Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କଳାହାଣ୍ଡିରେ ପିଆଜ ଅମଳ ପରେ କ୍ଷେତରେ ପଡି ରହିଛି : ସଂରକ୍ଷଣ ବ୍ୟବସ୍ଥା ନାହିଁ, ଚାଲିଛି ଅଭାବୀ ବିକ୍ରି

14/05/2019 at 2:39 PM

ଭବାନୀପାଟଣା ୧୪|୫: ଚିନ୍ତାରେ କଳାହାଣ୍ଡିର ପିଆଜ ଚାଷୀ । ପିଆଜ ଅମଳ ସରିବା ପରେ କ୍ଷେତରେ ପଡ଼ିଛି । କାରଣ ସଂରକ୍ଷଣ ବ୍ୟବସ୍ଥା ନାହିଁ । ପିଆଜ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଥିଲେ ପ୍ରଶାସନ କି କୃଷି ବିଭାଗର ଏଥିପ୍ରତି ନଜର ନାହିଁ ।

ଅମଳ ପରେ ବିଲରେ ଗଦା ହୋଇ ରହିଛି ପିଆଜ । ପିଲାଠୁ ବଡ଼ ସମସ୍ତେ ଲାଗିଛନ୍ତି ପିଆଜ ବସ୍ତା ବାନ୍ଧିବାରେ । କଳାହାଣ୍ଡିର ଗୋଲାମୁଣ୍ଡା, ଧର୍ମଗ଼ଡ଼, କୋକସରା, ଭବାନୀପାଟଣା ଆଦି ବ୍ଲକର ବିଭିନ୍ନ ଅଞ୍ଚଳରେ ପିଆଜ ଅମଳ ସରିଛି ।

ହେଲେ ଚାଷୀ ରଖିବେ କୋଉଠି ? ଗୋଦାମ ଘରେ ସଂରକ୍ଷଣ ସୁବିଧା ନାହିଁ । ବାଧ୍ୟ ହେଉଛନ୍ତି କ୍ଷେତରେ ଗଡ଼ାଇବାକୁ । ଅଦିନିଆ ବର୍ଷା ଯଦି ହେଲା କଥା ସରିଲା ।

ଚାଷୀଙ୍କ ସମସ୍ୟାର ଫାଇଦା ନେଉଛନ୍ତି ପଡ଼ୋଶୀ ଛତିଶଗଡ଼ର କିଛି ଅସାଧୁ ବ୍ୟବସାୟୀ । ୫୦ କେଜିର ବସ୍ତାକୁ  ୩ ଶହରୁ ୪ ଶହ ଟଙ୍କା ଦେଇ କିଣି ନେଉଛନ୍ତି । ଶାଗ ମାଛ ଦରରେ ପିଆଜ ବିକ୍ରି କରିବାକୁ ବାଧ୍ୟ ଚାଷୀ ।

ଏବେ ସିନା ପଡ଼ୋଶୀ ରାଜ୍ୟକୁ ଦେଉଛନ୍ତି ପିଆଜ । ଯେତେବେଳେ ଆମର ଆବଶ୍ୟକ ଅନ୍ୟ ରାଜ୍ୟର ବ୍ୟବସାୟୀଙ୍କ ଠାରୁ ଚଢ଼ା ଦରରେ କିଣୁଛନ୍ତି ।  ପ୍ରଶାସନ, କୃଷି ବିଭାଗ ସବୁ ଜାଣି ଅଜଣା ।

ନିଅଣ୍ଟ ପଡ଼ିଲେ ସରକାରଙ୍କୁ ପିଆଜ ଚିନ୍ତା ଘାରେ । ହେଲେ ଉତ୍ପାଦିତ ପିଆଜକୁ ସଂରକ୍ଷଣ କରିବା କଥା ସମସ୍ତେ ଭୁଲିଯାଆନ୍ତି ।

   Related Posts