SBIର ନୂଆ ଅଧ୍ୟକ୍ଷ ଭାବେ ଦୀନେଶ କୁମାର ଖରା ନିଯୁକ୍ତ, ପଦରେ ରହିବେ ୩ ବର୍ଷ

Published By : Prameya-News7 Bureau | October 07, 2020 IST

ନୂଆଦିଲ୍ଲୀ ୭।୧୦: କେନ୍ଦ୍ର ସରକାର ମଙ୍ଗଳବାର ଦିନ ଦୀନେଶ କୁମାର ଖରାଙ୍କୁ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି । ଅକ୍ଟୋବର ୭ରୁ ତାଙ୍କ କାର୍ଯ୍ୟକାଳ ଆରମ୍ଭ ହେବ । ଦୀନେଶ କୁମାର ଖରା ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ଏହି ପଦରେ ରହିବେ । ଅଧ୍ୟକ୍ଷ ଏସବିଆଇର ମୁଖ୍ୟ ହୋଇଥାନ୍ତି । ତାଙ୍କ ଅଧିନରେ ୪ ଜଣ ପରିଚାଳନା ନିର୍ଦ୍ଦେଶକ ରହିଥାନ୍ତି । ଦୀନେଶ କୁମାର ଖରା ବର୍ତ୍ତମାନର ଅଧ୍ୟକ୍ଷ ରଜନୀଶ କୁମାରଙ୍କ ସ୍ଥାନ ନେବେ ।

ଅଧ୍ୟକ୍ଷ ଭାବେ ରଜନୀଶ କୁମାରଙ୍କ କାର୍ଯ୍ୟକାଳର ୩ ବର୍ଷ ଚଳିତ ବର୍ଷ ଅକ୍ଟୋବର ୬ ତାରିଖରେ ଶେଷ ହେଉଛି । ସବୁଠୁ ଆଶ୍ଚର୍ଯ୍ୟଜନକ ହେଉଛି ଯେ, ଯେତେବେଳେ ୨୦୧୭ ମସିହାରେ ରଜନୀଶ କୁମାରଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା ସେତେବେଳେ ରେସ୍ ରେ ଦୀନେଶ କୁମାର ଖରା ମଧ୍ୟ ରହିଥିଲେ । ଖରାଙ୍କ ନିଯୁକ୍ତି ଅଗଷ୍ଟ ୨୦୧୬ରେ ଏସବିଆଇ ପରିଚାଳନା ନିର୍ଦ୍ଦେଶକ ଭାବେ ହୋଇଥିଲା । ପରିଚାଳନା ନିର୍ଦ୍ଦେଶକର କାର୍ଯ୍ୟକାଳ ୩ ବର୍ଷ ପର୍ଯ୍ୟନ୍ତ ରହିଥାଏ । ଏହାପରେ ତାଙ୍କର ଭଲ କାର୍ଯ୍ୟ ପାଇଁ ୨୦୧୯ରେ ତାଙ୍କର ଦୁଇ ବର୍ଷ କାର୍ଯ୍ୟକାଳ ବଢାଇ ଦିଆଯାଇଥିଲା ।

ଏସବିଆଇର ପରିଚାଳନା ନିର୍ଦ୍ଦେଶକ ଭାବେ ଯୋଗଦେବା ପୂର୍ବରୁ ଏସବିଆଇ ମ୍ୟୁଚୁଆଲ ଫଣ୍ଡସ ମ୍ୟାନେଜମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ର ନିର୍ଦ୍ଦେଶକ ଏବଂ ସିଇଓ ପଦରେ ରହିଥିଲେ । ସେ ୧୯୮୪ରେ ଏସବିଆଇରେ ପିଓ ଭାବେ କାମ ଆରମ୍ଭ କରିଥିଲେ । ଦୀନେଶ କୁମାର ବୋର୍ଡ ଲେବଲ ସ୍ଥାନରେ ରହିଛନ୍ତି ଏବଂ ଏସବିଆଇର ଅଣ ଆର୍ଥିକ ସଂସ୍ଥାର ପରିଚାଳନା କରୁଥିଲେ । ସେ ଏସବିଆଇର ଗ୍ଲୋବାଲ ବ୍ୟାଙ୍କିଙ୍ଗ ଡିଭିଜନରେ ମୁଖ୍ୟ ଅଟନ୍ତି । ଦୀନେଶ କୁମାର ଏସବିଆଇର ୫ଟି ଆସୋସିଏଟସ ବ୍ୟାଙ୍କ ଏବଂ ଭାରତୀୟ ମହିଳା ବ୍ୟାଙ୍କର ଏସବିଆଇରେ ମିଶ୍ରଣ ସମୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.