୯ କୋଭିଡ୍ ସଂକ୍ରମିତ ଚିହ୍ନଟ ପରେ ବଢ଼ିଲା କଣ୍ଟେନମେଣ୍ଟ୍ ଜୋନ୍, ଭଦ୍ରକର ୫ ବ୍ଲକରେ ୬ ସଙ୍ଗରୋଧ କେନ୍ଦ୍ର ଅବରୋଧ

Published By : Prameya-News7 Bureau | June 04, 2020 IST

ଭଦ୍ରକ୪/୬: ରାଜ୍ୟରେ ଲକଡାଉନ୍ ଯେତିକି କୋହଳ ହେଉଛି କରୋନା ସଂକ୍ରମିତ ସଂଖ୍ୟା ସେତିକି ବୃଦ୍ଧି ପାଇବାରେ ଲାଗିଛି। ଭଦ୍ରକ ଜିଲ୍ଲାରେ କ୍ରମଶଃ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି। ଏହି କରୋନା ସଂକ୍ରମିତଙ୍କୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲା ପ୍ରଶାସନ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ଗୁରୁବାର ଅର୍ଥାତ ୪ ତାରିଖରେ ଭଦ୍ରକରେ ୯ ଜଣ କରୋନା ସଂକ୍ରମିତ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି।

ଏନେଇ ଭଦ୍ରକ ଜିଲ୍ଲାପାଳ ଭଦ୍ରକ ଜିଲ୍ଲାର ୫ଟି ବ୍ଲକର ୬ଟି କ୍ବାରେଣ୍ଟାଇନ୍ ସେଣ୍ଟରକୁ କଣ୍ଟେନମେଣ୍ଟ୍ ଜୋନ୍‌ ଘୋଷଣା କରିଛନ୍ତି। କଣ୍ଟେନମେଣ୍ଟ୍ ଜୋନ୍ ତାଲିକାରେ ଥିବା କ୍ବାରେଣ୍ଟାଇନ୍ ସେଣ୍ଟର ଗୁଡିକ ହେଲା ଚାନ୍ଦବାଲି ବ୍ଲକର କୋବିନ୍ଦପୁର ହାଇସ୍କୁଲ, ଭଣ୍ଡାରିପୋଖରୀ ବ୍ଲକର କଳ୍ପତରୁ ହାଇସ୍କୁଲ ଓ ଚିଙ୍ଗୁଡିପୁର ୟୁପିଏସ୍ , ଭଦ୍ରକ ବ୍ଲକର ବି,ଜେ ହାଇସ୍କୁଲ, ଧାମନଗର ଏନ୍‌ଏସିର ନଦୀଗାଁ ହାଇସ୍କୁଲ ଏବଂ କଲ୍ୟାଣୀ ମଣ୍ଡଲ ସେଣ୍ଟର ରହିଛି।

ସେହିପରି ଜିଲ୍ଲାର ୫ଟି ବ୍ଲକର ୩ଟି ପଞ୍ଚାୟତ, ୨ଟି ଗାଁ ଏବଂ ଗୋଟିଏ ଓ୍ବାର୍ଡକୁ ବଫର ଜୋନ୍ ଭାବେ ଜିଲ୍ଲା ପ୍ରଶାସନ ଘୋଷଣା କରିଛି। ବଫର ଜୋନ୍ ଗୁଡିକ ହେଲା ଚାନ୍ଦବାଲି ବ୍ଲକର ବିଜୟନଗର ପଞ୍ଚାୟତ, ଭଣ୍ଡାରିପୋଖରୀ ବ୍ଲକର ନାମି ପଞ୍ଚାୟତ, ଭଦ୍ରକ ବ୍ଲକର ବନିଟିଆ ଗାଁ, ଧାମନଗର ବ୍ଲକର ନନ୍ଦୀଗାଁ ଏବଂ ଧାମନଗର ଏନ୍ଏସିର ୭ ନମ୍ବର ଓ୍ବାର୍ଡ। ନୂଆ ୯ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଜିଲ୍ଲାବାସୀଙ୍କ ଚିନ୍ତା ବଢ଼ି ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.