ବିଧାୟକ ପଦରୁ ଇସ୍ତଫା ଦେଲେ ଦିଲ୍ଲୀପ ରାୟ; ବାଚସ୍ପତିଙ୍କୁ ଭେଟି ଦେଲେ ଇସ୍ତଫା ପତ୍ର
30/11/2018 at 10:36 AM

ଭୁବନେଶ୍ବର ୩୦|୧୧: ବିଧାୟକ ପଦରୁ ବିଜେପି ନେତା ଦିଲ୍ଲୀପ ରାୟ ଇସ୍ତଫା ଦେଲେ । ବିଧାନସଭାରେ ବାଚସ୍ପତିଙ୍କୁ ଭେଟି ଇସ୍ତଫା ପତ୍ର ଦେଇଛନ୍ତି ବିଜେପି ବିଧାୟକ ଦିଲ୍ଲୀପ ରାୟ । ସେ ବିଜେପି ଦଳ ଛାଡିବା ନେଇ କିଛି ଦିନ ହେଲା ଚର୍ଚ୍ଚା ଜୋର ଧରିଥିଲା । ତେବେ ଆଜି ସେହି ଚର୍ଚ୍ଚାର ଅନ୍ତ ଘଟିଛି । ବିଧାୟକ ପଦରୁ ଇସ୍ତଫା ଦେବା ସହ କେନ୍ଦ୍ରୀୟ ନେତୃତ୍ୱଙ୍କ ନିକଟକୁ ଦଳରୁ ଇସ୍ତଫା ଦେଇଥିବା ନେଇ ଚିଠି ମଧ୍ୟ ଲେଖିଛନ୍ତି ଦିଲ୍ଲୀପ ରାୟ ।
ତେବେ ଦିଲ୍ଲୀପ ରାୟ ଦଳରେ କଣଠେସା ହୋଇ ରହିଥିବା ନେଇ ବାରମ୍ବାର ଚର୍ଚ୍ଚା ହେଉଥିଲା । ସେ ବିଜେପିର କୌଣସି ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉନଥିଲେ। ତେବେ ଦିଲ୍ଲୀପ ରାୟ ଦଳ ଛାଡ଼ିବେ ବୋଲି ପୂର୍ବରୁ ଆଭାସ ଦେଇଥିଲେ। ବ୍ରାହ୍ମଣୀରେ ଦ୍ବିତୀୟ ସେତୁ ନିର୍ମାଣ ଏବଂ ଆଇଜିଏଚକୁ ସୁପର ସ୍ପେସାଲିଟି ହସ୍ପିଟାଲ ମାନ୍ୟତା ଦେବା ଦାବିରେ ଦିଲ୍ଲୀପ ରାୟ ବାରମ୍ବାର ସ୍ବର ଉଠାଇ ଆସୁଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଏନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ। ତେବେ ରାଜନୈତିକ ଘଟଣା କ୍ରମରେ ଦିଲ୍ଲୀପ ରାୟ ଏହି ପ୍ରସଙ୍ଗକୁ ନେଇ ବିଧାୟକ ପଦରୁ ଇସ୍ତଫା ଦେବେ ବୋଲି ଆଗରୁ ଘୋଷଣା କରିଥିଲେ ।
ତେବେ ଆଗାମୀ ଦିନରେ ଦିଲ୍ଲୀପ ରାୟଙ୍କର କଣ ପଦକ୍ଷେପ ରହିବ ତା ଉପରେ ସମସ୍ତଙ୍କ ନଜର ରହିଛି । ଦିଲ୍ଲୀପଙ୍କ ଏଭଳି ନିଷ୍ପତ୍ତିକୁ ରାଉରକେଲାବାସୀ ସ୍ବାଗତ ଜଣାଇଥିବା ବେଳେ ବିଭିନ୍ନ ମହଲରେ ଏବେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନାଯୋଗ୍ୟ ଯେ, ବିଧାୟକ ପଦ ଏବଂ ଦଳରୁ ଇସ୍ତଫା ଦେବା ପରେ ଦିଲ୍ଲୀପ ରାୟ ମାସିକିଆ ବିଦେଶ ଗସ୍ତରେ ଚାଲିଯାଇଛନ୍ତି । ଦିଲ୍ଲୀପ ଇସ୍ତଫା ଦେବା ପରେ କହିଛନ୍ତି ଯେ, ସେ ରାଉରକେଲାରୁ ଆଉ ପ୍ରାର୍ଥୀ ହେବେ ନାହିଁ ।