ଶେଷ ବଲରେ ଛକା ମାରି ଦଳକୁ କରାଇଥିଲେ ଚମ୍ପିଆନ, ଏବେ ଦଳରୁ ବାହାରେ ଅଛନ୍ତି ଏହି ଖେଳାଳି

Published By : Prameya-News7 Bureau | March 18, 2020 IST

ନୂଆଦିଲ୍ଲୀ ୧୮।୦୩: ଆଜିଠୁ ଦୁଇ ବର୍ଷ ପୂର୍ବେ ଅର୍ଥାତ ୨୦୧୮ ମାର୍ଚ୍ଚ ୧୮ରେ ଶ୍ରୀଲଙ୍କାରେ ଆୟୋଜିତ ନିଦହାସ ଟ୍ରଫିରେ ଭାରତ ରୋମାଞ୍ଚକର ବିଜୟ ହାସଲ କରିଥିଲା। ପ୍ରେମଦାସା ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ତ୍ରିକୋଣୀୟ ସିରିଜ୍‌ର ଫାଇନାଲ ମ୍ୟାଚ୍ ଖେଳା ଯାଇଥିଲା। ଗୋଟିଏ ସମୟ ଏମିତି ଥିଲା ଦଳ ଉପରେ ପରାଜୟର ବାଦଲ ଖେଳି ଯାଇଥିଲା। ଏହି ମୁକାବିଲା ହାତରୁ ଖସି ଯିବା ପରି ଲାଗୁଥିଲା, ମାତ୍ର ଓ୍ଵିକେଟ୍ କିପର ଦିନେଶ କାର୍ତ୍ତିକ ଅବିସ୍ମରଣୀୟ ଇନିଂସ ଖେଳି ଭାରତକୁ ବିଜୟୀ କରାଇଥିଲେ। ସେହି ଦିନେଶ କାର୍ତ୍ତିକ ଆଜି ଭାରତୀୟ ଦଳରେ କୌଣସି ଫର୍ମାଟରେ ସଦସ୍ୟ ନାହାନ୍ତି।

{"id":240527,"sizeSlug":"large"}

ରୋହିତ ଶର୍ମାଙ୍କ ଅଧିନାୟକତ୍ଵରେ ଭାରତୀୟ ଦଳ ଶ୍ରୀଲଙ୍କା ଓ ବାଂଲାଦେଶ ବିପକ୍ଷରେ ଖେଳାଯାଉଥିବା ଟି-୨୦ ତ୍ରିକୋଣୀୟ ସିରିଜର ଫାଇନାଲରେ ପ୍ରବେଶ କରିଥିଲା। ଫାଇନାଲ ମୁକାବିଲା ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିଲା। ବାଂଲାଦେଶ ଭାରତୀୟ ଦଳକୁ ୧୬୭ ରନର ବିଜୟ ଲକ୍ଷ୍ୟ ଦେଇଥିଲା। ଭାରତକୁ ଜିତିବା ଲାଗି ଶେଷ ଦୁଇ ଓଭରରେ ୩୪ ରନ ଆବଶ୍ୟକ ଥିଲା। ଏହା ପୂର୍ବରୁ ୧୮ତମ ଓଭର ମେଡେନ୍ ରହିଥିଲା। ବିଜୟ ଶଙ୍କର ଗୋଟିଏ ହେଲେ ବଲରେ ରନ କରି ପାରିନଥିଲେ। ୧୯ତମ ଓଭର ବୋଲିଂ କରିବାକୁ ଆସିଥିବା ରୁବେଲ ହୁସେନ କେବେ ଭାବିନଥିଲେ ଯେ ତାଙ୍କରି ଏହି ଓଭରରେ ଦିନେଶ କାର୍ତ୍ତିକ ୨୨ ରନ କରିବେ। କାର୍ତ୍ତିକ ଏହି ଓଭରରେ ୨ ଛକା ଓ ୨ ଚୌକା ମାରିଥିଲେ।

