କୁଆରମୁଣ୍ଡାରେ ଚାଞ୍ଚଲ୍ୟ: ଦୀର୍ଘ ୫ ମାସ ଧରି ଦୁଷ୍କର୍ମର ଶିକାର ହେଉଥିଲେ ନାବାଳିକା, ଏବେ ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ପୀଡିତା

Published By : Prameya-News7 Bureau | October 28, 2020 IST

କୁଆରମୁଣ୍ଡା୨୮।୧୦: ୫ ମାସ ଧରି ହେଉଥିଲେ ଦୁଷ୍କର୍ମର ଶିକାର। ଖସି ଆସିବାକୁ ଅନେକ ଥର ଚେଷ୍ଟା କରି  ବିଫଳ ହୋଇଥିଲେ । ଦିନେ ସାହସ କରି ଖସି ଆସି ପୁଲିସ୍‌କୁ ଜଣାଇଥିଲେ । ହେଲେ ପୁଲିସ୍‌ କୌଣସି ମାମଲା ରୁଜୁ କରିନଥିଲା । ଶେଷରେ ନ୍ୟାୟ ପାଇବା ଆଶାରେ ପୀଡ଼ିତା ଏସ୍‌ପିଙ୍କୁ ସମସ୍ତ କଥା ଜଣାଇବା ପରେ ତାଙ୍କ ନିର୍ଦ୍ଦେଶରେ ପୁଲିସ୍‌ ମାମଲା ରୁଜୁ କରିଛି । ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ଅଞ୍ଚଳରେ ।

କୁଆରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ବାର୍ତ୍ତାଗୁଟୁର ଗଞ୍ଜୁଟୋଲାରେ ରହୁଥିବା ରଞ୍ଜିତ ବଡ଼ାଇକ (୨୪) ଜଣେ ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ନିଜ ପ୍ରେମ ଜାଲରେ ଫସାଇଥିଲେ । ଏପରିକି ବିବାହ କରିବାକୁ କହି ନିଜ ଘରକୁ ନେଇ ଯାଇଥିଲେ । ସେଠାରେ ତାଙ୍କୁ ଏକ ଅନ୍ଧାର କୋଠରୀ ଭିତରେ ବନ୍ଦ କରି ରଖିଥିଲେ । ବିବାହ କରିବା ତ ଦୂରର କଥା ନାବାଳିକାଙ୍କ ଅନିଚ୍ଛା ତାଙ୍କୁ ଧମକଚମକ ଦେଇ ଜବରଦସ୍ତ ଶାରୀରିକ ସମ୍ପର୍କ ରଖୁଥିଲେ ରଞ୍ଜିତ । ଘରୁ ତାଙ୍କୁ କୁଆଡ଼େ ଛାଡ଼ୁନଥିଲେ । ରଞ୍ଜିତ ଓ ତାଙ୍କ ପରିବାର ଲୋକେ ୨୪ ଘଣ୍ଟା ପୀଡ଼ିତାଙ୍କ ଉପରେ ନଜର ରଖୁଥିଲେ ।

ଏପଟେ ଝିଅକୁ ରଞ୍ଜିତ ନେଇ ଯାଇଥିବା ଜାଣିବା ପରେ ପୀଡ଼ିତାଙ୍କ ବାପା ପୁଲିସ୍‌ ନିକଟକୁ ଅଭିଯୋଗ କରିବାକୁ ଯାଇଥିଲେ । ମାତ୍ର ପୁଲିସ୍‌ ସେ ସମୟରେ ଅଭିଯୋଗ ପତ୍ର ରଖିନଥିଲା ବୋଲି ପୀଡ଼ିତାଙ୍କ ବାପା କହିଛନ୍ତି । ଏପରିକି ନାବାଳିକାଙ୍କୁ ଘରେ ବନ୍ଦୀ କରି ରଖିବା ସହ ଠିକ ଭାବେ ଖାଇବାକୁ ଦିଆଯାଉନଥିଲା । ଦିନେ ସାହସ କରି ପୀଡ଼ିତା ସେଠାରୁ ଖସି ନିଜ ଘରକୁ ପଳାଇ ଆସିଥିଲେ । ନାବାଳିକା ଘରେ ଥିବା ସମୟରେ ରଞ୍ଜିତଙ୍କ ପରିବାର ଲୋକେ ପହଞ୍ଚି ତାଙ୍କୁ ନେଇ ଯିବାକୁ ଉଦ୍ୟମ କରିବା ସହ ଜୀବନରୁ ମାରି ଦେବାକୁ ଧମକଚମକ ଦିଆଯାଇଥିଲା ।

ପୁଲିସ୍‌ ପହଞ୍ଚି ମାମଲା ରୁଜୁ କରିବା ତ ଦୂରର କଥା ଓଲଟା ଦୁଇ ପକ୍ଷକୁ ବୁଝାସୁଝା କରି ପଳାଇ ଆସିଥିଲା । ଶେଷରେ ନ୍ୟାୟ ପାଇବା ନେଇ ଗତକାଲି ପୀଡ଼ିତାଙ୍କ ବାପା ସୁନ୍ଦରଗଡ଼ ଏସ୍‌ପି ସାଗରିକ ନାଥଙ୍କୁ ଫୋନ କରି ସମସ୍ତ ବିଷୟ ଜଣାଇଥିଲେ । ଏସ୍‌ପି ସମସ୍ତ କଥା ଶୁଣିବା ପରେ ବୀରମିତ୍ରପୁର ପୁଲିସ୍‌ ତୁରନ୍ତ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପୁଲିସ୍‌ ଏ ନେଇ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଅଭିଯୁକ୍ତ ରଞ୍ଜିତଙ୍କୁ ଅଟକ ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.