ମୌସୁମୀର ତାଣ୍ଡବ
29/07/2018 at 7:12 AM

ଚଳିତ ବର୍ଷ ମୌସୁମୀଜନିତ ବନ୍ୟା ଏବଂ ବର୍ଷାରେ ଏପର୍ଯ୍ୟନ୍ତ ୬ ରାଜ୍ୟରେ ୫୩୭ ଜଣଙ୍କ ମୃତ୍ୟୁ ଘଟିଛି। ଗୃହ ମନ୍ତ୍ରାଳୟର ଏନ୍ଆର୍ସି କେନ୍ଦ୍ରରୁ ଜାରି ପରିସଂଖ୍ୟାନ ତଥ୍ୟ ଅନୁସାରେ ମହାରାଷ୍ଟ୍ରରେ ସର୍ବାଧିକ ୧୩୯ ଜଣଙ୍କ ମୃତ୍ୟୁ ଘଟିଛି। ସେହିଭଳି କେରଳରେ ୧୨୬, ପଶ୍ଚିମବଙ୍ଗର ୧୧୬, ଉତ୍ତରପ୍ରଦେଶରେ ୭୦, ଗୁଜରାଟରେ ୫୨ ଏବଂ ଆସାମରେ ୩୪ ମୃତ୍ୟୁ ହୋଇଛି । ଉତ୍ତର ଭାରତରେ ଏବେ ପ୍ରବଳ ବର୍ଷା ଲାଗି ରହିଛି। ଭାରତୀୟ ପାଣିପାଗ ବିଭାଗ ସୋମବାର ପର୍ଯ୍ୟନ୍ତ ୯ଟି ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି। ଉତ୍ତର ଭାରତର କେତେକ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛନ୍ତି। ଯମୁନା ନଦୀ ବିପଦ ସଂକେତ ଅବସ୍ଥାରେ ପ୍ରବାହିତ ହେଉଥିବାରୁ ଦିଲ୍ଲୀ ଏବଂ ହରିୟାଣାରେ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଆସାମରେ ବ୍ରହ୍ମପୁତ୍ର ଏବଂ ଅନ୍ୟ ଶାଖା ନଦୀଗୁଡ଼ିକରେ ବନ୍ୟାଜଳ ପ୍ରବାହିତ ହେଉଛି। ବନ୍ୟାରେ ଆସାମରେ ୧୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ମହରାଷ୍ଟ୍ରର ୨୬, ପଶ୍ଚିମବଙ୍ଗର ୨୧, ଆସାମର ୨୧, କେରଳର ୧୪, ଗୁଜରାଟର ୧୦ ଜିଲାରେ ବନ୍ୟା ଅବସ୍ଥା ରହିଛି। ପଶ୍ଚିମବଙ୍ଗରେ ୧ ଲକ୍ଷ ୬୦ ହଜାର ଏବଂ କେରଳରେ ୧ ଲକ୍ଷ ୪୦ ହଜାର ଲୋକେ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ଆସାମରେ ପ୍ରାୟ ୨ ଲକ୍ଷ ଲୋକ ରିଲିଫ୍ ଶିବିରରେ ରହିଛନ୍ତି