ଜେଇଙ୍କୁ ପାଟଣାଗଡ ବିଧାୟକ ଉଠବସ କରିବା ଘଟଣାର ତଦନ୍ତ ରିପୋର୍ଟ ଦେଇସାରିଲେଣି ଜିଲ୍ଲାପାଳ, ପୋଲିସ କାର୍ଯ୍ୟାନୁଷ୍ଠାନ ଶୂନ ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବ ଜିଲ୍ଲା ଆଦିବାସୀ ସଂଘ

Published By : Prameya-News7 Bureau | June 11, 2019 IST

ବଲାଙ୍ଗିର (ଚିନ୍ମୟ ମିଶ୍ର)  ୧୧|୬: ପୂର୍ତ୍ତବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ସାଧାରଣରେ ଉଠ୍‌ବସ କରିବା ଘଟଣାରେ ପାଟଣାଗଡ଼ ବିଧାୟକ ସରୋଜ ମେହେର୍‌ଙ୍କୁ କେବେ ବାନ୍ଧିବ ପୋଲିସ ?  ଘଟଣାର ତଦନ୍ତ କରି ସରକାରଙ୍କୁ ରିପୋର୍ଟ ଦେଇସାରିଲେଣି ଜିଲ୍ଲାପାଳ । ଯେଉଁଥିରେ ବିଧାୟକ ମହାଶୟ ଦୋଷୀ ବୋଲି ପ୍ରମାଣ ମିଳିସାରିଛି । ତା’ପରେ ବି ପୋଲିସ ଆକ୍ସନକୁ ନଆସିବା ସ୍ଥାନୀୟ ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ାଇଛି । ଆସନ୍ତାକାଲି ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ଆଦିବାସୀ ସଂଘ ।

ବିଧାୟକ କ’ଣ ଆଇନ୍‌ର ଉର୍ଦ୍ଧ୍ବରେ ?  ପୂର୍ତ୍ତବିଭାଗର ଜଣେ ଜେଇଙ୍କୁ ସର୍ବସାଧାରଣରେ ଉଠବସ୍‌ କଲେ, ତାଙ୍କୁ ନିର୍ବାହୀ ଯନ୍ତ୍ରୀଙ୍କ ଦ୍ବାରା ଚାପୁଡ଼ା ମାରିଲେ, ସର୍ବ ସମ୍ମୁଖରେ ନିଜ ବିଧାୟକଗିରିର ଧାକ୍‌ ଦେଖାଇ ଆଇନ୍‌କୁ ହାତକୁ ନେଲେ, ତଥାପି ଘଟଣାର ୫ଦିନ ପରେ ବି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ୍‌ । ଏମିତିକି ବଲାଙ୍ଗିର ଜିଲ୍ଲାପାଳ ମଧ୍ୟ ଘଟଣାର ସତ୍ୟାସତ୍ୟ ଯାଂଚ କରି ବିଧାୟକ ଦୋଷୀ ବୋଲି ସରକାରଙ୍କୁ ରିପୋର୍ଟ ଦେଇସାରିଲେଣି । ତଥାପି ବିଧାୟକଙ୍କୁ ବାନ୍ଧିବା ବଦଳରେ ନିଜେ ହାତବାନ୍ଧି ବସିଛି ବଲାଙ୍ଗିର ପୋଲିସ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷର ଧୂଆଁ ଉଠିବା ଆରମ୍ଭ କଲାଣି । ଆସନ୍ତା କାଲି ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ଆଦିବାସୀ ସଂଘ । ଆଉ ବିଧାୟକ ସରୋଜ ମେହେରଙ୍କୁ ତୁରନ୍ତ ଗିରଫ କରିବା ସହ ତାଙ୍କର ବିଧାୟକ ପଦ ରଦ୍ଦ କରିବାକୁ ଦାବି କରିଛି ।

ସେପଟେ ଅଯଥା ବାହାଦୁରି ଦେଖାଇ ଆଇନର ଜାଲ ଭିତରେ  ଫସିଥିବା ବିଧାୟକ ସରୋଜ ମେହେର ନିଜ ସପକ୍ଷରେ ସମର୍ଥନ ଜୁଟାଇବାକୁ ଭରପୁର ଉଦ୍ୟମ କରୁଛନ୍ତି । ଏବେ ବିଧାୟକଙ୍କ ସମର୍ଥନରେ ସାମ୍ନାକୁ ଆସିଛି ପାଟଣାଗଡ଼ ଓବିସି ମଞ୍ଚ ।

ବିଧାୟକ ସରୋଜ ମେହେର ନିଜେ ଓବିସି ମଞ୍ଚର ସକ୍ରିୟ ସଦସ୍ୟ ହୋଇଥିବାରୁ କନିଷ୍ଠ ଜନ୍ତ୍ରୀଙ୍କୁ ଜାତିଆଣ ଭିତ୍ତିକ ଅପମାନ କିମ୍ବା ଆକ୍ଷେପ କରିବା ପ୍ରଶ୍ନ ଉଠୁନି ବୋଲି ଯୁକ୍ତି ବାଢ଼ୁଛି ଓବିସି ମଂଚ । ହେଲେ ପୋଲିସ କିନ୍ତୁ ପ୍ରାଥମିକ ତଦନ୍ତ ପରେ ବିଧାୟକଙ୍କ ବିରୋଧରେ ଆଟ୍ରୋସିଟି ଆକ୍ଟରେ ଦଫା ଲଗାଇଛି । ତେବେ ଜିଲ୍ଲାପାଳଙ୍କ ରିପୋର୍ଟ ପରେ ବିଧାୟକଙ୍କୁ ବାନ୍ଧୁନଥିବା ପୋଲିସ କାହା ନିର୍ଦେଶକୁ ଅପେକ୍ଷା କରିଛି ତାହା ହିଁ ବର୍ତ୍ତମାନ ସମୟର ବଡ଼ ପ୍ରଶ୍ନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.