ସିଡନୀ ଟେଷ୍ଟ: ନିରାଶ କଲେ ଭାରତୀୟ ବ୍ୟାଟସମ୍ୟାନ, ଅଷ୍ଟ୍ରେଲିଆର ସ୍ଥିତି ମଜବୁତ, ୧୯୭ ରନରେ ଆଗୁଆ

Published By : Prameya-News7 Bureau | January 09, 2021 IST

ସିଡନୀ ୦୯।୦୧: ସିଡନୀ ଟେଷ୍ଟର ଦ୍ଵିତୀୟ ଦିନରେ ସୁବିଧା ଜନକ ସ୍ଥିତିରେ ଥିବା ଭାରତ ନିଜ ବ୍ୟାଟସମ୍ୟାନଙ୍କ ନିରାଶଜନକ ପ୍ରଦର୍ଶନ କାରଣରୁ ତୃତୀୟ ଦିନ ସୁଦ୍ଧା ସଙ୍କଟଜନକ ସ୍ଥିତିରେ ରହିଛି। ଭାରତ ନିଜର ପ୍ରଥମ ଇନିଂସରେ ୨୪୪ ରନରେ ଅଲଆଉଟ୍ ହେବା ପରେ ଅଷ୍ଟ୍ରେଲିଆ ଦ୍ଵିତୀୟ ଇନିଂସରେ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୨ ଓ୍ଵିକେଟ୍ ହରାଇ ୧୦୩ ରନ କରିଛି। କ୍ରିଜରେ ଇନ ଫର୍ମ ବ୍ୟାଟସମ୍ୟାନ ମାର୍ନସ ଲାବୁସାନେ ୪୭ ଏବଂ ଷ୍ଟିଭ୍ ସ୍ମିଥ୍‌ ୨୯ ରନ କରି ବ୍ୟାଟିଂ କରୁଛନ୍ତି। ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଅଷ୍ଟ୍ରେଲିଆ ଭାରତଠୁ ୧୯୭ ରନରେ ଆଗୁଆ ରହିଛି। ପ୍ରଥମ ଇନିଂସରେ ଭାରତ ୨୪୪ ରନରେ ଅଲଆଉଟ୍ ହେବାରୁ ଅଷ୍ଟ୍ରେଲିଆ ୯୪ ରନ ମହତ୍ଵପୂର୍ଣ୍ଣ ଅଗ୍ରଣୀ  ହାସଲ କରିଥିଲା। ଦଳ ପକ୍ଷରୁ ଶୁବମାନ ଗିଲ୍ ୫୦ ଓ ଚେତେଶ୍ଵର ପୂଜାରା ୫୦ ରନ କରିଛନ୍ତି। ଘରୋଇ ଦଳ ଏବେ ଦୃଢ ସ୍ଥିତିରେ ରହିଛି। ଆଉ ଦୁଇ ଦିନ ଖେଳ ବାକି ଥିବା ବେଳେ ଅଷ୍ଟ୍ରେଲିଆ ହାତରେ ୮ ଓ୍ଵିକେଟ୍ ରହିଛି।

ଦ୍ଵିତୀୟ ଦିନର ଅସମାପ୍ତ ଖେଳ ୯୬/୨ରୁ ଭାରତ ଦ୍ଵିତୀୟ ଦିନର ବ୍ୟାଟିଂ ଆରମ୍ଭ କରିଥିଲା। କ୍ରିଜରେ ଥିଲେ ଅଧିନାୟକ ଆଜିଙ୍କ୍ୟ ରାହାଣେ ଓ ଚେତେଶ୍ଵର ପୂଜାରା। ଆଶା କରାଯାଉଥିଲା ଏହି ଦୁଇ ଅଭିଜ୍ଞ ବ୍ୟାଟସମ୍ୟାନ ଦଳକୁ ମଜବୁତ ସ୍ଥିତି ପ୍ରଦାନ କରିବେ। ହେଲେ ଭାରତକୁ ସଅଳ ଝଟକା ଲାଗିଥିଲା। ରାହାଣେ ୨୨ ରନ କରି ପାଟ କମିନ୍ସଙ୍କ ବଲରେ ବୋଲ୍ଡ ହୋଇଥିଲେ। ଏହା ପରେ ହନୁମା ବିହାରୀ(୪ ରନ) ନିଜର ଭୁଲ୍ ପାଇଁ ରନ ଆଉଟ୍ ହୋଇ ଦଳକୁ ନିରାଶ କରିଥିଲେ। ୧୪୨ ରନରେ ୪ ଓ୍ଵିକେଟ୍ ହରାଇବା ପରେ ପୂଜାରା ଋଷଭ ପନ୍ତଙ୍କୁ ସହିତ ପଞ୍ଚମ ଓ୍ଵିକେଟ୍‌ରେ ୫୨ ରନ ଯୋଡି ଦଳର ସ୍ଥିତିରେ ସୁଧାର ଆଣିଥିଲେ। ପୂଜାରା ଟେଷ୍ଟ କ୍ୟାରିୟରରେ ୨୬ତମ ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ପରେ ଭାରତର ଓ୍ଵିକେଟ୍ ପତନ ଆରମ୍ଭ ହୋଇଥିଲା। ଭଲ ଫର୍ମରେ ନଜର ଆସୁଥିବା ପନ୍ତ ୩୬ ରନ କରି ହେଜେଲଉଡଙ୍କ ବଲରେ ଡେଭିଡ୍ ଓ୍ଵାର୍ଣ୍ଣରଙ୍କୁ ସ୍ଲିପ୍‌ରେ କ୍ୟାଚ୍‌ ଦେଇ ପାଭିଲିୟନ ଫେରିଥିଲେ। ସେହି ୧୯୫ ରନରେ ପୂଜାରା କମିନ୍ସଙ୍କ ବଲରେ ଆଉଟ୍ ହେବା ଭାରତକୁ ବହୁତ ବଡ ଝଟକା ଲାଗିଥିଲା। ପୂଜାରା ୧୭୬ ବଲରେ ୫ ଚୌକା ସହ ୫୦ ରନ କରି ଆଉଟ୍ ହୋଇଥିଲେ।

