ସୁଶାନ୍ତ ସିଂହ ରାଜପୁତ ପୁଣି କନ୍ଦାଇଲେ : 'ଦିଲ୍‌ ବେଚାରା'କୁ ପ୍ରଂଶସାର ସୁଅ, ଆଇଏମ୍‌ଡିବି ରେଟିଂ ୧୦/୧୦

Published By : Prameya-News7 Bureau | July 26, 2020 IST

ମୁମ୍ବାଇ ୨୬।୦୭: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ପୁଣି ପ୍ରଶଂସକଙ୍କ ଆଖିରେ ଅଜସ୍ର ଲୁହ ଆଣିଛନ୍ତି । ଜୁନ୍‌ ୧୪ରେ ତାଙ୍କ ଆତ୍ମହତ୍ୟା ପରେ ଫ୍ୟାନ୍‌ମାନେ ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିଲେ । ଶୁକ୍ରବାର ଡିଜ୍‌ନି-ହଟ୍‌ଷ୍ଟାରରେ ମୁକ୍ତିଲାଭ କରିଥିବା ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦିଲ୍‌ ବେଚାରା’ ପୁଣି ସମସ୍ତଙ୍କ ଆଖିରେ ଲୁହ ଭରିଦେଇଛି ।

ମୁକେଶ ଛାବ୍ରାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ସୁଶାନ୍ତ ଯେଉଁ ନିଖୁଣ ଅଭିନୟ କରିଛନ୍ତି, ତାହା ଦର୍ଶକଙ୍କୁ ଆବେଗାତ୍ମକ କରିପକାଇଛି । ଏମିତି କି ଏହି ଚଳଚ୍ଚିତ୍ରକୁ ୧୦/୧୦ ଆଇଏମ୍‌ଡିବି ରେଟିଙ୍ଗ୍‌ ମିଳିଥିବା ଜଣାପଡ଼ିଛି । ୧୦୪୮ ରେଟିଙ୍ଗ୍‌ ଭିତ୍ତିରେ ଚଳଚ୍ଚିତ୍ରକୁ ରେଟିଙ୍ଗ୍‌ ମିଳିଛି । ‘ଦିଲ୍‌ ବେଚାରା’ ଚଳଚ୍ଚିତ୍ରରେ ସୁଶାନ୍ତଙ୍କ ଅପୋଜିଟ୍‌ରେ ସଞ୍ଜନା ସାଙ୍ଘି ଅଭିନୟ କରିଛନ୍ତି । ଚଳଚ୍ଚିତ୍ରରେ ଉଭୟ କ୍ୟାନ୍‌ସରରେ ପୀଡ଼ିତ ଥାଇ ମଧ୍ୟ ପରସ୍ପରକୁ ବଞ୍ଚିବା ଶିଖାଉଛନ୍ତି । ନିଜର ପୂର୍ବ ଚଳଚ୍ଚିତ୍ର ‘ଛିଛୋରେ’ରେ ସୁଶାନ୍ତ ଦର୍ଶକଙ୍କୁ ବଞ୍ଚିବା ଶିଖାଇଥିଲେ । ସଦ୍ୟ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରରେ ମଧ୍ୟ ସେ ଭିନ୍ନ ଢଙ୍ଗରେ ପୁଣି ବଞ୍ଚିବା ଶିଖାଇଛନ୍ତି। ଆଜି ସେ ନାହାନ୍ତି ସତ । କିନ୍ତୁ ତାଙ୍କର ଅଭିନୟ ଅନେକଙ୍କୁ ବଞ୍ଚିବା ଶିଖାଇଦେଇଛି ।

{"id":305679,"width":579,"height":333,"sizeSlug":"large"}

ଚଳଚ୍ଚିତ୍ରରେ ସୁଶାନ୍ତ ଇମାନୁଏଲ୍‌ ରାଜକୁମାର ଜୁନିଅର ଓରଫ ମ୍ୟାନି ଭୂମିକାରେ ଅଭିନୟ କରିଥିବା ବେଳେ ସଞ୍ଜନା ସାଙ୍ଘି କିଜି ବାସୁ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମଟି ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଛି । ଚଳଚ୍ଚିତ୍ର ଦେଖିସାରିବା ପରେ ସୁଶାନ୍ତଙ୍କ ଫ୍ୟାନ୍‌ମାନେ ସୋସିଆଲ ମିଡିଆରେ ତାଙ୍କୁ ପ୍ରଶଂସାରେ ପୋତିଛନ୍ତି । ତାଙ୍କ ଅନ୍ତେ ସେମାନେ ଅତ୍ୟନ୍ତ ଦୁଃଖିତ ବୋଲି ଜଣାଇଛନ୍ତି । ଅଭିନେତ୍ରୀ ଭୂମି ପେଡନେକର ବି ଚଳଚ୍ଚିତ୍ର ଦେଖିବା ପରେ ଅଜସ୍ର ପ୍ରଶଂସା କରିଛନ୍ତି । ଏହାକୁ ଦେଖିବା ବେଳେ ସେ କାନ୍ଦି ପକାଇଥିବା କହିଛନ୍ତି । ସୁଶାନ୍ତଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ଔପନ୍ୟାସିକ ଜନ୍‌ ଗ୍ରୀନ୍‌ଙ୍କ ‘ଦ ଫଲ୍ଟ ଇନ୍‌ ଆୱାର ଷ୍ଟାର୍ସ’ ଉପରେ ଆଧାରିତ । ୨୦୧୪ରେ ଏହାକୁ ନେଇ ଏକ ହଲିଉଡ୍‌ ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା । ଦିଲ୍‌ ବେଚାରା ଚଳଚ୍ଚିତ୍ରରେ କିଜି ବାସୁ ଥାଇରଏଡ୍‌ କ୍ୟାନ୍‌ସରରେ ପୀଡ଼ିତ ଥିବା ବେଳେ ମ୍ୟାନି ଅଷ୍ଟିଓସାରକୋମାରେ ପୀଡ଼ିତ । ଚଳଚ୍ଚିତ୍ରର ଏକ ଦୃଶ୍ୟରେ ସୁଶାନ୍ତ ନିଜର ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ଦେଖୁଥିବା ବେଳେ ଦର୍ଶକଙ୍କ ଆଖିରେ ଲୁହ ଚାଲିଆସିଥିଲା । ଏହି ଚଳଚ୍ଚିତ୍ରକୁ ୨.୫ ଷ୍ଟାର ରେଟିଙ୍ଗ୍‌ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.