ମାତିଛନ୍ତି ଡିଜିଟାଲ ସୁନ୍ଦରୀ, ସେକ୍ସ ଚାଟିଂ ପରେ ଆସୁଛି ମେସେଜ୍- 'ଦେଖିଲୁ ତ ୧୦ ହଜାର ଦେ'

Published By : Prameya-News7 Bureau | July 13, 2021 IST

ଭୁବନେଶ୍ୱର, ୧୩/୦୭:  ଦେଖିଲୁ ତ, କେମିତି ଲାଗିଲା । ହଉ ଏଥର ଦେ ୧୦ ହଜାର । ଦବୁ ନାଁ ଭିଡିଓ ଭାଇରାଲ କରିବି । ନୟାପଲ୍ଲୀରେ ରହୁଥିବା ଜଣେ ବୟସ୍କଙ୍କୁ  ଏମିତି ବ୍ଲାକମେଲିଂ କରିଛନ୍ତି ଜଣେ ସୁନ୍ଦରୀ । ଏଇ ତଥାକଥିତ ଡିଜିଟାଲ ସୁନ୍ଦରୀଙ୍କ ସହ ହୋଇଥିବା ଭିଡିଓ ଚାଟିଂ ଏବେ ମହଙ୍ଗା ପଡ଼ିଛି ବୟସ୍କ ବ୍ୟକ୍ତିଙ୍କୁ । କେବଳ ଇଏ ଜଣେ ନୁହଁନ୍ତି, ଏମିତି କିଛି ଧନୀକ ଯୁବକ, ବ୍ୟବସାୟୀ ଏପରିକି ରାଜନେତା ବି ଏଇ ଡିଜିଟାଲ ସୁନ୍ଦରୀଙ୍କ ଜାଲରେ ପଡ଼ି କଲବଲ ହେଉଛନ୍ତି । ମାତ୍ର ଲୋକଲଜ୍ଜା ଭୟରେ ଥାନାରେ ଏତଲା ଦେଉନାହାନ୍ତି ।

କେମିତି ଲୁଟୁଛନ୍ତି

ବିଳମ୍ବିତ ରାତିରେ ହଠାତ୍‌ ଫେସବୁକ୍‌ରେ ସୁନ୍ଦରୀ ଯୁବତୀଙ୍କ ପକ୍ଷରୁ ବନ୍ଧୁତ୍ୱ ପାଇଁ ରିକ୍ୟୁଏଷ୍ଟ୍‌ ଆସୁଛି । ଯିଏ ବନ୍ଧୁତ୍ୱ ଗ୍ରହଣ କଲା ସଂପୃକ୍ତ ଯୁବତୀ ମେସେଞ୍ଜରରେ କିଛି ସମୟ ପାଇଁ ମିଠା ମିଠା କଥା ହେଉଛନ୍ତି । ଏପରି ୧୫ରୁ ୨୦ ମିନିଟ ଚାଟ୍‌ କରିବା ପରେ ଲୋକଙ୍କ ବିଶ୍ୱାସ ଜିତୁଛନ୍ତି ଡିଜିଟାଲ ସୁନ୍ଦରୀ । ହା୍ୱଟସ୍‌ଆପ୍‌ ନମ୍ବର ନେଉଛନ୍ତି । ନମ୍ବର ପାଇବା ପରେ ସଙ୍ଗେ

