ଆସନ୍ତାକାଲି ବିଜେପିରୁ ଇସ୍ତଫା ଦେବେ ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ର !

Published By : Prameya-News7 Bureau | November 29, 2018 IST

ଭୁବନେଶ୍ୱର ୨୯/୧୧ : ଆସନ୍ତାକାଲି ବିଜେପି ବିଧାୟକ ଦିଲ୍ଲୀପ ରେ ଏବଂ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ବିଜେପିରୁ ଇସ୍ତଫା ଦେବା ସୂଚନା ମିଳିଛି | ଆଜି ଦିଲ୍ଲୀପ ରାୟ ଭୁବନେଶ୍ୱର ହୋଟେଲ ମେ ଫେୟାର ଠାରେ କିଛି ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଏହି ସୂଚନା ଦେଇଥିବା ଜଣାପଡିଛି | ଏହାପରେ ପରେ ବିଜୟ ମହାପାତ୍ର ମଧ୍ୟ ଆସନ୍ତାକାଲି ବିଜେପିରୁ ଇସ୍ତଫା ଦେଇପାରନ୍ତି ବୋଲି ନ୍ୟୁଜ ୭କୁ ସୂଚନା ଦେଇଛନ୍ତି | ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ବିଜେପିରୁ ଇସ୍ତଫା ଦେବେ ଏବଂ ସମ୍ଭବତଃ ବିଜେଡିରେ ଯୋଗ ଦେବେ ବୋଲି ଗତ କିଛି ଦିନ ହେଲା ଆଲୋଚନା ହେଉଛି | ତେବେ ବିଜେପି ଛାଡିବା ପରେ ଏହି ଦୁଇ ଜଣ କେଉଁ ଦଳରେ ଯୋଗଦେବେ ତାହା ସ୍ପଷ୍ଟ କରିନାହାନ୍ତି | ବିଜୟ ମହାପାତ୍ର କହିଛନ୍ତି ଯେ, ଇସ୍ତଫା ବାବଦରେ ଆଜି ଦିଲ୍ଲୀପ ରାୟଙ୍କ ସହ ତାଙ୍କର ଆଲୋଚନା ହୋଇଛି | ଏ ସଂକ୍ରାନ୍ତରେ ଆସନ୍ତାକାଲି ଦୁହିଁଙ୍କର ଏକ ବୈଠକ ବସିବ | ଦୀର୍ଘ ଦିନ ହେଲା ବିଜୟ ବିଜେପିରେ କଣଠେସା ହୋଇ ରହିଥିବାବେଳେ ଦିଲ୍ଲୀପ ମଧ୍ୟ ବ୍ରାହ୍ମଣୀ ନଦୀ ଉପରେ ସେତୁ ନିର୍ମାଣ ପ୍ରସଙ୍ଗରେ ଦଳ ଉପରେ ଅସନ୍ତୁଷ୍ଟ ଥିଲେ | କେବଳ ସେତିକି ନୁହେଁ ରାଉରକେଲା ଆଇଜିଏଚକୁ ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲରେ ପରିଣତ କରିବା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ନେଇ ଦିଲ୍ଲୀପ କ୍ଷୁବ୍ଧ ଥିଲେ | ଲୋକଙ୍କୁ ସେ ଦେଇଥିବା ପ୍ରତିଶୃତି ପୂରଣ ହେଉନଥିବାରୁ ସେ ଅପମାନ ବୋଧ ମଧ୍ୟ କରୁଥିଲେ | ଅପରପକ୍ଷରେ ଦଳର ସାଙ୍ଗଠନିକ କାର୍ଯ୍ୟରେ ମଧ୍ୟ ତାଙ୍କୁ ଗୁରୁତ୍ୱ ଦିଆଯାଉନଥିଲା | ଗୋଟିଏପଟେ ବିଜୟ ମହାପାତ୍ର ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିଲା ଅନ୍ୟପଟେ ଦିଲ୍ଲୀପ ରାୟ ନିଜ ମାନ ସମ୍ମାନ ନେଇ ଦଳ ଉପରେ କ୍ଷୁବ୍ଧ ଥିଲେ | ଫଳରେ ଦୁଇ ନେତା ପରସ୍ପର ମଧ୍ୟରେ ଆଲୋଚନା କରି ଦଳ ଛାଡିବା ପାଇଁ ନିଷ୍ପତ୍ତି ନେବା ସ୍ୱାଭାବିକ କଥା | କିନ୍ତୁ ଏବେ ପ୍ରଶ୍ନ ଉଠୁଛି ବିଜେପି ଛାଡିବା ପରେ ଏମାନେ କେଉଁ ଦଳକୁ ଯିବେ | ଦିଲ୍ଲୀପ ରାୟଙ୍କୁ ବିଜେଡି ଗ୍ରହଣ କରିବାରେ କୌଣସି ଅସୁବିଧା ନଥିବାବେଳେ ବିଜୟ ମହାପାତ୍ରଙ୍କୁ ନେଇ ବିଜେଡିର ଗୋଟିଏ ଗୋଷ୍ଠୀ ମଧ୍ୟରେ ବିରୋଧ ରହିଛି | ଯଦି ଏମାନେ ବିଜେଡିକୁ ନଯାନ୍ତି ତାହେଲେ ପରବର୍ତ୍ତୀ ବିକଳ୍ପ ହେଉଛି ଡାକ୍ତର ଦାମୋଦର