ଅର୍ଥମନ୍ତ୍ରୀ ଏବଂ ଆରବିଆଇ ମଧ୍ୟରେ ମତାନ୍ତର : ମନମୋହନ ଦେଇଛନ୍ତି ମନ୍ତବ୍ୟ
8/11/2018 at 12:22 PM

ନୂଆଦିଲ୍ଲୀ ୮/୧୧: କିଏ ବଡ଼ ଅର୍ଥମନ୍ତ୍ରୀ ନା ଆରବିଆଇ ! କେନ୍ଦ୍ର ସରକାର ଓ ଆରବିଆଇ ମଧ୍ୟରେ ବିବାଦ ଚାଲିଥିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କ ଉପରେ ଲିଖିତ ପୁସ୍ତକରେ ଏନେଇ ମତ ରଖିଛନ୍ତି ମନମୋହନ ସିଂ। ତାଙ୍କ ମତ ଆରବିଆଇଠାରୁ ଅର୍ଥମନ୍ତ୍ରୀଙ୍କ କ୍ଷମତା ଅଧିକ। ଅର୍ଥମନ୍ତ୍ରୀ ଯଦି କିଛି ବିଷୟରେ ନିଷ୍ପତ୍ତି ନେବାକୁ ଚାହାନ୍ତି ତେବେ ତାହା କାର୍ଯ୍ୟକାରୀ ହେବା ଉଚିତ । ଝିଅ ଦମନ ସିଂଙ୍କ ଲିଖିତ ୨୦୧୪ମସିହାରେ ପ୍ରକାଶିତ ପୁସ୍ତକ ‘ଷ୍ଟ୍ରିଟଲି ପର୍ସନାଲ ମନମୋହନ ଆଣ୍ଡ ଗୁରଶରନ’ରେ ଏଭଳି ମତ ରଖିଛନ୍ତି ମନମୋହନ। ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଥିବାବେଳର ଅଭିଜ୍ଞତାକୁ ନେଇ ମନମୋହନ ସିଂ କହିଛନ୍ତି ‘‘ମୁଁ ସରକାରଙ୍କ ବିଶ୍ବାସକୁ ନେଇ କାମ କରୁଥିଲି। ଅର୍ଥମନ୍ତ୍ରୀଙ୍କଠାରୁ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ବଡ଼ ନୁହେଁ। ଯଦି ଅର୍ଥମନ୍ତ୍ରୀ କୈାଣସି ନିଷ୍ପତ୍ତି ନିଅନ୍ତି ଗଭର୍ଣ୍ଣର ତାଙ୍କ ପଦବୀ ଛାଡ଼ିଦେଇପାରନ୍ତି କିନ୍ତୁ ତାଙ୍କୁ ମନା ମରିଦେଇପାରିବେ ନାହିଁ। ଇନ୍ଦିରା ଗାନ୍ଧୀ ସରକାରରେ ଏମିତି ଏକ ସ୍ଥିତି ଆସିଥିଲା। ମନମୋହନ କହିଛନ୍ତି ୧୯୮୩ମସିହାରେ ବ୍ୟାଙ୍କଗୁଡ଼ିକୁ ଲାଇସେନ୍ସ ଦେବା ମାମଲାରେ ସରକାରଙ୍କ ସହ ତାଙ୍କର ମତାନ୍ତର ହୋଇଥିଲା। ଆରବିଆଇ ହାତରୁ ବ୍ୟାଙ୍କକୁ ଲାଇସେନ୍ସ ଦେବାର କ୍ଷମତା ଛଡ଼ାଇନେବାକୁ ସରକାର ଚାହୁଁଥିଲେ। ଏହା କେନ୍ଦ୍ର ବ୍ୟାଙ୍କର କ୍ଷମତା ସଙ୍କୁଚିତ କରୁଥିବାରୁ ତତ୍କାଳୀନ ଅର୍ଥମନ୍ତ୍ରୀ ପ୍ରଣବ ମୁଖାର୍ଜୀଙ୍କ ନିକଟରେ ସେ ଇସ୍ତଫାପତ୍ର ପଠାଇଥିଲେ। ତେବେ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କୁ ବୁଝାଇବାକୁ ସକ୍ଷମ ହେବାପରେ ଯୋଜନାରୁ ନିବୃତ୍ତ ହୋଇଥିଲେ ସରକାର। ମନମୋହନଙ୍କୁ ଏପରି ମନ୍ତବ୍ୟ ପୁଣିଥରେ ଚର୍ଚ୍ଚାକୁ ଆସିଛି। ଯେତେବେଳେ ଆରବିଆଇ ଗଭର୍ଣ୍ଣର ଉରଜିତ ପଟେଲ ଓ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ମଧ୍ୟରେ ମତାନ୍ତର ବୃଦ୍ଧି ପାଇବାରେ ଲାଗିଛି।