‘ସିନ୍ଦୂର ଲଗାଇ ଭାରତୀୟ ସଂସ୍କୃତିର ଅପମାନ କରିଛନ୍ତି ନୁସରତ’, ସାଂସଦଙ୍କ ଇସ୍ତଫା ଦାବି କଲେ ଦିଲ୍ଳୀପ ଘୋଷ

Published By : Prameya-News7 Bureau | June 23, 2021 IST

କୋଲକାତା ୨୩/୬: ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜହାଁ ଏବେ ଖୁବ ଚର୍ଚ୍ଚାରେ। କେତେବେଳେ ନିଜ ବିବାହକୁ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ ବୋଲି କହୁଛନ୍ତି ତ ପୁଣି କେତେବେଳେ ମଥାରେ ସିନ୍ଦୂର ଲଗାଇ ଜଣେ ହିନ୍ଦୁ ନାରୀ ଭଳି ନିଜକୁ ଦୁନିଆ ସାମ୍ନାକୁ ଆଣୁଛନ୍ତି। ଏହାକୁ ନେଇ ଏବେ ବେଙ୍ଗଲ ରାଜନୀତି ମଧ୍ୟ ସରଗରମ ହୋଇଛି। ପଶ୍ଚିମବଙ୍ଗର ବିଜେପି ସଭାପତି ଦିଲ୍ଲୀପ ଘୋଷ ନୁସରତ ଜହାଁଙ୍କ ଉପରେ ବର୍ଷିବା ସହ ତାଙ୍କର ଇସ୍ତଫା ଦାବି କରିଛନ୍ତି।

ସେ କହିଛନ୍ତି, ନୁସରତ ଭାରତୀୟ ସଂସ୍କୃତିକୁ ଅପମାନିତ କରିଛନ୍ତି। ସେ ଜଣେ ମହିଳା ସାଂସଦ। ସେ ସିନ୍ଦୂର ଲଗାଇ ଜଣେ ଯୁବକଙ୍କୁ ନିଜ ସ୍ବାମୀ ବୋଲି କହିଥିଲେ। ଏପରିକି ମୁଖ୍ୟମନ୍ତ୍ରୀଙ୍କୁ ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ। ଏବେ କହୁଛନ୍ତି ସେହି ଯୁବକ ତାଙ୍କ ସ୍ବାମୀ ନୁହାନ୍ତି। ଦିଲ୍ଲୀପ ଘୋଷ ଆଗକୁ କହିଛନ୍ତି, ଏହା ସୌଗୁପ୍ତା ବାବୁ (ଟିଏମସି ସାଂସଦ)ଙ୍କ ବିଚାରଧାରା ହୋଇପାରେ। କିନ୍ତୁ ଦେଶ ଏବଂ ପଶ୍ଚିମବଙ୍ଗର ବିଚାରଧାରା ହୋଇପାରିବ ନାହିଁ। ଦଳ ତାଙ୍କୁ ତୁରନ୍ତ ନିଲମ୍ବନ କରିବା ଦରକାର। ନଚେତ ନୁସରତ ନିଜ ପଦରୁ ଇସ୍ତଫା ଦେଇଦେବା ଜରୁରୀ ବୋଲି ସେ ଦାବି କରିଛନ୍ତି।

ନିକଟରେ ନୁସରତ ଜହାଁ ନିଜ ସ୍ବାମୀ  ନିଖିଳ ଜୈନଙ୍କ ସହ ସମ୍ପର୍କ ଛିନ୍ନ ନେଇ ଘୋଷଣା କରିବା ସହ କହିଥିଲେ ନିଖିଳଙ୍କ ସହ ତାଙ୍କର ବିବାହ ହୋଇନଥିଲା। ସେ  ନିଖିଳଙ୍କ ସହ ଲିଭ୍‌ ଇନ୍‌ରେ ରହୁଥିଲେ। ତାଙ୍କ ମତରେ ବିବାହ ବୈଧ ନଥିଲା। ଭାରତୀୟ ନିୟମାନୁସାରେ ସେମାନଙ୍କର ବିବାହ ହୋଇନଥିଲା ବୋଲି ଜହାଁ କହିଥିଲେ। ତେଣୁ ତଲାକର କିଛି ଆବଶ୍ୟକତା ନାହିଁ ବୋଲି କହିଥିଲେ ଟିଏମସି ସାଂସଦ ନୁସରତ।

ଏହାକୁ ନେଇ ବିଜେପି ସାଂସଦ ସଙ୍ଘମିତ୍ରା ମୌର୍ଯ୍ୟ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ପତ୍ର ଲେଖି ନୁସରତଙ୍କ ସଦସ୍ୟତା ରଦ୍ଦ କରିବାକୁ ଦାବି କରିଥିଲେ। ସେ ନୁସରତଙ୍କ ବ୍ୟବହାର ଉପରେ ପ୍ରଶ୍ନ ଉଠାଇବା ସହ କହିଥିଲେ, ନୁସରତଙ୍କ ବ୍ୟବହାର ମର୍ଯ୍ୟାଦାହୀନ। ବିବାହାକୁ ନେଇ ସେ ନିଜର ମତଦାତାଙ୍କୁ ଧୋକା ଦେଇଛନ୍ତି। ନୁସରତଙ୍କ ଏହି ବ୍ୟବହାରରେ ସଂସଦର ଗାରିମା କ୍ଷୂର୍ଣ୍ଣ ହୋଇଥିବା ନେଇ ସଙ୍ଘମିତ୍ରା କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.