"ଆମେରିକା ଓସାମାକୁ ମାରିଥିବା ଭଳି ମୋଦି ସରକାର ମଧ୍ୟ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ଦିଅନ୍ତୁ" : ଦିଗବିଜୟ ସିଂ

Published By : Prameya-News7 Bureau | March 03, 2019 IST

ଦିଲ୍ଲୀ ୩/୩ : କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ଭାରତକୁ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗିଛନ୍ତି | ଯେଭଳି ଆମେରିକା ଓସାମା ଅପରେସନର ପ୍ରମାଣ ଦେଇଥିଲା, ଠିକ ସେହିଭଳି ଭାରତ ସରକାର ମଧ୍ୟ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ଦେବା ଉଚିତ ବୋଲି କହିଛନ୍ତି ଦିଗବିଜୟ | ସୂଚନାଯୋଗ୍ୟ ଯେ, ଫେବୃଆରୀ ୨୬ ତାରିଖରେ ଭାରତୀୟ ବାୟୁସେନାର ମୀରାଜ-୨୦୦୦ ଯୁଦ୍ଧ ବିମାନ ପାକିସ୍ତାନ ସୀମା ଅନ୍ତର୍ଗତ ମୁଜାଫରବାଦ ଵାଲାକୋଟରେ ପଶି ଆତଙ୍କୀ ଶିବିର ଧ୍ବଂସ କରିଥିଲା | ଏହାପରେ ୨୭ ତାରିଖରେ ପାକିସ୍ତାନୀ ବିମାନ ଭାରତୀୟ ସୀମାରେ ପ୍ରବେଶ କରିଥିଲା | ଏହାର ଜବାବରେ ଭାରତର ମିଗ-୨୧ ବିମାନ ପାକିସ୍ତାନର ଏଫ-୧୬ ବିମାନକୁ ଧ୍ବଂସ କରିଥିଲା |


ଦିଗବିଜୟ କହିଛନ୍ତି ଯେ, ସେ ଭାରତୀୟ ବାୟୁସେନାର ହମଲାକୁ ପ୍ରଶ୍ନ କରୁନାହାନ୍ତି | ଖୋଲା ଜାଗାରେ କରାଯାଇଥିବା ହମଲାର ଫଟୋ ସାଟେଲାଇଟରେ ଉପଲବ୍ଧ କିନ୍ତୁ ସେ ସରକାରଙ୍କ ଠାରୁ ପ୍ରମାଣ ଚାହୁଁଛନ୍ତି | ଆମେରିକା ସରକାର ମଧ୍ୟ ଓସାମା ବିନ ଲାଡେନକୁ ମାରିଥିବାର ପ୍ରମାଣ ଦେଇଥିଲା ବୋଲି କହିଛନ୍ତି ଦିଗବିଜୟ |


ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ମୁକ୍ତିକୁ ନେଇ ଦିଗବିଜୟ ପାକଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି | ଅଭିନନ୍ଦନଙ୍କୁ ମୁକ୍ତ କରି ଇମ୍ରାନ ଜଣେ ଭଲ ପଡୋଶୀ ହୋଇଥିବା ପ୍ରମାଣ କରିଛନ୍ତି ବୋଲି କହିଛନ୍ତି ଦିଗବିଜୟ | ଏବେ ମସୁଦ ଅଜହର ଏବଂ ହାଫିଜ ସୟିଦକୁ ଭାରତକୁ ହସ୍ତାନ୍ତର କରି ନିଜ ସାହାସିକତାର ପ୍ରମାଣ ଦେବା ଉଚିତ ବୋଲି କହିଛନ୍ତି ଦିଗବିଜୟ |

