ପୁଣି ଚର୍ଚ୍ଚାରେ କର୍ଣ୍ଣାଟକର କଂଗ୍ରେସ ବିଧାୟକ, ବିଧାନସଭାରୁ ଇସ୍ତଫା ଦେବା ପରେବି କିଣିଛନ୍ତି ୧୧ କୋଟି ଟଙ୍କାର ଗାଡି
17/08/2019 at 3:24 PM

ବେଙ୍ଗାଲୁରୁ : କର୍ଣ୍ଣାଟକ କଂଗ୍ରେସରେ ବିଦ୍ରୋହ ପରେ ବିଧାନସଭାରେ ବାଚସ୍ପତିଙ୍କ ଦ୍ୱାରା ଅଯୋଗ୍ୟ ଘୋଷିତ ବିଧାୟକ ଏମ.ଟି.ବି.ନାଗରାଜ ଏବେ ପୁଣି ଚର୍ଚ୍ଚାରେ। ଏଥର ସେ କୌଣସି ରାଜନୈତିକ କାରଣ ନୁହେଁ ମହଙ୍ଗା ବାହନ କିଣିବା ଯୋଗୁ କେବଳ ରାଜ୍ୟ ନୁହେଁ ସାରା ଦେଶରେ ଚର୍ଚ୍ଚାର ପାତ୍ର ପାଲଟିଛନ୍ତି। ସେ ଏକ ରୋଲସ ରୟସ ଫ୍ୟାଣ୍ଟମ ନାମକ ଦାମୀ ବିଦେଶୀ କାର କିଣିଛନ୍ତି। ଭାରତରେ ଏହି କାରର ମୂଲ୍ୟ ପ୍ରାୟ ୧୧ କୋଟି ଟଙ୍କା। ଶୁଳ୍କ ଓ ଅନ୍ୟାନ୍ୟ ଦେୟ ପରେ କାରର ମୂଲ୍ୟ ଆହୁରି ବି ଅଧିକ ହୋଇପାରେ।

କର୍ଣ୍ଣାଟକରେ କଂଗ୍ରେ-ଜେଡିଏସର ୧୭ ଜଣ ବିଧାୟକ ଗତ ଜୁଲାଇମାସରେ ସରକାରରୁ ଇସ୍ତଫା ଦେଇଛନ୍ତି। ଫଳରେ ରାଜ୍ୟରେ ମେଣ୍ଟ ସରକାରର ପତନ ହୋଇଛି। ତେବେ ସରକାରରୁ ଇସ୍ତଫା ଦେଇଥିବା ବିଧାୟକଙ୍କ ମଧ୍ୟରୁ ବାଚସ୍ପତି ୧୪ ଜଣଙ୍କୁ ଅଯୋଗ୍ୟ ଘୋଷିତ କରିଥିଲେ। ଏହି ଅଯୋଗ୍ୟ ଘୋଷିତ ବିଧାୟକଙ୍କ ମଧ୍ୟରେ ନାଗରାଜ ଅନ୍ୟତମ ଅଟନ୍ତି।

ତେବେ କର୍ଣ୍ଣାଟକରେ ମହଙ୍ଗା ଗାଡି କିଣିବାରେ ନାଗରାଜ ପ୍ରଥମ ରାଜନେତା ନୁହନ୍ତି। ଖଣି ଦୁର୍ନୀତି ଲାଗି ଚର୍ଚ୍ଚିତ ଜନାର୍ଦ୍ଦନ ରେଡ୍ଡୀଙ୍କର ଏଭଳି କାର ପୂର୍ବରୁ ରହିଛି। ତେବେ ନାଗରାଜଙ୍କ ମହଙ୍ଗା କାରକୁ ନେଇ କେହି ଆଶ୍ଚର୍ଯ୍ୟବ୍ୟକ୍ତ କରିନାହାନ୍ତି । କାରଣ ଦେଶର ଧନୀ ବିଧାୟକଙ୍କ ମଧ୍ୟରେ ନାଗରାଜ ଅନ୍ୟତମ। ଗତ ବିଧାନସଭା ନିର୍ବାଚନରେ ପ୍ରାର୍ଥୀପତ୍ର ଦାଖଲ ନିମନ୍ତେ ନାଗରାଜ ଦାଖଲ କରିଥିବା ସମ୍ପତ୍ତି ସୂଚୀରେ ତାଙ୍କର ମୋଟର ସମ୍ପତ୍ତିର ପରିମାଣ ୧ ହଜାର କୋଟି ଟଙ୍କାରୁ ବି ଅଧିକ ହେବ ବୋଲି ସତ୍ୟାପାଠ ଦାଖଲ କରିଥିଲେ।