ବିଜେପୁର ଉପ-ନିର୍ବାଚନ : କଂଗ୍ରେସ୍ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ଦାଖଲ କଲେ ପ୍ରାର୍ଥୀପତ୍ର

Published By : Prameya-News7 Bureau | September 30, 2019 IST

ବରଗଡ଼ ୩୦/୯: ରୀତା ସାହୁଙ୍କ ପରେ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ବିଜେପୁର ଉପ-ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ ଦିଲ୍ଲୀପ ପଣ୍ଡା ସମର୍ଥକଙ୍କ ସହ ବିରାଟ ପଟୁଆରରେ ଆସି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୨ସେଟ୍ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ପ୍ରାର୍ଥୀପତ୍ର ଦାଖଲ ବେଳେ କଂଗ୍ରେସର ବହୁ ବରିଷ୍ଠ ନେତା ତାଙ୍କ ସହିତ ରହିଥିଲେ। ବିଜେପୁର ଉପ-ନିର୍ବାଚନ ପାଇଁ କଂଗ୍ରେସ ଦିଲ୍ଲୀପ ପଣ୍ଡାଙ୍କ ନାଁ ଘୋଷଣା କରିବା ପରେ ବିଜେପୁରରୁ ଆଶାୟୀ ଥିବା ରିପୁନାଥ ସେଠ୍ ଅସନ୍ତୋଷ ବ୍ୟକ୍ତ କରିଥିଲେ। ରିପୁନାଥ ସେଠ ଗତ ସାଧାରଣ ନିର୍ବାଚନ ବେଳେ ବିଜେପୁରରୁ ପ୍ରାର୍ଥୀ ହୋଇଥିଲେ। ତେବେ ଚଳିତ ଥର ତାଙ୍କୁ ପ୍ରାର୍ଥୀ କରାନଯିବାରୁ ସେ ନିର୍ବାଚନ ପ୍ରଚାରରେ ଭାଗ ନେବେନାହିଁ ବୋଲି ସ୍ପଷ୍ଟ କରିଥିଲେ।

ବିଜେପୁର ଉପ-ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଦିଲ୍ଲୀପ ପଣ୍ଡା ବରଗଡ଼ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ଅଛନ୍ତି। ସେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଆସନ୍ତା ୨୧ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ବିଜେପୁର ଉପନିର୍ବାଚନରେ ବିଜେଡ଼ି ରୀତା ସାହୁଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ସନତ ଗଡ଼ତିଆଙ୍କୁ ପ୍ରାର୍ଥୀ କରିଛି। ପ୍ରାର୍ଥୀପତ୍ର ଦାଖଲର ଆଜି ଶେଷ ଦିନ ହୋଇଥିବାରୁ ଆଜି ହିଁ ୩ପ୍ରମୁଖ ଦଳର ପ୍ରାର୍ଥୀମାନେ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି। ଏଥିପାଇଁ ପଦ୍ମପୁରରେ ସବୁ ଦଳର ନେତାଙ୍କ ଭିଡ଼ ଲାଗିରହିଛି। ୨୦୧୯ସାଧାରଣ ନିର୍ବାଚନବେଳେ ବିଜେପୁର ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଖାପାଖି ୫୭୦୦୦ଭୋଟରେ ବିଜୟୀ ହୋଇଥିଲେ।

ବିଜେପିର ସନତ ଗଡ଼ତିଆ ଦ୍ବିତୀୟ ସ୍ଥାନରେ ରହିଥିବାବେଳେ କଂଗ୍ରେସ ପ୍ରାର୍ଥୀ ରିପୁନାଥ ସେଠ ତୃତୀୟ ସ୍ଥାନରେ ରହିଥିଲେ। ତେବେ ବିଜେପୁର ସହ ହିଞ୍ଜିଳିରୁ ମଧ୍ୟ ନବୀନ ପଟ୍ଟନାୟକ ବିଜୟୀ ହୋଇଥିବାରୁ ପରବର୍ତ୍ତୀ ସମୟରେ ସେ ବିଜେପୁର ଆସନରୁ ଇସ୍ତଫା ଦେଇଥିଲେ। ଫଳ​ରେ ବର୍ତ୍ତମାନ ବିଜେପୁର ଉପ-ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।

{"id":164535}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.