ବିକୃତ ମାନଷିକତା : ଆହତ କୁକୁରକୁ ସ୍କୁଟି ପଛରେ ବାନ୍ଧି ଘୋଷାଡି ଘୋଷାଡି ନେଲେ ୨ ମହିଳା, ସିସିଟିଭିରେ କଏଦ ଭିଡିଓ…

Published By : Prameya-News7 Bureau | June 28, 2021 IST

ପଟିଆଲା ୨୮/ ୦୬ : ଏ ସଂସାରର ସୃଷ୍ଟି ବ୍ୟାପକ । ଦୁନିଆରେ ମନୁଷ୍ୟ ହିଁ ସର୍ବଶ୍ରେଷ୍ଠ ଜୀବ ଏବଂ ପଶୁ ପକ୍ଷୀ ତାର ଅଧସ୍ତନ ବୋଲି ଧରାଯାଏ । କିନ୍ତୁ ସେ ସର୍ବଶ୍ରେଷ୍ଠ ମଣିଷଟା ହତାହିତ ଜ୍ଞାନ ଭୁଲି ବେଳେବେଳେ ପଶୁମାନଙ୍କଠାରୁ ବି ହୀନ ପାଲଟିଯାଏ । ସର୍ବଶ୍ରେଷ୍ଠ ସେ ଜୀବଟା ହୋଇଯାଏ ରକ୍ତମୁଖା । ସେଭଳିୁ ଅନେକ ଘଟଣା ମଣିଷ ସଗ୍ୟତାକୁ ବା ସଭ୍ୟ ସମାଜକୁ ବିଚଳିତ କରିଦେଇଥାଏ । ଭିଡିଓରେ ଦେଖିବାକୁ ମିଳୁଛି ଦୁଇ ଜଣ ମହିଳା ଏକ ଆହତ କୁକୁରଙ୍କୁ ସ୍କୁଟିରେ ବାନ୍ଧି ଘୋଷାଡି ଘୋଷାଡି ନେଉଛନ୍ତି ।  ନିକଟରେ ଲାଗିଥିବା ଏକ ସିସିଟିଭି କ୍ୟାମେରା ସେହି ଲୋମଟାଙ୍କୁରା ଦୃଶ୍ୟ କଏଦ ହୋଇଯାଇଛି ।   

ଏଭଳି ଘଟଣା ଘଟିଛି ପଞ୍ଜାବ ପଟିଆଲା ସହରରେ। କୁକୁରଟି ଗୁରୁତର ଆହତ ଅବସ୍ଥାରେ ଥିବା ବେଳେ ଦୁଇ ମହିଳା ତାକୁ ସ୍କୁଟି ପଛପଟେ ବାନ୍ଧି ଦେଇଥିଲେ । ଏହାପରେ ତାକୁ ଅତି ଅମାନୁଷିକ ଭାବେ ନ୍ୟୁ ସେଞ୍ଚୁରି ଏନ୍‌କ୍ଲେଭ ରାସ୍ତାରେ ଘୋଷାରି ନେଉଥିଲେ।
ଏହି ସମୟରେ କିଛି ପିଲା ସ୍କୁଟି ଚାଳକ ଦୁଇ ମହିଳାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଫଳରେ ଦୁଇଜଣ ଆହତ କୁକୁରକୁ ସେଠାରେ ଛାଡ଼ି ପଳାଇଯାଇଥିଲେ। ଏହି ସମସ୍ତ ଘଟଣା ସିସିଟିଭିରେ କଏଦ୍‌ ହୋଇଛି। ପଟିଆଲା ପୁଲିସ ଘଟଣା ବେଳର ସିସିଟିଭ୍ ଫୁଟେଜ୍ ଜବତ କରିବା ସହିତ ଏକ ମାମଲା ରୁଜ୍ଜୁ କରିଛି। ଫେରାର ଦୁଇ ମହିଳାଙ୍କ ଖୋଜା ଆରମ୍ଭ କରିଥିବା ସେଞ୍ଚୁରୀ ଏନକ୍ଲେଭ୍‌ର ଏସ୍‌ଏଚ୍‌ଓ କୁରମୀତ ସିଂହ କହିଛନ୍ତି।

ନିକଟରେ ରାଜସ୍ଥାନ ଅଲୱାରରେ ମଧ୍ୟ ଗୋଟିଏ ପରିବାର ୪ ଜଣ ମିଶି ଗୋଟିଏ କୁକୁରର ଗୋଡ଼ କାଟିଦେଇଥିଲେ। କୁକୁରଟି ତାଙ୍କ ଛେଳିକୁ ମାରିଦେଇଥିବା ସନ୍ଦେହ କରି ପରିବାର କିଛି ଯୁବକ ମିଶି କୁରାଢ଼ିରେ କୁକୁରର ଗୋଡ଼ କାଟିବା ସହିତ ଭିଡିଓ ମଧ୍ୟ ବନାଇଥିଲେ। ଏହି ଭିଡିଓ ଭାଇରାଲ୍ ହେବା ପରେ ଘଟଣାରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଥିଲା। ଅନ୍ୟ ଦୁଇଜଣେ ଫେରାର୍‌ ହୋଇଯାଇଥିଲେ। କୁକୁରର ଗୋଡ଼ କଟାଯାଇଥିବାରୁ ଅତ୍ୟଧିକ ରକ୍ତ ଶ୍ରାବ ଯୋଗୁ କୁକୁରଟିର ମୃତ୍ୟୁ ହୋଇଥିଲା। ସେହିପରି ଓଡ଼ିଶାର କେନ୍ଦ୍ରାପଡ଼ାର ବାବୁଲା ସିଂହ ନାମକ ଜଣେ ବ୍ୟକ୍ତି କୁକୁରକୁ ହତ୍ୟା କରିଥିବାରୁ ତାକୁ ଗିରଫ କରାଯାଇଥିଲା। କୁକୁରଟି ବାବୁଲାର ଦୁଇଟି ବତକ ମାରିଦେଇଥିବାରୁ ସେ କୁକୁରକୁ ମାରିଥିବା ଥାନାରେ କହିଥିଲା ବାବୁଲା।

