ଭାରତରେ ଚୀନ ପରି ଅନୁଶାସନ ସମ୍ଭବ ନୁହେଁ, ପ୍ରତି ୬ ମାସରେ ଆସିବ କରୋନାର ନୂତନ ଲହର, ଏମିତି କାହିଁକି କହିଲେ ହାଇକୋର୍ଟ ?

Published By : Prameya-News7 Bureau | May 26, 2021 IST

ଅହମ୍ମଦାବାଦ ୨୬।୦୫: କରୋନା ସଂକ୍ରମଣକୁ ନେଇ ଗୁଜରାଟ ହାଇକୋର୍ଟ ପକ୍ଷରୁ ଆସିଛି ଗୁରୁତ୍ଵପୂର୍ଣ୍ଣ ଟିପ୍ପଣୀ। କୋର୍ଟ ବୁଧବାର ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ଯେ, କରୋନା  ଭାଇରସ୍‌ ସଂକ୍ରମଣର ତୃତୀୟ ଓ ଚତୁର୍ଥ ଲହରର ସମ୍ଭାବନାକୁ ଦେଖି ସ୍ଵାସ୍ଥ୍ୟ ଭିତ୍ତିଭୂମି ସଜଡା ଯାଉ। ଏହା ଏଥିପାଇଁ କାରଣ ଲୋକେ ଭବିଷ୍ୟତରେ ଫେସ୍ ମାସ୍କ, ସାମାଜିକ ଦୂରତ୍ଵ ଓ ସାନିଟାଇଜର ପରି ପରି ନିୟମ ପାଳନ କରିବେ ନାହିଁ।

ବିଚାରପତି ବେଲା ତ୍ରିବେଦୀ ଓ ଭାର୍ଗବ କାରିଆଙ୍କ ପୀଠ ଏହା ମଧ୍ୟ କହିଛନ୍ତି, ଚୀନ ପରି ଅନୁଶାସନ ଭାରତରେ ଲାଗୁ କରାଯାଇ ପାରିବ ନାହିଁ। କୋର୍ଟ ଗୁଜରାଟ ସରକାରଙ୍କୁ କୌଣସି ନୂତନ ଲହରର ମୁକାବିଲା ପାଇଁ ସ୍ଵାସ୍ଥ୍ୟ ଭିତ୍ତିଭୂମି ସଜାଡିବା ଓ ଚିକିତ୍ସା ସୁବିଧା ଉନ୍ନତ କରିବା ଦିଗରେ କାମ କରିବା ଉଚିତ୍ ବୋଲି କହିଛନ୍ତି। ଅଦାଲତ ଗୁଜରାଟରେ କୋଭିଡ୍-୧୯ର ସ୍ଥିତି ଓ ଅନ୍ୟ ସମ୍ବନ୍ଧିତ ପ୍ରସଙ୍ଗରେ ଦାଖଲ ଏକ ଜନସ୍ଵାର୍ଥ ମାମଲା ଉପରେ ଶୁଣାଣି କରି ଏହି ଟିପ୍ପଣୀ କରିଛନ୍ତି।

କୋର୍ଟ କହିଛନ୍ତି, ଏହି ପରି ଦ୍ଵିତୀୟ ପରେ ତୃତୀୟ ଏବଂ ଚତୁର୍ଥ  ଲହର ଆସିବ କାରଣ ରାଜ୍ୟର ଲୋକେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ଵ ଓ ସ୍ଵଚ୍ଛତା ପରି ନିୟମ ପାଳନ କରିବେ ନାହିଁ। ଏହି ଦେଶରେ ଏଥି ପ୍ରତି କେହି ଧ୍ୟାନ ଦେବେ ନାହିଁ। ତେଣୁ ପ୍ରତି ଛଅ ମାସରେ ଗୋଟିଏ ଗୋଟିଏ ଲହର ଆସିବ। ଆବେଦନ ଉପରେ ଶୁଣାଣି ସମୟରେ କୋର୍ଟ ଆଡଭୋକେଟ୍ ଜେନେରାଲ କମଲ ତ୍ରିବେଦୀଙ୍କୁ କହିଛନ୍ତି ଯେ, ଏହାକୁ ବୁଝି ଆପଣଙ୍କୁ ନିଜେ ପ୍ରସ୍ତୁତ ରହିବାକୁ ପଡିବ।

ତ୍ରିବେଦୀ ଭାରତର ତୂଳନା ୟୁରୋପୀୟ ଦେଶ ସହିତ କରି କହିଥିଲେ ଯେ, ସାତ ବିକଶିତ ଦେଶକୁ ମିଶାଇଲେ କରୋନାରେ ଯେତିକି ମୃତ୍ୟୁ ହୋଇଛି ଭାରତରେ ହୋଇନାହିଁ। ଏହା ଉପରେ କୋର୍ଟ କହିଛନ୍ତି, ଭାରତର ତୂଳନା କେବଳ ଚୀନ ସହ ହୋଇ ପାରିବ। ଆପଣଙ୍କୁ ଚୀନ ସହ ତୂଳନା କରିବାକୁ ପଡିବ। କିନ୍ତୁ ଚୀନରେ ଯେଉଁଭଳି ଅନୁଶାସନ ଲାଗୁ ହୋଇଥିଲା ତାହା ଆମ ଦେଶରେ ହୋଇ ପାରିବ ନାହିଁ। ତେଣୁ ଚିକିତ୍ସା ସେବା ବଢାନ୍ତୁ ବୋଲି ଅଦାଲତ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.