ସଙ୍ଗେ ହ୍ୱାଟସ୍‌ଆପରେ ଆରମ୍ଭ କରୁଛନ୍ତି ଚାଟିଂ । ପ୍ରଥମେ ତାଙ୍କ ଅର୍ଦ୍ଧନଗ୍ନ ଫଟୋ ପଠାଉଛନ୍ତି । ଫଟୋ ଦେଖିବା ପରେ ଯଦି ଲୋକଟି କିଛି ପ୍ରତିକ୍ରିୟା ଦେଉଛି ତେବେ କଥା ଆଗକୁ ବଢ଼ାଇବାରେ ଫୁରସତ ଦେଉନାହାନ୍ତି ଏଇ ଡିଜିଟାଲ ସୁନ୍ଦରୀ । ପରେ ଆରମ୍ଭ ହୋଇଥାଏ ସେକ୍ସ ଚାଟିଂ । ଏଥିରେ ଯିଏ ଆଗକୁ ବଢ଼ିଲା ତା ବେଳା ଖରାପ । କିଛି ସମୟ ସେକ୍ସ ଚାଟିଂ ପରେ ସେପଟୁ ହ୍ୱାଟସ୍‌ଆପ୍‌ରୁ ଆସୁଛି ଭିଡିଓ କଲ୍‌ । କଲ୍‌ ରିସିଭ କଲା ମାତ୍ରେ ସଂପୃକ୍ତ ଯୁବତୀ ନିଜର ପୋଷାକ ଖୋଲି ଦେଉଛନ୍ତି । ଏହା ସହ ଅପର ପକ୍ଷରେ ଥିବା ବ୍ୟକ୍ତିଙ୍କୁ ଡ୍ରେସ୍‌ ଖୋଲିବା ପାଇଁ ବାଧ୍ୟ କରୁଛନ୍ତି । ସେକ୍ସ ଚାଟିଂରେ ଉତ୍ତେଜିତ ହୋଇଥିବା ବ୍ୟକ୍ତି ଜଣଙ୍କ ଯୁବତୀଙ୍କ କଥା ମାନିଗଲେ କଥା ସରିଲା । ଯୁବତୀ ଜଣଙ୍କ ତାର ଭିଡିଓ ସ୍କ୍ରିନ୍‌ ସଟ ରେକର୍ଡିଂ କରିନେଉଛନ୍ତି । ମାତ୍ର ଦୁଇ ମିନିଟ୍‌ ଏପରି ଭିଡିଓ କଲ୍‌ ପରେ ହଠାତ୍‌ ଫୋନ୍‌ କଟିଯାଉଛି । କିଛି ସମୟ ପରେ  ହ୍ୱାଟସ୍‌ ଆପ୍‌ରେ ମେସେଜ୍‌ ଆସୁଛି । ୧୦ ହଜାର ଟଙ୍କା ଦିଅ, ନହେଲେ ସେକ୍ସ ଚାଟ୍‌କୁ ବନ୍ଧୁ ତଥା ପ୍ରିୟଜନଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ କରିଦେବା ପାଇଁ ଧମକ ଦେଉଛନ୍ତି ।  ଏମିତି ବ୍ଲାକମେଲିଂ କରି  ଲକ୍ଷ ଲକ୍ଷ ଟଙ୍କା ଲୁଟୁଛନ୍ତି ।

ଚାଟିଂ କରୁଥିବା ବ୍ୟକ୍ତି ଲୋକଲଜ୍ୟା ଭୟରେ ଟଙ୍କା ଦେଉଛନ୍ତି । ଥରେ ଟଙ୍କା ନେବା ପରେ ବାରମ୍ବାର ଟଙ୍କା ମାଗୁଛନ୍ତି । ହେଲେ ଥାନାକୁ ଅଭିଯୋଗ କରିବାକୁ ସାହାସ କରୁନାହାନ୍ତି ଠକେଇର ଶିକାର ହୋଇଥିବା ବ୍ୟକ୍ତି । ଗତ କିଛି ଦିନ ତଳେ ଏହି ସୁନ୍ଦରୀଙ୍କ ଶିକାର ହୋଇଥିଲେ ଜଣେ ଅବସରପ୍ରାପ୍ତ ପୁଲିସ ଅଫିସର । ସେ ମଧ୍ୟ ଥାନାରେ ଏତଲା ଦେଇନଥିଲେ । ଏବେ ରାଜଧାନୀରେ ଏମିତି କିଛି ଡିଜିଟାଲ ସୁନ୍ଦରୀ ଆତଙ୍କ ଖେଳାଇଛନ୍ତି । ଧନି ଯୁବକ, ରାଜନେତା ଏବଂ ବ୍ୟବସାୟୀ ସେମାନଙ୍କ ଟାଗେର୍ଟରେ ରହୁଛନ୍ତି । ଲୋକଲଜ୍ଜା ଭୟରେ ଥାନାରେ ଏତଲା ହେଉନାହିଁ । ଫଳରେ ପୁଲିସ ମଧ୍ୟ ଏହା ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନାହିଁ । ଯାହାର ଫାଇଦା ଉଠାଉଛନ୍ତି ଏଇ ଡିଜିଟାଲ ସୁନ୍ଦରୀମାନେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.