ରାଜ୍ୟର ଐତିହାସିକ ବନ୍ଦର ସହର ଚାନ୍ଦବାଲିକୁ ମିଳିଛି ଦେଶର ଡାର୍ଟିଏଷ୍ଟ ସିଟିର ମାନ୍ୟତା

Published By : Prameya-News7 Bureau | June 24, 2018 IST

ରାଜ୍ୟର ଐତିହାସିକ ବନ୍ଦର ସହର ଚାନ୍ଦବାଲିକୁ ମିଳିଛି ଦେଶର ଡାର୍ଟିଏଷ୍ଟ ସିଟିର ମାନ୍ୟତା।ସ୍ବଚ୍ଛ ଭାରତ ସର୍ଭେକ୍ଷଣ ରିପୋର୍ଟ ୨୦୧୮ର ରାଙ୍କିଙ୍ଗ ତାଲିକାରେ ସାମ୍ନାକୁ ଆସିଛି ଏହି ତଥ୍ୟ। ସବୁଠାରୁ ରୋଚକ ତଥ୍ୟଟି ହେଉଛି ଦେଶର ଅସ୍ବଚ୍ଛ ସହର ତାଲିକାରେ ସ୍ଥାନ ପାଇଥିବା ରାଜ୍ୟଗୁଡିକ ମଧ୍ୟରେ ପଶ୍ଚିମବଙ୍ଗର ୭ଟି ସହର, ଉତ୍ତରପ୍ରଦେଶର ଗୋଟିଏ,ବିହାରର ଗୋଟିଏ ଓ ଓଡିଶାର ଏକମାତ୍ର ସହରଭାବେ ଚାନ୍ଦବାଲି ସ୍ଥାନ ପାଇଛି। ଦେଶର ଅସ୍ଚଚ୍ଛ ସହରର ମାନ୍ୟତା ମିଳିବାପରେ ଚାନ୍ଦବାଲି ବାସୀନ୍ଦାଙ୍କ ପାଇଁ ଏହା ଲଜ୍ଜା ଓ ପରିତାପର ବିଷୟ ପାଲଟିଛି। ସବୁ ମହଲରେ ପ୍ରଶାସନର ଅପାରଗତା ଓ ରାଜ୍ୟସରକାରଙ୍କ ଉଦାସୀନତାକୁ ଏଥିପାଇଁ ଦାୟୀ କରାଯାଉଛି। ଚାନ୍ଦବାଲିରେ ପ୍ରତି ଗଳି ଛକରେ ପଡି ରହିଛି କୁଢକୁଢ ଅଳିଆ ଆବର୍ଜନା। ଆବର୍ଜନା ଓ ଦୁଷିତ ଜଳ ନିଷ୍କାସନ ହୋଇନପାରିବାରୁ ସହରରବାସୀ ଅସ୍ବାସ୍ଥ୍ୟକର ପରିବେଶରେ ଜୀବନ ବିତାଉଛନ୍ତି। ସ୍ବଚ୍ଛ ଭାରତ ସର୍ଭେକ୍ଷଣ ରିପୋର୍ଟ ରିପୋର୍ଟ ପ୍ରକାଶ ପାଇବାପରେ ଆକ୍ସନ ମୋଡକୁ ଆସିଛି ପ୍ରଶାସନ। ଖୁବ୍ ଶୀଘ୍ର ଆକ୍ସନପ୍ଲାନ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ଚାନ୍ଦବାଲି ଏନଏସି ଅଫିସର। ଗୋଟିଏ ବର୍ଷ ଭିତରେ ଚାନ୍ଦବାଲିକୁ ଅସ୍ବଚ୍ଛ ସହରରୁ ସ୍ବଚ୍ଛ ସହର ୧ନଂ ମାନ୍ୟତାକୁ ଆଣିବେ ବୋଲି କହିଛନ୍ତି ଚାନ୍ଦବାଲି କାର୍ଯ୍ୟନିର୍ବାହୀ ଅଧିକାରୀ। ତେବେ ଚାନ୍ଦବାଲି କେବେ ଏହି ଦୁର୍ନାମକୁ ଦୂର କରିପାରିବ ତାହା ଦେଖିବା ବାକି ରହିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.