ରାଉତଙ୍କ ସହ ଯୋଗଦେବା | କାରଣ ନବ ଗଠିତ ବିଜୁ ସମତା କ୍ରାନ୍ତି ଦଳ ଆର୍ଥିକ ଦୃଷ୍ଟିକୋଣରୁ ଜଣେ ପୃଷ୍ଠପୋଷକ ଖୋଜୁଛି | ସେହିଭଳି ଦଳରୁ ବହିଷ୍କାର ହେବାପରେ ବିଜୟ ମହାପାତ୍ରଙ୍କୁ ନେଇ ଡାକ୍ତର ଦାମୋଦର ରାଉତ ନୂଆ ଦଳର ପରିକଳ୍ପନା କରୁଥିଲେ | ସେ ଅଲଗା କଥା ଯେ, ଡାକ୍ତର ରାଉତଙ୍କୁ ବିଜୟ ମହାପାତ୍ର ଧରାଛୁଆଁ ଦେଉନଥିଲେ | ବର୍ତ୍ତମାନ ସ୍ଥିତିରେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ବିଜେପି ଛାଡିଲେ ବିଜେପି ଉପରେ ନିଶ୍ଚୟ ପ୍ରତିକୂଳ ପ୍ରଭାବ ପଡିବ ବୋଲି ରାଜନୈତିକ ବିସ୍ଲେସକମାନେ ଆଲୋଚନା କରୁଛନ୍ତି | ତେବେ ଖବର ନେବାରେ ଜଣାପଡିଛି ଯେ, ଆସନ୍ତାକାଲି ଦିଲ୍ଲୀପ ସମ୍ଭବତଃ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଇ-ମେଲ ଯୋଗେ ନିଜ ଇସ୍ତଫା ପ୍ରଦାନ କରିବା ସହ ବିଧାନସଭାକୁ ଯାଇ ବାଚସ୍ପତିଙ୍କୁ ଧାଡ଼ିକିଆ ଇସ୍ତଫା ଦେଇପାରନ୍ତି | ବିଜୟ ଓ ଦିଲ୍ଲୀପ ଉଭୟ ଏକଦା ବିଜୁ ବାବୁଙ୍କର ଅନୁଗତ ଥିଲେ | ବିଜେଡି ଗଠନ ପରେ ଭିନ୍ନ ଭିନ୍ନ ରାଜନୈତିକ କାରଣ ଯୋଗୁଁ ଉଭୟ ବିଜେଡିରୁ ବାଦ ପଡ଼ିଥିଲେ | ବିଜେଡିରୁ ବାଦ ପଡିବ ପରେ ୨୦୦୦ ମସିହାରେ ବିଜୟ ମହାପାତ୍ର ଓଡିଶା ଗଣପରିଷଦ ନାମରେ ଏକ ସ୍ୱତନ୍ତ୍ର ଦଳ ଗଠନ କରିଥିଲେ | ଦୀର୍ଘ ୧୮ ବର୍ଷ ହେଲା ବିଜୟ ମହାପାତ୍ର କୌଣସି ନିର୍ବାଚନରେ ଜିତିବାରେ ସକ୍ଷମ ହୋଇନାହାନ୍ତି | ଓଡିଶା ଗଣପରିଷଦ ବନ୍ଦ କରିବା ପରେ ସେ ବିଜେପିରେ ଯୋଗ ଦେଇଥିଲେ | ଆଶା କରାଯାଉଥିଲା ବିଜୟଙ୍କୁ ବିଜେପିରେ ପ୍ରାଧାନ୍ୟ ମିଳିବ | କିନ୍ତୁ ଧର୍ମେନ୍ଦ୍ରଙ୍କ ସହ ତାଙ୍କର ମତାନ୍ତର ଯୋଗୁଁ ସେ ଦଳରେ ଅଲୋଡ଼ା ହୋଇପଡିଥିଲେ | ଯଦିଓ ବିଜୟ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ ତଥାପି ତାଙ୍କୁ କଣଠେସା କରି ରଖାଯାଇଥିଲା | ଗତବର୍ଷ ଭୁବନେଶ୍ୱର ଠାରେ ଅନୁଷ୍ଠିତ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଯୋଗ ଦେବା ପାଇଁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବା ପାଇଁ ବିଜୟ ବିମାନ ବନ୍ଦରକୁ ଯାଇଥିଲେ | ସେଠାରେ ମଧ୍ୟ ସେ ଅପମାନିତ ହୋଇଥିଲେ | ବିଜୟ ଓ ଦିଲ୍ଲୀପଙ୍କ ଶରଫ ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି | ସେ କହିଛନ୍ତି ଯେ, ଏଥିରେ ଦଳ ଉପରେ କୌଣସି ପ୍ରଭାବ ପଡ଼ିବନାହିଁ | ଇସ୍ତଫା ଦେବା ସମ୍ପର୍କରେ ତାଙ୍କ ସହ କେହି ଆଲୋଚନା କରିନାହାନ୍ତି ବୋଲି ବସନ୍ତ ପଣ୍ଡା କହିଛନ୍ତି | ତେବେ ସେ ଏହା ମଧ୍ୟ କହିଛନ୍ତି ଯେ, ଉଭୟ ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ର ଦଳରେ ରହନ୍ତୁ ବୋଲି ସେ ଓ ଦଳ ଉଭୟ ଚାହାନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.