହ ଗୁରୁତର କିଡ୍‌ନି ରୋଗ ଆଣିପାରେ । ବାୟୁମଣ୍ଡଳରେ ଏଭଳି ଧୂଆଁ ବୁଲିବା ଯୋଗୁ ନିଃଶ୍ୱାସ ପ୍ରଶ୍ୱାସରେ ସମସ୍ୟା ହୁଏ ।

ଡକ୍ଟର ମିଶ୍ର କହିଛନ୍ତି, କୋଭିଡ୍‌ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି । ଜନସାଧାରଣ ମଧ୍ୟ ସଚେତନ ହୋଇ ସବୁ ନିୟମ ମାନିଛନ୍ତି । ଏବେ ଦୀପାବଳିରେ ବାଣ ଫୁଟାକୁ ନିଷିଦ୍ଧ କରାଯାଉ । ନଚେତ୍‌ ସବୁ ପଦକ୍ଷେପ, ଉଦ୍ୟମ, ତ୍ୟାଗ ବୃଥା ହୋଇଯିବ । ସ୍ଥିତି ପୁଣ ହାତରୁ ଖସିଯିବ । ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍ସ (ଆଇଏଲ୍‌ଏସ୍‌) ନିର୍ଦ୍ଦେଶକ ଡ. ଅଜୟ ପରିଡ଼ା କହିଛନ୍ତି, ପ୍ରଦୂଷଣ ବଢ଼ିଲେ ଥଣ୍ଡା ଓ ଶ୍ୱାସଜନିତ ଆଦି ରୋଗ ବଢ଼ିଥାଏ । ତେଣୁ କରୋନା ସଂକ୍ରମଣ ମଧ୍ୟ ବଢ଼ିପାରେ । ଏ ଦିଗରେ ସଚେତନ ରହିବାକୁ ପଡ଼ିବ ।

ଓମ୍‌ସା ସଭାପତି ଡା. ନାରାୟଣ ରାଉତଙ୍କ କହିବାନୁଯାୟୀ ବାୟୁ ପ୍ରଦୂଷଣ ଯୋଗୁ ଶ୍ୱାସ ଓ ନିମୋନିଆ ଆଦି ରୋଗୀଙ୍କ ସମସ୍ୟା ବଢ଼ିଥାଏ । ଯେହେତୁ ବାୟୁ ପ୍ରଦୂଷଣ ଫୁସଫୁସକୁ କ୍ଷତି କରିଥାଏ, ଏହା କରୋନା ଆକ୍ରାନ୍ତଙ୍କ ପାଇଁ ସମସ୍ୟା ବଢ଼ାଇପାରେ । ଲକ୍ଷଣ ନଥିବା ଅନେକ ଲୋକେ ନିଜେ କରୋନା ସଂକ୍ରମିତ ବୋଲି ଜାଣି ନଥାଇପାରନ୍ତି, ସେମାନଙ୍କ କ୍ଷେତ୍ରରେ ପ୍ରଦୂଷଣ ବେଶ୍‌ କ୍ଷତି ପହଞ୍ଚାଇପାରେ । ପ୍ରତିବର୍ଷ ଆତସବାଜି ଯୋଗୁ ଅନେକ ଧନଜୀବନ ମଧ୍ୟ ନଷ୍ଟ ହୁଏ । ତେଣୁ ବିନା ଆତସବାଜିରେ ଦୀପାବଳି ପାଳନ କରାଯିବା ଉଚିତ୍‌ ।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପରିବେଶ ବୈଜ୍ଞାନିକ ହାଡ଼ିବନ୍ଧୁ ପାଣିଗ୍ରାହୀ କହିଛନ୍ତି, ଦୀପାବଳିର ଆତସବାଜି ଯୋଗୁ ବାୟୁମଣ୍ଡଳରେ ସଲଫର ଡାଇଅକ୍ସସାଇଡ୍‌ ଓ ଅକସାଇଡ୍‌ ଅଫ୍‌ ନାଇଟ୍ରୋଜେନ ମାତ୍ରା ବହୁ ମାତ୍ରାରେ ବଢ଼ିଥାଏ । ପିଏମ ୨.୫ ଓ ପିଏମ ୧୦ (ଭାସମାନ କଣିକା) ସ୍ତର ମଧ୍ୟ ଅହେତୁକ ଭାବେ ବଢ଼ିଯାଏ । ଏହା ଜନଜୀବନ ପାଇଁ କ୍ଷତିକାରକ । ସାଧାରଣ ଦିନ ଅପେକ୍ଷା ଦୀପାବଳିରେ ବାୟୁ ପ୍ରଦୂଷଣ ହାର ପ୍ରାୟ ୫୦ ଗୁଣ ବଢ଼ିଯାଏ । ସ୍ଥିତି ସ୍ୱାଭାବିକ ହେବାକୁ ୩-୪ ଦିନ ଲାଗିଯାଏ । ଏଥିରୁ ଅନୁମାନ କରାଯାଇପାରେ, ବାଣ ବିସ୍ଫୋରଣ କେତେ ବିପଦଜନକ । ଗୋଟିଏ ଦିନର ମଜା ମଉଲିସ୍‌ ପାଇଁ ପରିବେଶ ଓ ଜନଜୀବନକୁ ବିପଦକୁ ଠେଲିବା କେତେ ଯୁକ୍ତିଯୁକ୍ତ? ବିଶେଷ କରି କୋଭିଡ୍‌ ମହାମାରୀ ସଙ୍କଟ ସମୟରେ ଆତସବାଜି କରିବା ସଭିଙ୍କ ପାଇଁ ବିପଦଜନକ । ବିନା ଆତସବାଜିରେ ଦୀପାବଳି ପାଳନ କରିବାକୁ ପରିବେଶ ପ୍ରେମୀ, ସ୍ୱାସ୍ଥ୍ୟ ବିଶେଷଜ୍ଞ, ସଚେତନ ନାଗରିକ ମହଲ ଆହ୍ୱାନ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.