ରାଷ୍ଟ୍ରପତିଙ୍କୁ ୩୦ବର୍ଷୀୟ ଯୁବକଙ୍କ ଇଚ୍ଛାମୃତ୍ୟୁ ଆବେଦନ ମାମଲା, ନ୍ୟୁଜ୍‌ ୭ରେ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରସାଶନର ନିଦ ଭାଙ୍ଗିଲା

Published By : Prameya-News7 Bureau | November 29, 2021 IST

କଳାହାଣ୍ଡି ୨୯/୧୧ : ଇଚ୍ଛାମୃତ୍ୟୁ ପାଇଁ ୩୦ବର୍ଷୀୟ ଯୁବକଙ୍କ ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ ମାମଲା । ଯୁବକଙ୍କ ଚିକିତ୍ସା ପାଇଁ ତତ୍ପରତା ପ୍ରକାଶ କଲା ଜିଲ୍ଲା ପ୍ରଶାସନ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ବିଶାଖାପାଟଣା ମେଡିକେୟାର ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି ।  ଦୀର୍ଘ ୬ ବର୍ଷ ଧରି ଦୁର୍ଘଟଣାରେ ମେରୁଦଣ୍ଡ ରୋଗରେ ପୀଡିତ ଥିଲେ ଅନୀଲ କପୁର ଶିଖା ।

ସୂଚନାଯୋଗ୍ୟ, ଭବାନୀପାଟଣା ବ୍ଲକ ମାଡ଼ିଗୁଡା ପଞ୍ଚାୟତ ଚିକିଲି ଗାଁର ଅନୀଲ କପୁର ଶିଖା ଦୀର୍ଘ ବର୍ଷ ଧରି ଶର୍ଯ୍ୟାଶାୟୀ ଥିଲେ ଏବଂ ଭିଷଣ କଷ୍ଟ ପାଉଥିଲେ । ଅର୍ଥ ଅଭାବରୁ ଚିକିତ୍ସା ନପାଇ ଘରେ ପଡିରହିଥିଲେ ଅନୀଲ । ଯାହା ଫଳରେ ଦିନକୁ ଦିନ ଯନ୍ତ୍ରଣା ବଢିଥିଲା । ଶେଷରେ କୌଣସି ଉପାୟ ନପାଇ ନିଜକୁ ଶେଷ କରିଦେବାକୁ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଥିଲେ ଅନୀଲ କପୁର । ତେବେ ନ୍ୟୁଜ ସେଭେନ୍‌ରେ ଏ ନେଇ ଖବର ପ୍ରସାରଣ ପରେ ଚେଇଁ ଉଠିଛି ଜିଲ୍ଲା ପ୍ରଶାସନ । ତୁରନ୍ତ ଅନୀଲଙ୍କ ଚିକିତ୍ସା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଖୁବଶୀଘ୍ର ତାଙ୍କୁ ଉନ୍ନତମାନର ଚିକିତ୍ସା ମିଳିବ ଏବଂ ରାଜ୍ୟ ସରକାର ଯୋଗାଇ ଦେଉଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ତାଙ୍କୁ ସହାୟତା ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.