{"id":240528,"sizeSlug":"large"}

ଶେଷ ଓଭରରେ ଭାରତକୁ ବିଜୟ ପାଇଁ ୧୨ ରନ ଦରକାର ଥିଲା। ଓଭରର ତୃତୀୟ ବଲରେ ଷ୍ଟ୍ରାଇକ ଦିନେଶ କାର୍ତ୍ତିକଙ୍କୁ ମିଳିଥିଲା। କାର୍ତ୍ତିକ ଏହି ବଲରେ ଏକ ରନ ନେଇଥିଲେ ଏବଂ ଶଙ୍କରକୁ ଷ୍ଟ୍ରାଇକ ଦେଇଥିଲେ। ଶଙ୍କର ଓଭରର ଚତୁର୍ଥ ବଲରେ ଚୌକା ମାରିଥିଲେ। ଭାରତକୁ ଏବେ ଦୁଇଟି ବଲରେ ୬ ରନ ଆବଶ୍ୟକ ଥିଲା। ମାତ୍ର ଶଙ୍କର ପଞ୍ଚମ ବଲରେ ମେହଦି ହାସନଙ୍କୁ କ୍ୟାଚ୍ ଦେଇ ବସିଥିଲେ। କାର୍ତ୍ତିକ ଏକ ରନ ନେଇ ଷ୍ଟ୍ରାଇକରେ ଥିଲେ। ଶେଷ ବଲରେ ଜିତିବାକୁ ୬ ରନ ଦରକାର ଥିଲା। ଲାଗୁଥିଲା ଭାରତ ଏହି ମ୍ୟାଚ୍ ହାରିଯିବ। କିନ୍ତୁ କାର୍ତ୍ତିକ ଶେଷ ବଲରେ ଅବିଶ୍ଵସନୀୟ ଛକା ମାରି ଦଳକୁ ଚମ୍ପିଆନ କରାଇଥିଲେ। କାର୍ତ୍ତିକ ୮ଟି ବଲରୁ ୩ ଛକା ଓ ୨ଟି ଚୌକା ସହିତ ଅପରାଜିତ ୨୯ ରନର ଇନିଂସ ଖେଳିଥିଲେ।

{"id":240529,"sizeSlug":"large"}

ମାତ୍ର କାର୍ତ୍ତିକ ଆଜି ଭାରତୀୟ ଦଳର ତିନୋଟି ଫର୍ମାଟରୁ ଦଳରେ  ବାହାରେ ଅଛନ୍ତି। ମହେନ୍ଦ୍ର ସିଂହ ଧୋନୀ ଲମ୍ବା ସମୟ କ୍ରିକେଟ୍‌ରୁ ଦୂରେଇ ରହିଲେ ମଧ୍ୟ ସେ ଦଳରେ ନିଜକୁ ସାମିଲ କରାଇ ପାରିଲେ ନାହିଁ। ଦିନିକିଆ ଓ ଟି-୨୦ରେ ଓ୍ଵିକେଟ୍ କିପିଂ ଦାୟିତ୍ଵ ସଂପ୍ରତି କେଏଲ ରାହୁଲ ସମ୍ଭାଳୁଛନ୍ତି। ଅନ୍ୟପଟେ ଟେଷ୍ଟ କ୍ରିକେଟରେ ଋଦ୍ଧିମାନ ଶାହା ଓ ଋଷଭ ପନ୍ତଙ୍କୁ ପ୍ରାଧ୍ୟାନ୍ୟ ଦିଆଯାଉଛି। କିନ୍ତୁ କାର୍ତ୍ତିକ ଗତ ବର୍ଷ ଇଂଲଣ୍ଡରେ ଖେଳାଯାଇଥିବା ଦିନିକିଆ ବିଶ୍ଵ କପରେ ଦଳର ସଦସ୍ୟ ଥିଲେ। ମାତ୍ର ତା ପରଠୁ ସେ ଦଳରେ ସ୍ଥାନ ପାଇ ପାରି ନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.