ଏହା ପରେ ଆଶା କରାଯାଉଥିଲା ରବୀନ୍ଦ୍ର ଜାଡେଜା ନିମ୍ନକ୍ରମର ବ୍ୟାଟସମ୍ୟାନଙ୍କ ସହ ଦଳର ସ୍ଥିତିରେ ସୁଧାର ଆଣିବେ। ହେଲେ ୨୦୬ ରନ ସ୍କୋରରେ ଜାଡେଜା ଏକ ରନ ନେବା ଚକ୍କରରେ ରବି ଚନ୍ଦ୍ରନ ଅଶ୍ଵିନ(୧୦ ରନ)ଙ୍କୁ ରନ ଆଉଟ୍ କରାଇଥିଲେ। ନବଦୀପ ସାଇନି(୩ ରନ) ମିଚେଲ ଷ୍ଟାର୍କଙ୍କ ଶିକାର ହୋଇଥିଲେ। ପୁଣି ଜାଡେଜା ସମାନ ଭୁଲ୍ ଦୋହରାଇ ଦ୍ରୁତ ଗତିରେ ରନ ନେବା ଚକ୍କରରେ ବୁମରାଙ୍କୁ ରନ ଆଉଟ୍ କରାଇଥିଲେ। ୨୧୬ ରନରେ ୯ ଓ୍ଵିକେଟ୍ ହରାଇବା ପରେ ଜାଡେଜା ଓ ମହମ୍ମଦ ସିରାଜ ଦଶମ ଓ୍ଵିକେଟ୍‌ରେ ୨୮ ରନ ଯୋଡିଥିଲେ। ସିରାଜ(୬ ରନ) କମିନ୍ସଙ୍କ ଚତୁର୍ଥ ଶିକାର ହେବା ସହ ଭାରତର ଇନିଂସ ୨୪୪ ରନରେ ସମାପ୍ତ ହୋଇଥିଲା। ଜାଡେଜା ୩୭ ବଲରୁ ୫ ଚୌକା ସହ ୨୮ ରନ କରି ଅପରାଜିତ ଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ପାଟ କମିନ୍ସ ୨୯ ରନ ଦେଇ ସର୍ବାଧିକ ୪ ସଫଳତା ପାଇଥିବା ବେଳେ ହେଜେଲଉଡ ୨ ଏବଂ ମିଚେଲ ଷ୍ଟାର୍କ ୧ ଓ୍ଵିକେଟ୍ ନେଇଥିଲେ।

ଏହା ପରେ ଅଷ୍ଟ୍ରେଲିଆ ଦ୍ଵିତୀୟ ଇନିଂସ ଆରମ୍ଭ କରିଥିଲା।  ହେଲେ ଭାରତୀୟ ବୋଲର ଘରୋଇ ଦଳର ଦୁଇ ଓପନରଙ୍କୁ ଅଧିକ ସମୟ କ୍ରିଜରେ ତିଷ୍ଠିବାକୁ ଦେଇନଥିଲେ। ୧୬ ରନରେ ଓ୍ଵିଲ ପୁକୋଭସ୍କି(୧୦ ରନ)ଙ୍କୁ ଆଉଟ୍ କରି ମହମ୍ମଦ ସିରାଜ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ପରେ ଡେଭିଡ୍ ଓ୍ଵାର୍ଣ୍ଣର(୧୩ ରନ)ଙ୍କୁ ରବି ଚନ୍ଦ୍ରନ ଅଶ୍ଵିନ  ଆଉଟ୍ କରି ଭାରତକୁ ଦ୍ଵିତୀୟ ସଫଳତା ଦେଇଥିଲେ। ଏହା ପରେ ଦୁଇ ଇନଫର୍ମ ବ୍ୟାଟସମ୍ୟାନ ମାର୍ନସ ଲାବୁସାନେ ଓ ଷ୍ଟିଭ୍ ସ୍ମିଥ୍ ଦଳକୁ ଆଉ କୌଣସି କ୍ଷତି ହେବାକୁ ଦେଇନଥିଲେ। ଦୁଇ ବ୍ୟାଟସମ୍ୟାନ ତୃତୀୟ ଦିନରେ ଅବିଭାଜିତ ତୃତୀୟ ଓ୍ଵିକେଟ୍‌ରେ ୬୮ ରନ ଯୋଡି ଦଳର ସ୍କୋରକୁ ୨ ଓ୍ଵିକେଟ୍‌ରେ ୧୦୩ରେ ପହଞ୍ଚାଇ ସାରିଛନ୍ତି।  ଆଉ ଦିନ ଖେଳ ବାକି ଥିବା ବେଳେ ଅଷ୍ଟ୍ରେଲିଆ ଭାରତଠୁ ୧୯୭ ରନର ଅଗ୍ରଣୀ ହାସଲ କରି ଦୃଢ ସ୍ଥିତିରେ ରହିଛି। ଦଳ ହାତରେ ଆହୁରି ୮ ଓ୍ଵିକେଟ୍ ବାକି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.