ବିଜେପିରେ ସାମିଲ ହେଲେ ଦିଗବିଜୟ ସିଂହଙ୍କ ଝିଅ ସୁଟର ଶ୍ରେୟସୀ ସିଂହ, ଲଢି ପାରନ୍ତି ବିଧାନସଭା ନିର୍ବାଚନ

Published By : Prameya-News7 Bureau | October 04, 2020 IST

ନୂଆଦିଲ୍ଲୀ ୦୪।୧୦: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଗବିଜୟ ସିଂହଙ୍କ ଝିଅ ତଥା ଅନ୍ତରାଷ୍ଟ୍ରୀୟ ସୁଟର ଶ୍ରେୟସୀ ସିଂହ ଆଜି  ଭାରତୀୟ ଜନତା ପାର୍ଟି(ବିଜେପି)ରେ ସାମିଲ ହୋଇଛନ୍ତି। ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ପାର୍ଟି ନେତା ଭୂପେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ଅର୍ଜୁନ ପୁରସ୍କାର ବିଜେତା ଏହି ଖେଳାଳି ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ଏହି ଅବସରରେ ବିହାରର ବିଜେପି ନେତା ସଞ୍ଜୟ ମୟୁଖ ମଧ୍ୟ ଉପସ୍ଥିତ ଥିଲେ। ପରେ ଶ୍ରେୟସୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସାକ୍ଷାତ କରିଛନ୍ତି।

ଉଲ୍ଲେଖନୀୟ ଶ୍ରେୟସୀଙ୍କ ବାପା ଦିଗବିଜୟ  ସିଂହ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନିକଟତର। ଶ୍ରେୟସୀଙ୍କ ମା ପୁତୁଲ ସିଂହ ମଧ୍ୟ ସାଂସଦ ଥିଲେ। ବିହାର ବିଧାନସଭା ନିର୍ବାଚନରେ ବିଜେପି ଟିକେଟ୍‌ରୁ ଶ୍ରେୟସୀ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା କରାଯାଉଛି।

wp:html /wp:html

ପୂର୍ବତନ ବିଜେପି ସାଂସଦ ପୁତୁଲ କୁମାରୀଙ୍କ ଝିଅ ଶ୍ରେୟସୀ ସିଂହ ୨୦୧୯ ଲୋକସଭା ନିର୍ବାଚନରେ ମାଙ୍କ ପାଇଁ ପ୍ରଚାର କରିଥିଲେ। ତାଙ୍କର ସଭା ଏବଂ ରୋଡ୍‌ ସୋରେ ଲୋକଙ୍କ ପ୍ରବଳ ଜନସମାଗମ ପରେ ଶ୍ରେୟସୀ ରାଜନୀତିରେ ଯୋଗ ଦେବା ନେଇ ଅନୁମାନ କରାଯାଉଥିଲା।

ଗତ ଦିନରେ ଶ୍ରେୟସୀ ସିଂହ ଆରଜେଡିରେ ସାମିଲ ହେବେ ବୋଲି ଖବର ଆସିଥିଲା। କୁହାଯାଉଥିଲା ଯେ ସେ ଆରଜେଡି ଟିକେଟ୍‌ରେ ନିର୍ବାଚନ ଲଢି ପାରନ୍ତି। ହେଲେ ଆଜି ଶ୍ରେୟସୀ ବିଜେପିରେ ସାମିଲ ହେବା ପରେ ଏହି ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। କୁହାଯାଉଛି ଶ୍ରେୟସୀ ବାଙ୍କାର ଅମରପୁର ଆସନ କିମ୍ବା ଜମୁଇ ବିଧାନସଭା ସିଟ୍‌ରୁ ନିର୍ବାଚନ ଲଢି ପାରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.