ମୁମ୍ବାଇ ୨୩/୧୧ : ରଣବୀର ସିଂ ଏବଂ ଦୀପିକା ପାଦୁକୋନ ନିକଟରେ ଇଟାଲୀର ଲେକ କୋମୋ ଠାରେ ବିବାହ କରିଛନ୍ତି | ସମ୍ପୂର୍ଣ ସିକ୍ରେଟ ଥିଲା ତାଙ୍କ ବାହାଘର | କିନ୍ତୁ ବାହାଘର ପରେ ଉଭୟ ବିବାହ ପୂର୍ବର ଏବଂ ବିବାହ ପରର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା | ଏମିତିକି ବିବାହର ପ୍ରଥମ ଫଟୋ ଇନ୍ସଟାଗ୍ରାମରେ ପୋଷ୍ଟ କରିବାର ଘଣ୍ଟାଏରେ ୩ ଲକ୍ଷ ଲୋକ ଦେଖି ଲାଇକ କରିଥିଲେ | ଉଭୟଙ୍କ ପ୍ରଶଂସକ ଦୀପବୀରଙ୍କୁ ବିବାହର ଶୁଭେଚ୍ଛା ମଧ୍ୟ ଜଣେଇଥିଲେ | ଦୀପବୀରଙ୍କ ପ୍ରଥମ ରିସେପସନ ବାଙ୍ଗାଲୁରୁ ଠାରେ ଅନୁଷ୍ଠିତ ହୋଇଯାଇଛି | ରିସେପ୍ସନ ଫଟୋ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି | ତେବେ ବିବାହରେ ଯୋଗ ଦେଇଥିବା ଅତିଥିଙ୍କୁ ଦୀପବୀର ଦେଇଥିବା ଉପହାର ଫଟୋ ମଧ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |
ବିବାହରେ ଯୋଗଦେଇଥିବା ଅତିଥିଙ୍କୁ ଏକ ସ୍ୱତନ୍ତ୍ର ଉପହାର ପ୍ରଦାନ କରିଥିଲେ ଦୀପବୀର | ଅତିଥିଙ୍କୁ ରୂପା ଫଟୋ ଫ୍ରେମ ଉପହାର ଦେଇଛନ୍ତି ନବ ଦମ୍ପତି | ଯେଉଁମାନେ ଏହି ଉପହାର ତିଆରି କରିଛନ୍ତି ସେମାନେ ମଧ୍ୟ ଅତ୍ୟନ୍ତ ଖୁସି ଜାହିର କରି କହିଛନ୍ତି ଯେ, "ଦୀପବୀରଙ୍କ ଏହି ଉପହାର ତିଆରି କରିବା ଆମ ପାଇଁ ଅତ୍ୟନ୍ତ ଖୁସି ଦାୟକ ଥିଲା | " ରୂପାରେ ତିଆରି ଏହି ଫ୍ରେମରେ ସୂକ୍ଷ୍ମ କାରୁକାର୍ଯ୍ୟ କରାଯାଇଛି |
ବାଙ୍ଗାଲୁରୁରେ ରିସେପସନ ସାରି ଦୀପବୀର ମୁମ୍ବାଇ ଫେରି ଆସିଥିଲେ | ଆସନ୍ତା ୨୮ ତାରିଖରେ ମୁମ୍ବାଇରେ ଘନିଷ୍ଠ ବନ୍ଧୁ ଏବଂ ପରିଜନଙ୍କ ପାଇଁ ଆଉ ଏକ ପାର୍ଟିର ଆୟୋଜନ କରିଛନ୍ତି ନବ ଦମ୍ପତି | ବଲିଉଡ ସାଥିଙ୍କ ପାଇଁ ଡିସେମ୍ବର ୧ ତାରିଖରେ ଆଉ ଏକ ପାର୍ଟିର ଆୟୋଜନ ହୋଇଛି |