ବିଜେଡିରେ ମିଶିବେ ଦିଲ୍ଲୀପ ରାୟ ! ବିଜେପି ଫେରିବାକୁ ବିଜୟଙ୍କ ଉପରେ ପଡୁଛି ଚାପ !!

Published By : Prameya-News7 Bureau | March 15, 2019 IST

ଭୁବନେଶ୍ବର ୧୫|୩: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ନୋମିନେସନ ପାଇଁ ଆଉ ମାତ୍ର ଦୁଇ ଦିନ ଥିବାବେଳେ ଦଳ ଡିଆଁ ରାଜନୀତି ଜୋର ଧରିବାରେ ଲାଗିଛି । ତିନୋଟି ଯାକ ପ୍ରମୁଖ ଦଳ ଭିନ୍ନ ଭିନ୍ନ ଦଳରୁ ନେତାଙ୍କୁ ନିଜ ଦଳରେ ସାମିଲ କରିବାରେ ଲାଗିଛନ୍ତି । ଏହି ପ୍ରକ୍ରିୟାରେ ବିଜେପି ଟିକେ ଆଗରେ ରହିଛି । ବୈଜୟନ୍ତ ପଣ୍ଡା, ଦାମୋଦର ରାଉତଙ୍କ ଭଳି ଟପ୍ ନେତାଙ୍କୁ ଦଳକୁ ଆଣିବାରେ ସକ୍ଷମ ହୋଇଛି ବିଜେପି । ଆଗକୁ ବ୍ରଜ ତ୍ରିପାଠୀ, ଖାରବେଳ ସ୍ବାଇଁଙ୍କ ସମେତ ବିଜେଡି ଛାଡିଥିବା କିଛି ତୁଙ୍ଗ ନେତା ମଧ୍ୟ ଦଳରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି । ବିଜେପିର ଏଭଳି ଅଭିମୁଖ୍ୟକୁ ଦୃଷ୍ଟିରେ ରଖି ବିଜେଡି ମଧ୍ୟ ବିଜେପିର ତୁଙ୍ଗ ନେତାଙ୍କୁ ଶିକାର କରିବା ପାଇଁ ଯୋଜନା କରିଛି । କିଛି ଦିନ ତଳେ ବିଜେପି ଛାଡିଥିବା ରାଉରକେଲା ବିଧାୟକ ଦିଲ୍ଲୀପ ରାୟଙ୍କୁ ବିଜେଡିକୁ ଆଣିବା ପାଇଁ ବାଟ ପରିସ୍କାର ହେଉଛି ।

ଆଜି ରାତି ୮ଟା ବେଳେ ଦିଲ୍ଲୀପ ରାୟ ନବୀନ ନିବାସରେ ପହଞ୍ଚି ନବୀନଙ୍କ ସହ ଆଲୋଚନା କରିପାରନ୍ତି । ତେବେ ବିଜୟ ମହାପାତ୍ରଙ୍କ ସଂପର୍କରେ ବିଜେଡି କୌଣସି ନିଷ୍ପତ୍ତି ନେଇପାରୁନଥିବା କୁହାଯାଉଛି । ଅନ୍ୟ ପକ୍ଷରେ ବିଜେପିର କିଛି ନେତା ବିଜୟ ମହାପାତ୍ରଙ୍କୁ ସାକ୍ଷାତ କରି ପୁଣି ବିଜେପିକୁ ଫେରିବା ପାଇଁ ଚାପ ପକାଉଥିବା ଚର୍ଚ୍ଚା ହେଉଛି । ଏପରିକି ସଦ୍ୟ ବିଜେପିରେ ସାମିଲ ହୋଇଥିବା ଡାକ୍ତର ଦାମୋଦର ରାଉତ ଏବଂ ବୈଜୟନ୍ତ ପଣ୍ଡା ମଧ୍ୟ ଏନେଇ ବିଜୟଙ୍କ ସହ ଆଲୋଚନା କରିଛନ୍ତି ବୋଲି ଶୁଣିବାକୁ ମିଳିଛି ।

ଧିରେ ଧିରେ ରାଜନୀତିର ପାଣି ଗୋଳିଆ ହେବାରେ ଲାଗିଛି । କିଏ କେତେବେଳେ କେଉଁ ଦଳକୁ ଯାଉଛି ତାହା କହିବା ମୁସକିଲ ହୋଇପଡିଛି । ଆଜି ଯଦି ଦିଲ୍ଲୀପ ରାୟ ନବୀନ ନିବାସକୁ ଯାଆନ୍ତି ତାହେଲେ ଦୀର୍ଘ ୨୦ ବର୍ଷ ପରେ ସେ ନବୀନ ନିବାସରେ ପାଦ ପକାଇବେ । ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରଠୁ ଦିଲ୍ଲୀପ ନବୀନ ନିବାସ ଯାଇନାହାନ୍ତି । ଏକଦା ବିଜୁ ପଟ୍ଟନାୟକଙ୍କ ଏକାନ୍ତ ସହଯୋଗୀ ଥିବା ଦିଲ୍ଲୀପ ରାୟ ବ୍ରହ୍ମଣୀ ବ୍ରିଜ୍ ଉପରେ ଦ୍ବିତୀୟ ସେତୁ ନିର୍ମାଣ ନେଇ ଦାବି ପୂରଣ ନହେବା ନେଇ ଦୁଇ ମାସ ତଳେ ବିଜେପି ଛାଡିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.