ଭାରତରେ ପଶୁଙ୍କ ଉପରେ ହୋଇଥିବା ମାନବିକ ଅତ୍ୟାଚାରରେ ଏକ ଗବେଷଣା ରିପୋର୍ଟ ନିକଟରେ ପ୍ରକାଶ ପାଇଥିଲା। ଭାରତୀୟ ପଶୁ ସୁରକ୍ଷା ସଂସ୍ଥା(ଏଫ୍‌ଆଇଏପିଓ)ଓ ଅଲ୍‌ କ୍ରିଏଟର ଗ୍ରେଟ୍‌ ଆଣ୍ଡ ସ୍ମଲ୍‌(ଏସିଜିଏସ୍)ର ରିପୋର୍ଟ ଅନୁସାରେ, ୨୦୧୦ରୁ ୨୦୨୦ ମଧ୍ୟରେ ଭାରତରେ ପ୍ରାୟ ୫ ଲକ୍ଷ ପଶୁ ମଣିଷ ଦ୍ୱାରା ନିର୍ଯାତିତ ହୋଇଛନ୍ତି। ମଣିଷ ଦ୍ୱାରା ପଶୁ ଗୁରୁତର ଆହତ ହେବା, ପଙ୍ଗୁ ହେବା, ହତ୍ୟା, ଏମିତିକ ଦୁଷ୍କର୍ମର ଶିକାର ମଧ୍ୟ ହୋଇଛନ୍ତି। ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଏଫ୍‌ଆଇଏପିଓର ଏହି ଗବେଷଣା ରିପୋର୍ଟ ପ୍ରକାଶ କରିଥିଲା। ରିପୋର୍ଟ ଅନୁସାରେ ୧୦-୨୦ ଏହି ଦଶ ବର୍ଷ ମଧ୍ୟରେ ୪,୯୩,୯୧୦ ପଶୁ ମଣିଷର ପାଶବିକ ନିର୍ଯାତନାର ଶିକାର ହୋଇଛନ୍ତି। ସେଥିମଧ୍ୟରୁ ୨୩୦୦୦ ପଶୁଙ୍କ ଉପରେ ଜାଣିଶୁଣି ଅତି ଭୟଙ୍କର ଅତ୍ୟାଚାର କରାଯାଇଛି।

ରିପୋର୍ଟ ଅନୁସାରେ, ପଶୁ ନିର୍ଯାତନାର ପ୍ରତି ୧୦୦୦ ମାମଲା ମଧ୍ୟରୁ ୮୨ଟି ଯୌନ ନିର୍ଯାତନା ମାମଲା ରହିଥିବା ବେଳେ ୨୬୬ଟି ଅତି ନୃଶଂସ ହତ୍ୟା ମାମଲା ରହିଛି। ସେହିପରି ୪୦୦ରୁ ଅଧିକ ପଶୁଙ୍କୁ ବିଭିନ୍ନ ପ୍ରକାର ନିର୍ଯାତନା ଯଥା ପିଟିବା, ଗୋଇଠା ମାରିବା, ନିର୍ଯାତନା ଦେବା, ଏସିଡି ଓ ଗରମ ପାଣି ଫିଙ୍ଗିବା, ଅଙ୍ଗ କାଟି ପଙ୍ଗୁ କରିଦେବା ଓ ଛୁରୀରେ ଆକ୍ରମଣ କରିବା ଭଳି ନିର୍ଯାତନା ଦିଆଯାଇଛି।

ରିପୋର୍ଟ ଅନୁସାରେ, ୨୦୧୯ରେ ପଶୁ ନିର୍ଯାତନାର ସର୍ବାଧିକ ମାମଲା ଦେଖିବାକୁ ମିଳିଥିଲା। ଗୋଟିଏ ବର୍ଷରେ ପ୍ରାୟ ୭୦୦ଟି ପଶୁ ନିର୍ଯାତନା ମାମଲା ଦେଖିବାକୁ ମିଳିଥିଲା। ସେହିପରି କେବଳ ଗତ ୫ ବର୍ଷରେ ଗଣପଶୁ ହତ୍ୟା ଅଭିଯାନରେ ୪,୨୩୦ କୁକୁରଙ୍କୁ ହତ୍ୟା କରାଯାଇଥିବା ରିପୋର୍ଟରେ ଦର୍ଶା ଯାଇଥିଲା । ଦେଶରେ ପ୍ରତିଦିନ ଭାରତରେ ୫ ପଶୁଙ୍କର ନିର୍ଯାତନାରେ ମୃତ୍ୟୁ ହେଉଛି। ଘଟଣା ଉପରେ ତଦନ୍ତ କଲେ ଏହି ସଂଖ୍ୟା ୧୦ଗୁଣା ବଢ଼ିଯିବ ବୋଲି କୁହାଯାଉଛି। ତେବେ ଏହି ରିପୋର୍ଟରେ କଂସେଇ ଖାନା. ଚିଡ଼ିଆ ଖାନା ଆଦି ସ୍ଥାନର ତଥ୍ୟ ସାମିଲ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.