ଭାରତର କୂଟନୀତିର ପ୍ରଭାବ: ଏକା ବେଳେ ପଛଘୁଞ୍ଚା ଦେବାକୁ ବିବଶ ହେଲେ ଚୀନ-ନେପାଳ

Published By : Prameya-News7 Bureau | May 27, 2020 IST

ନୂଆଦିଲ୍ଲୀ ୨୭।୦୫: ଭାରତ କୂଟନୈତିକ ସ୍ତରରେ ପୁଣି ଥରେ ବଡ ବାଜିମାତ୍ କରିଛି। ସୀମା ବିବାଦ ପ୍ରସଙ୍ଗରେ ଚୀନ ଓ ନେପାଳକୁ ଏକ ସଙ୍ଗେ ପଛଘୁଞ୍ଚା ଦେବାକୁ ବିବଶ କରିଛି। ଲଦାଖରେ ଭାରତ-ଚୀନ ସୀମାରେ ଉତ୍ତେଜନାମୂଳକ ସ୍ଥିତି ମଧ୍ୟରେ ଚୀନ ଅଚାନକ ଶାନ୍ତି କଥା କହିଥିବା ବେଳେ ନେପାଳ ନକ୍ସା ବିବାଦ ମାମଲାରେ ବିଧେୟକକୁ ଫେରାଇ ନେଇଛି। ବିବାଦୀୟ ନକ୍ସା ସମ୍ବନ୍ଧିତ  ବିଧେୟକ ଆଜି ନେପାଳ ସଂସଦରେ ଉପସ୍ଥାପିତ ହୋଇ ପାରି ନାହିଁ।

ପୂର୍ବି ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା(LAC)ରେ ମେ ୫ରୁ ଉତ୍ତେଜନାମୂଳକ ସ୍ଥିତି ଉତ୍ପନ କରି ଭାରତ ଉପରେ ଚାପ ପକାଇବାକୁ ନିଜର ଉଦ୍ୟମରେ ବିଫଳ ହେବା ପରେ ଚୀନର ସ୍ଵର ନରମ ପଡୁଥିବା ଦେଖା ଯାଇଛି। ପ୍ରଥମେ ଚୀନୀ ବୈଦେଶିକ ମନ୍ତ୍ରୀ ସୀମାରେ ଭାରତ ସହିତ ସ୍ଥିତି ସ୍ଵାଭାବିକ ହେବାକୁ ଆଶା ପ୍ରକଟ୍ କରିଥିବା ବେଳେ ଏବେ ଭାରତରେ ଚୀନର ରାଷ୍ଟ୍ରଦୂତ ଆଲୋଚନା ମାଧ୍ୟମରେ ମତଭେଦ ଦୂର କରିବା ଉପରେ ଜୋର୍ ଦେଇଛନ୍ତି। ସେ କହିଛନ୍ତି ଚାଇନିଜ୍ ଡ୍ରାଗନ ଓ ଭାରତୀୟ ହାତୀ ଏକ ସାଙ୍ଗରେ ନାଚି ପାରିବେ।

ଭାରତରେ ଚୀନର ରାଷ୍ଟ୍ରଦୂତ ସନ ଓ୍ଵିଡୋଙ୍ଗ କନଫେଡେରେସନ ଅଫ ୟଙ୍ଗ ଲିଡର୍ସ ସମ୍ମିଳନୀକୁ ସମ୍ବୋଧିତ କରି ଭାରତ ଓ ଚୀନର ସଂପର୍କକୁ ପ୍ରଗାଢ କରିବା ଉପରେ ଜୋର୍‌ ଦେଇଛନ୍ତି। ସେ କହିଛନ୍ତି, ଆମେ କେବେ ବି ନିଜର ମତଭେଦକୁ ଆମର ସଂପର୍କ ଉପରେ ଭାରି ହେବାକୁ ଦେବୁ ନାହିଁ। ଆଲୋଚନା ମାଧ୍ୟମରେ ମତଭେଦକୁ ଦୂର କରିବା ଉଚିତ୍। ଓ୍ଵିଡୋଙ୍ଗ କହିଛନ୍ତି, ଚୀନ ଓ ଭାରତ କୋଭିଡ୍-୧୯ ବିରୋଧରେ ଲଢେଇ କରୁଛନ୍ତି ଓ ଆମ ଉପରେ ଦୁଇ ଦେଶର ସଂପର୍କକୁ ଅଧିକ ସୁଦୃଢ କରିବାର ଦାୟିତ୍ଵ ରହିଛି।

ଉଲ୍ଲେଖଯୋଗ୍ୟ, ଏଲଏସି ଉପରେ  ଜାରି ଉତ୍ତେଜନାମୂଳକ ସ୍ଥିତି ମଧ୍ୟରେ ଭାରତ କେବେ ବି ଉସୁକାଇବା ପରି ବୟାନ ଦେଇ ନାହିଁ। ମାତ୍ର ମଙ୍ଗଳବାର ଆସିଥିବା ଖବର ଅନୁଯାୟୀ ଚୀନ ରାଷ୍ଟ୍ରପତି ସି  ଜିନପିଙ୍ଗ ନିଜର ସେନାକୁ ଯୁଦ୍ଧ ଲାଗି ପ୍ରସ୍ତୁତ ରହିବାକୁ କହିଛନ୍ତି। ଚୀନ ସର୍ବଦା ବିସ୍ତାରବାଦୀ ନୀତିକୁ ପ୍ରମୁଖତା ଦେଇ ଆସିଛି। ଡ୍ରାଗନ ଦୁର୍ବଳ ଦେଶକୁ ଋଣ  ଜାଲରେ ଫସାଇ ନିଜର ସାମ୍ରାଜ୍ୟ ବିସ୍ତାର କରିବାକୁ ଜୋର୍ ଦେଇ ଆସିଛି। ଅନ୍ୟପଟେ ଭାରତ ପରି ଦେଶ ବିରୋଧରେ ସୈନ୍ୟ ଜରିଆରେ ଚାପ ପକାଇବାକୁ ଚେଷ୍ଟା କରି ଆସିଛି। ମାତ୍ର ଏହି ପରି ପ୍ରୟାସରେ ଚୀନ ସବୁ ଥର ବିଫଳ ହୋଇଛି। ଡୋକଲାମ ପରେ ଏବେ ଲଦାଖରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ କରାଇ କୋଭିଡ୍-୧୯ ମହାମାରୀ ସଙ୍କଟରେ ଦୁନିଆର ଧ୍ୟାନ ହଟାଇବାକୁ ଚେଷ୍ଟା କରୁଛି ଡ୍ରାଗନ।