{"id":90330,"width":575,"height":321}


ଭାରତୀୟ ବାୟୁସେନା ଫେବୃଆରୀ ୨୬ ତାରିଖରେ ଵାଲାକୋଟରେ ଜୈସ-ଏ-ମହମ୍ମଦର ମଦ୍ରାସାର ୫ଟି ବିଲଡିଂକୁ ଟାର୍ଗେଟ କରିଥିଲା | ଇଣ୍ଡିଆନ ଏକ୍ସପ୍ରେସର ଏକ ରିପୋର୍ଟ ଅନୁଯାୟୀ, ଟେକ୍ନିକାଲ ଇଣ୍ଟେଲିଜେନ୍ସର ସୀମା ଏବଂ ସେଠାରେ ଥିବା ଗୁଇନ୍ଦା ସୂଚନା ଠିକ ଭାବେ ମିଳିନଥିବାରୁ କେତେ ଆତଙ୍କୀ ନିହତ ହୋଇଛନ୍ତି ତାହା ଆକଳନ କରାଯାଇ ପାରିନାହିଁ |


ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗୁଇନ୍ଦା ସଂସ୍ଥା ପାଖରେ ସିନ୍ଥେଟିକ ଏପରଚର ରାଡ଼ାରର ଫଟୋ ଅଛି | ୪ଟି ବିଲଡିଂକୁ ଟାର୍ଗେଟ କରିଥିବା ଫଟୋରେ ରହିଛି | ମୀରାଜ-୨୦୦୦ ଯୁଦ୍ଧ ବିମାନ ୫ଟି ଏସ-୨୦୦୦ ପିଜିଏମ ଧ୍ବଂସ କରିଛି | ପିଜିଏମ ଏକ ସ୍ମାର୍ଟ ବୋମା | ଏହି ବୋମା ବିଶେଷ ଜାଗାକୁ ଧ୍ବଂସ କରିବା ପାଇଁ ବ୍ୟବହାର କରାଯାଇଥାଏ | ଭାରତ ଏହି ପିଜିଏମ ଇସ୍ରାଇଲରୁ ଆଣିଥିଲା |


ଅଧିକାରୀ କହିଛନ୍ତି ଯେ, ପାକିସ୍ତାନ ସେନା ଭାରତର ହମଲା ପରେ ମଦ୍ରାସା ସିଲ କରିଦେଇଥିଲା | ସାମ୍ବାଦିକମାନଙ୍କୁ ସେଠାକୁ ଯିବାକୁ ଦିଆଯାଉନଥିଲା | ରାଡ଼ାରରୁ ମିଳିଥିବା ପ୍ରମାଣରୁ ଜଣାପଡିଛି ଯେ, ଭାରତୀୟ ବାୟୁସେନା ଟାର୍ଗେଟ କରିଥିବା ବିଲଡିଂ ଗେଷ୍ଟ ହାଉସ ଭାବେ ବ୍ୟବହାର କରାଯାଉଥିଲା | ଏହି ବିଲଡିଂରେ ମସୁଦ ଅଜହରର ଭାଇ ରହୁଥିଲା | ଆତଙ୍କବାଦ ଟ୍ରେନିଂ ନେଉଥିବା ଯୁବକମାନେ ମଧ୍ୟ ଏହି ବିଲଡିଂ ବ୍ୟବହାର କରୁଥିଲେ |


ରାଡ଼ାରର ସବୁ ଫଟୋକୁ ସାର୍ବଜନିକ କରାଯିବ ନା ନାହିଁ ତାହା ଲିଡରମାନେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଅଧିକାରୀ | ରାଡ଼ାର ଦ୍ୱାରା ଉଠା ଯାଇଥିବା ଫଟୋ ସାଟେଲାଇଟ ଫଟୋ ଭଳି ସଫା ନାହିଁ | ୨୬ ତାରିଖରେ ଘନ ବାଦଲ ଥିବା ଯୋଗୁଁ ଉପଗ୍ରହର ଫଟୋ ମିଳିପାରିଲା ନାହିଁ ବୋଲି କହିଛନ୍ତି ଅଧିକାରୀ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.