କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ ପଦ ଛାଡିଲେ ଦିନେଶ କାର୍ତ୍ତିକ, ଏହି ଖେଳାଳିଙ୍କୁ ମିଳିଲା ଦଳର ଗୁରୁ ଦାୟିତ୍ଵ

Published By : Prameya-News7 Bureau | October 16, 2020 IST

ନୂଆଦିଲ୍ଲୀ ୧୬।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ଫ୍ରାଞ୍ଚାଇଜି କୋଲକାତା ନାଇଟ୍‌ ରାଇଡର୍ସ(କେକେଆର)ର ଅଧିନାୟକ ଦିନେଶ କାର୍ତ୍ତିକ ଅଧିନାୟକ ପଦ ଛାଡିଛନ୍ତି। ଆଇପିଏଲର ଦୁଇ ଥରର ଚମ୍ପିଆନ କେକେଆର ଚଳିତ ସଂସ୍କରଣରେ ଖରାପ ପ୍ରଦର୍ଶନ କାରଣରୁ ଦିନେଶ କାର୍ତ୍ତିକ ଅଧିନାୟକତ୍ଵ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଶୁକ୍ରବାର ଏହି ପଦ ପରିତ୍ୟାଗ କରିଛନ୍ତି। ଇଂଲଣ୍ଡ ଦଳର ସୀମିତ ଓଭରର ଅଧିନାୟକ ଇଅନ ମୋର୍ଗାନଙ୍କୁ ଦଳର ଅଧିନାୟକ ଦାୟିତ୍ଵ ଦିଆଯାଇଛି।

ମୋର୍ଗାନ ପ୍ରଥମ ଥର କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ ହୋଇଛନ୍ତି। ବର୍ତ୍ତମାନ ପଏଣ୍ଟ ଟେବୁଲ୍‌ରେ କେକେଆର ଚତୁର୍ଥ ସ୍ଥାନରେ ରହିଛି। ଦଳ ଗତ ୫ଟି ମ୍ୟାଚ୍‌ରୁ ଦୁଇଟିରେ ପରାଜିତ ହୋଇଛି। ଦଳର ସିଇଓ ଭେଙ୍କି ମହୀଶୂର କହିଛନ୍ତି ଆମେ ଖୁସି ଯେ ଆମକୁ ଦିନେଶ କାର୍ତ୍ତିକଙ୍କ ରୂପେ ଅଧିନାୟକ ମିଳିଛି, ଯିଏ ସର୍ବଦା ଦଳକୁ ଆଗରେ ରଖିଛନ୍ତି। ତେଣୁ ଅଧିନାୟକ ଭାବେ କୌଣସି ପ୍ରକାରର ନିଷ୍ପତ୍ତି ନେବା ବହୁତ ମୁସ୍କିଲ ହୋଇଥାଏ। ଆମେ ନିଜେ ମଧ୍ୟ ତାଙ୍କର ଏହି ନିଷ୍ପତ୍ତିରେ ଆଚମ୍ବିତ, ମାତ୍ର ତାଙ୍କ ଇଚ୍ଛାକୁ ଆମେ ସମ୍ମାନ ଜଣାଉଛୁ।

ଆଇପିଏଲରେ ଆଜି କୋଲକାତା ନାଇଟ୍‌ ରାଇଡର୍ସର ମୁକାବିଲା ମୁମ୍ବାଇ ଇଣ୍ଡିଆନ୍ସ ସହିତ ହେବାକୁ ଯାଉଛି। କୋଲକାତାରେ ଏବେ ମଧ୍ୟ ବ୍ୟାଟିଂ କ୍ରମକୁ ନେଇ ସମସ୍ୟା ରହିଛି। ଦଳକୁ ଏ ପର୍ଯ୍ୟନ୍ତ ମଜବୁତ ଓପନିଂ ଯୋଡି ମିଳିନାହିଁ। ଅଧିନାୟକ ଦିନେଶ କାର୍ତ୍ତିକ ଗୋଟିଏ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ପରବର୍ତ୍ତୀ ମ୍ୟାଚ୍‌ରେ  ବିଫଳ ହୋଇଛନ୍ତି। ତାଙ୍କର ଖରାପ ଫର୍ମକୁ ନେଇ ସାମାଜିକ ଗଣମାଧ୍ୟମରେ ମଧ୍ୟ ସମାଲୋଚନା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.