ନେପାଳ ଦେଲା ପଛଘୁଞ୍ଚା

ନେପାଳରେ ନକ୍ସା ବିବାଦରେ ପ୍ରମୁଖ ବିରୋଧୀ ପାର୍ଟି ନେପାଳି କଂଗ୍ରେସର ଆଭିମୁଖ୍ୟ ଦେଖି ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ନିଜକୁ ପଛଘୁଞ୍ଚା ଦେବାକୁ ପଡିଛି। ନେପାଳ ବୁଧବାର ନିଜର ଏହି ବିବାଦୀୟ ନକ୍ସା ଉପରେ ରୋକ୍‌ ଲଗାଇଛି। ନେପାଳ ପକ୍ଷରୁ ଜାରି ନୂତନ ନକ୍ସାକୁ ଦେଶର ସମ୍ବିଧାନରେ ଯୋଡିବା ଲାଗି ଆଜି ସଂସଦରେ ସମ୍ବିଧାନ ସଂଶୋଧନର ପ୍ରସ୍ତାବ ଉପସ୍ଥାପନ ହେବାର ଥିଲା। ମାତ୍ର ଏହା ଉପରେ ଆଲୋଚନା କାରିବା ତ ଦୂରର କଥା ଗୃହରୁ ହିଁ ଏହି ଏଜେଣ୍ଡାକୁ ବାଦ୍‌ ଦିଆଯାଇଛି। କୁହାଯାଉଛି ଯେ, ନେପାଳର ମୁଖ୍ୟ ବିରୋଧୀ ପାର୍ଟି ନେପାଳ କଂଗ୍ରେସ ମଙ୍ଗଳବାର ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ କେପି ଓଲିଙ୍କୁ ଏହି ମାମଲାରେ ଆଉ କିଛି ସମୟ ଦରକାର ବୋଲି କହିଥିଲେ। ଏହା ପରେ ଏବେ ସମ୍ବିଧାନର ସଂଶୋଧନ ବିଧେୟକକୁ ସଂସଦର କାର୍ଯ୍ୟସୂଚୀରୁ ହଟାଇ ଦିଆଯାଇଛି। ପ୍ରସ୍ତାବ ପାରିତ ଲାଗି ଦୁଇ ତୃତୀୟାଂଶ ସମର୍ଥନ ଦରକାର।

ଦୁଇ ଦେଶର ସଂପର୍କରେ ଫାଟ ସେତେବେଳେ ସୃଷ୍ଟି ହୋଇଥିଲା ଯେବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମେ ୮ରେ ଲିପୁଲେଖ ପାସ୍‌କକୁ ଧାରଚୂଲା ସହ ସଂଯୋଗ କରୁଥିବା ରଣନୀତି ରୂପେ ମହତ୍ଵପୂର୍ଣ୍ଣ ୮୦ କିଲୋମିଟର ଲମ୍ବା ସଡକର ଉଦ୍‌ଘାଟନ କରିଥିଲା। ଏହାକୁ ନେପାଳ ବିରୋଧ କରିଥିଲା। ନେପାଳ ଦାବି କରିଥିଲା ଯେ, ଏହି ସଡକ ନେପାଳ ସୀମା ଦେଇ ଯାଉଛି। ଭାରତ ଏହି ଦାବକୁ ଖାରଜ କରି କହିଥିଲା, ଏହି ସଡକ ସଂପୂର୍ଣ୍ଣ ଭାବେ ନିଜ ସୀମା ଭିତରେ ରହିଛି।

ଉଲ୍ଲେଖଯୋଗ୍ୟ, ନେପାଳ ସରକାର ସଂସଦରେ ମେ ୨୨ରେ ନୂତନ ନକ୍ସାର ସଂଶୋଧନ ଲାଗି ପ୍ରସ୍ତାବ ଦେଇଥିଲା। ଏହା ପୂର୍ବରୁ ମେ ୧୮ରେ ନେପାଳ ସରକାର କାଲାପାନି, ଲିପୁଲେଖ ଓ ଲିମ୍ପିୟାଧୁରକୁ ନିଜର କ୍ଷେତ୍ର ଦର୍ଶାଇ ନୂତନ ନକ୍ସା ଜାରି କରିଥିଲା। କିଛି ଦିନ ପୂର୍ବରୁ ଭାରତ ଲିପୁଲେଖର ରାସ୍ତାରେ ମାନସରୋବର ପାଇଁ ଏକ ଲିଙ୍କ୍ ରୋଡ୍‌ ନିର୍ମାଣ କରିଥିଲା। ଏହାକୁ ନେଇ ନେପାଳ ଅସନ୍ତୁଷ୍ଟ ହୋଇଥିଲା ଏବଂ ଭାରତ ସମ୍ମୁଖରେ ଲଗାତାର ଏହି ପ୍ରସଙ୍ଗ ଉଠାଇ ଚାଲିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.