ଚୋରା ପଥର ଖାଦାନରେ ଚଢ଼ାଉ, ଗଛିତ ପଥର ନିଲାମ କଲା ସ୍ଥାନୀୟ ପ୍ରଶାସନ
1/08/2020 at 9:31 AM

ନୀଳଗିରି ୦୧।୦୮: ନୀଳଗିରି ଅଞ୍ଚଳରେ ଚୋରା ପଥର ଖାଦାନ ଚାଲିବା ରାଜସ୍ଵ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଥିଲା। ରିଙ୍ଗପୁର ଅଂଚଳରେ ଗ୍ରାମ୍ୟ ଜଙ୍ଗଲରେ ସ୍ପଷ୍ଟ ଦିବା ଲୋକରେ ପଥର ଚୋରୀ ନେଇ ଖବର ପ୍ରକାଶ ପାଉଥିଲା। ଏହାପରେ ରାଜସ୍ୱ ବିଭାଗ ଚୋରାପଥର ଖାଦାନ ଉପରେ ଚଢ଼ାଉ କରି ଗଛିତ ପଥରକୁ ନିଲାମ କରିଥିବା ଜଣାପଡିଛି।
ନୀଳଗିରି ତହସିଲ ଅଧିନ ସ୍ଵର୍ଣଚୁଡ଼ ସଂରକ୍ଷିତ ଜଙ୍ଗଲ ଚାରିପଟେ ପଥର ମାଫିଆ ସକ୍ରିୟ ହୋଇଉଠିଛନ୍ତି। ତେବେ ସବୁଠାରୁ ଜାମୁଡିହା ପଞ୍ଚାୟତ ଅଧିନ ରିଙ୍ଗପୁର ନିକଟରେ ଥିବା ଚୋରା ପଥର ଖାଦାନ ସ୍ପଷ୍ଟ ଦିବାଲୋକରେ ଚୋରିକରୁଥିଲେ ପଥର ମାଫିଆ। ବ୍ଲାଷ୍ଟିଂ କରି ଗଛ ଘୋଡାଇ ପଥର ଚୋରିକରିଆସୁଥିଲେ। ଏପରିକି ପାଖରେ ଥିବା ଶାଳ ଜଙ୍ଗଲ ପ୍ରତି ବିପଦ ଘାରିଥିଲା। ପଥର ମାଫିଆ ମାନେ ପଥରରୁ ମେଟାଲ ପିଟି ବାହାରକୁ ଚାଲାଣ କରୁଥିଲେ। ଯାହାଫଳରେ ଲକ୍ଷାଧିକ ଟଙ୍କାର ରାଜସ୍ୱ ହରାଇଥିଲା।
ଘଟଣାକୁ ନେଇ ଖବର ପ୍ରସାରଣ ପରେ ନୀଳଗିରି ରାଜସ୍ୱ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତହସିଲଦାର ପଥର ଖାଦାନ ଉପରେ ଚଢ଼ାଉ କରିଥିଲେ। ଗଛିତ ପଥର ଗୁଡିକ ଆଜି ସେହି ସ୍ଥାନରେ ନିଲାମ କରିଛନ୍ତି। ଦୁଇ ଦିନ ଭିତରେ ପଥର ଗୁଡିକ ସେ ସେହି ସ୍ଥାନରୁ ହଟାଇ ନେବାକୁ ତହସିଲଦାର ନିର୍ଦେଶ ଦେଇଛନ୍ତି। ତେବେ ଚଢ଼ାଉ ପରେ ଜ୍ଞାନରଞ୍ଜନ ତହସିଲ ଅଫିସକୁ ଟଙ୍କା ଗଛିତ କରିବାକୁ ଆସିଥିବାବେଳେ କିଛି ପଥର ମାଫିଆ ସେହି ସ୍ଥାନରେ ଘୁରିବୁଲିବା ଦେଖାଯାଇଛି। ତହସିଲଦାରଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ଦେଖି ପଥର ମାଫିଆଙ୍କ ମଧ୍ୟରେ ଛନକା ପଶିଛି। ସେହିପରି ପୋଡାଶୂଳ ଅଂଚଳରେ ଗଛିତ ଥିବା କିଛି ବାଲିକୁ ଜବତ କରାଯାଇଛି ।