ରାମ ମନ୍ଦିର ନିର୍ମାଣ ପାଇଁ ଆଗେଇ ଆସିଲେ ଦିଗବିଜୟ ସିଂହ, ଦାନ କଲେ ୧, ୧୧, ୧୧୧ ଟଙ୍କା

Published By : Prameya-News7 Bureau | January 18, 2021 IST

ଭୋପାଳ ୧୮।୦୧: ଦଶନ୍ଧିର ପୁରୁଣା ବାବ୍ରି ମସଜିଦ-ରାମ ଜନ୍ମଭୂମି ବିବାଦ ଉପରେ ସୁପ୍ରିମକୋର୍ଟଙ୍କ ରାୟ ପରେ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପଥ ପରିଷ୍କାର ହୋଇଥିଲା। ନିଷ୍ପତ୍ତି ପରେ ରାମ ମନ୍ଦିର ନିର୍ମାଣ ପାଇଁ ମୋଡେଲ୍ ପ୍ରସ୍ତୁତ ହୋଇ ସାରିଛି ଏବଂ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ସାରିଛି। ମନ୍ଦିର ନିର୍ମାଣ ପାଇଁ ଅର୍ଥ ସଂଗ୍ରହ କାମ ମଧ୍ୟ ଚାଲିଛି। ଦେଶର ବିଭିନ୍ନ ଭାଗରେ ରାମ ମନ୍ଦିର ନିର୍ମାଣ ପାଇଁ ଲୋକେ ଦାନ ମଧ୍ୟ କରୁଛନ୍ତି। ଏହି କ୍ରମରେ ଭଗବାନ ରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ ମଧ୍ୟ ଯୋଗଦାନ ଦେଇଛନ୍ତି। ସେ ଏକ ଲକ୍ଷ ୧୧ ହଜାର ୧୧୧ ଟଙ୍କା ଦାନ କରିଛନ୍ତି।

ଦିଗବିଜୟ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜରିଆରେ ରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟକୁ ଚେକ୍‌ ପଠାଇଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ମଧ୍ୟ ଲେଖିଛନ୍ତି। ସେ ରାମ ମନ୍ଦିର ନିର୍ମାଣ ପାଇଁ ଦେଶରେ ଲୋକଙ୍କଠୁ ଚାନ୍ଦା ସଂଗ୍ରହର କାମ ସୌହାର୍ଦ୍ଦ୍ୟପୂର୍ଣ୍ଣ ପ୍ରକ୍ରିୟାରେ କରିବାକୁ ଅପିଲ୍ କରିଛନ୍ତି। ଏଥିସହ କଂଗ୍ରେସ ନେତା ଦିଗବିଜୟ ବିଶ୍ଵ ହିନ୍ଦୁ ପରିଷଦର ପୁରୁଣା ଚାନ୍ଦାର ତଥ୍ୟ ଜନତାଙ୍କ ସାମ୍ନାରେ ରଖିବାକୁ ଦାବି କରିଛନ୍ତି।

ସୂଚନଯୋଗ୍ୟ, ରାମ ମନ୍ଦିର ନିର୍ମାଣ ପାଇଁ ଦୁଇ ଦିନରେ ୧୦୦ କୋଟି ଟଙ୍କା ଦାନ ମିଳିଥିବା ଜଣା ପଡିଛି। ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହା ସଂପାଦକ ଚମ୍ପତ ରାୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଦୁଇ ଦିନରେ ଏତେ ଅର୍ଥ ସଂଗ୍ରହ ହୋଇଥିବା ସୂଚନା ମିଳିଛି। ଏହି ଦାନରେ ସବୁଠୁ ବଡ ଯୋଗଦାନ ଉତ୍ତର ପ୍ରଦେଶର ରାୟବରେଲି ଜିଲ୍ଲାର ପୂର୍ବତନ ବିଧାୟକ ସୁରେନ୍ଦ୍ର ବାହାଦୂର ସିଂହଙ୍କ  ରହିଛି। ସେ ଭିଏଚପିର ଉପ ସଭାପତି ତଥା ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ମହା ସଂପାଦକ ଚମ୍ପତ ରାୟଙ୍କୁ ୧ କୋଟି ୧୧ ଲକ୍ଷ ୧୧  ହଜାର ୧୧୧ ଟଙ୍କା ଚେକ୍ ପ୍ରଦାନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.